ଏଏସ୍ଆଇକୁ ନାଟମଣ୍ଡପ ଚିନ୍ତା : ନକ୍ସା ପ୍ରସ୍ତୁତି ଆରମ୍ଭ, ସରିବ ୧୦ ଦିନରେ
ଆରମ୍ଭ ହେଲା ପାର୍ଶ୍ୱ ଦେବାଦେବୀ ମନ୍ଦିର ମରାମତି
ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ଦୁର୍ବଳ ରହିଛି। ଏ ନେଇ ଚେନ୍ନାଇ ଓ ଆଇଆଇଟି ଖଡଗପୁରର ବିଶେଷଜ୍ଞ ଦଳ ଅନୁଧ୍ୟାନ କରି ଫେରିବା ପରେ ମରାମତି ପାଇଁ ପ୍ରକ୍ରି୍ରୟା ଆରମ୍ଭ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ନାଟମଣ୍ଡପ ମରାମତି ପାଇଁ ଭାରତୀୟ ପ୍ରତ୍ନ ତତ୍ତ୍ୱ ବିଭାଗ(ଏଏସ୍ଆଇ) ଚେନାଇର ମୁଖ୍ୟ ଡ୍ରାଫ୍ଟସମ୍ୟାନ୍ ରାଘବେନ୍ଦ୍ର ଓ ବରୋଦାର ଧନରାଜ ଦାସ ନକ୍ସା ପ୍ରସ୍ତୁତି କାମ ଆରମ୍ଭ କରିଛନ୍ତି। ଦୁଇ ବିଶେଷଜ୍ଞ ନାଟମଣ୍ଡପର ୪ଟି ମୁଖ୍ୟ ପିଲାର ସହିତ କଲମ କ୍ୟାପିଟାଲର ମଧ୍ୟ ନକ୍ସା ପ୍ରସ୍ତୁତ କରୁଛନ୍ତି। ନକ୍ସା ସରିବା ପରେ ନାଟମଣ୍ଡପରେ କେଉଁ ସ୍ଥାନରେ ଲୋଡମିଟର ଲଗାଯିବ ସେ ନେଇ ସ୍ଥିର ହେବ।
ସେହିଭଳି ନାଟମଣ୍ଡପର ଛାତ ଦୁର୍ବଳ ଥିବା ଓ ଏଥିରୁ ପାଣି ଗଳୁଥିବାରୁ ବିଶେଷଜ୍ଞ ଦଳ ଛାତ ମରାମତି ପାଇଁ ମଧ୍ୟ ଏକ ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତକାଲିଠାରୁ ନାଟମଣ୍ଡପ ଛତାର ନକ୍ସା ମଧ୍ୟ ପସ୍ତୁତି ଆରମ୍ଭ ହୋଇଛି।
ନାଟମଣ୍ଡର ଛାତ ବିଭିନ୍ନ ସମୟରେ ମରାମତି କରାଯାଇଥିବାରୁ ଛାତର ଲେୟାର(ଆସ୍ତରଣ) ମଧ୍ୟ ଉପର, ତଳ ରହିଛି। ତେଣୁ ଏହାକୁ କିଭଳି ମରାମତି କରାଯିବ ତାର ଏକ ରିପୋର୍ଟ ପ୍ରସ୍ତୁତ ହୋଇଛି। ଛାତରେ ଏକ ତରଳ କେମିକାଲ ପ୍ରଲେପ ଦେଇ ପାଣି ଗଳିବା ରୋକାଯିବ ବୋଲି ଜଣାପଡିଛି।
ପ୍ରକାଶ ଯେ, ଗତ କିଛି ଦିନ ତଳେ ଚେନ୍ନାଇ ଆଇଆଇଟି ଓ ଖଡଗପୁର ଆଇଆଇଟି ପ୍ରଫେସର ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନ ପାଇଁ ଲୋଡମିଟର ଲଗାଇବାକୁ ପରାମର୍ଶ ଦେଇଥିଲେ। ତେବେ ବିମ୍ରେ ଥିବା ଫାଟ କେତେ ପୁରୁଣା, ମରାମତିର ଆବଶ୍ୟକତା ରହିଛି କି ନା ତାର ନକ୍ସା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।
ହାଇକୋର୍ଟଙ୍କ ତାଗିଦ ପରେ ଏଏସ୍ଆଇ ଶ୍ରୀମନ୍ଦିର ପରିସରରେ ରହିଥିବା ପାର୍ଶ୍ୱଦେବାଦେବୀ ମନ୍ଦିରର ମରାମତି କାମ ଆରମ୍ଭ କରିଛି। ମନ୍ଦିର ପରିସରରେ ଥିବା ରାଧାବଲ୍ଲଭ ମନ୍ଦିର, ସୂର୍ଯ୍ୟମନ୍ଦିର, ପାତାଳେଶ୍ୱର ମନ୍ଦିର ଓ ମୁଖ୍ୟମନ୍ଦିର ପାଦୁକା ନଳା ନିକଟରେ ଥିବା ଗଣେଶ ମନ୍ଦିରର ମଧ୍ୟ ମରାମତି କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି।