ଶ୍ରୀଜଗନ୍ନାଥ ମନ୍ଦିର ମାଲିକାନାରେ ରହିଛି ପୁରୀ ସହର ଆକାରର ୧୫ଗୁଣ ଜମି

ନୂଆଦିଲ୍ଲୀ: ନିକଟରେ ସୁପ୍ରିମ୍‌ କୋର୍ଟଙ୍କର ଏକ ଆଦେଶନାମାରୁ ଜଣାପଡ଼ିଛି ଯେ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଶ୍ରୀଜଗନ୍ନାଥ ମନ୍ଦିର ମାଲିକାନାରେ ୬୦, ୪୧୮ ଏକର ବା ୨୪୪. ୫ ବର୍ଗ କିଲୋମିଟର ଜମି ରହିଛି। ମନ୍ଦିର ମାଲିକାନାରେ ଥିବା ଜମି ପୁରୀ ସହରର ପ୍ରାୟ ୧୫ ଗୁଣ ଆକାରର ହେବ। ପୁରୀ ସହରର ଆକାର ସମୁଦାୟ ୧୬. ୩୩ ବର୍ଗ କିଲୋମିଟର। ମନ୍ଦିର ମାଲିକାନାରେ କେତେଗୁଡ଼ିଏ ପଥର ଖାଦାନ ଏବଂ ଖଣି ମଧ୍ୟ ରହିଛି, କିନ୍ତୁ ଲାଇସେନ୍‌ସ୍‌ଧାରୀମାନେ ମନ୍ଦିରକୁ ସେବାବଦ ଦେୟ ଦେଉ ନାହାନ୍ତି। ଜାତୀୟ ଗଣମାଧ୍ୟମ ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ‘ରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ଆଦେଶନାମାରେ ଜଷ୍ଟିସ୍‌ ଅରୁଣ ମିଶ୍ର, ଏମ୍‌ଆର୍‌ ଶାହା ଏବଂ ଏସ୍‌ ରବିନ୍ଦ୍ର ଭଟଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି: ଶ୍ରୀଜଗନ୍ନାଥ ମନ୍ଦିର ମାଲିକାନାରେ ରାଜ୍ୟ ଓ ରାଜ୍ୟ ବାହାରେ ବିପୁଳ ପରିମାଣର ସ୍ଥାବର ସମ୍ପତ୍ତି ରହିଛି। ଆମିକସ୍‌ କ୍ୟୁରି ବରିଷ୍ଠ ଆଡ୍‌ଭୋକେଟ୍‌ ରଞ୍ଜିତ କୁମାର ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି କି, ମନ୍ଦିର ମାଲିକାନାରେ ଥିବା ୬୦, ୪୧୮ ଏକର ଜମିରୁ ଏପର୍ଯ୍ୟନ୍ତ ୩୪, ୨୦୧ ଏକର ଜମି ଉପରେ ମାଲିକାନା ଅଧିକାର ପ୍ରସ୍ତୁତି କରାଯାଇଛି। ଛଅ ମାସ ମଧ୍ୟରେ ଯଥା ସମ୍ଭବ ବାକି ଜମି ବାବଦରେ ମାଲିକାନା ଅଧିକାର ପ୍ରସ୍ତୁତି କରାଯାଇ ତାହାକୁ ଅଦାଲତରେ ଦାଖଲ କରାଯାଉ। ରାଜ୍ୟ ଏବଂ ରାଜ୍ୟ ବାହାରେ ଥିବା ଅନ୍ୟ ସ୍ଥାବର ସମ୍ପତ୍ତି ସମ୍ପର୍କରେ ଇନ୍‌ଭେଣ୍ଟରି ପ୍ରସ୍ତୁତି କରାଯାଇ ସେଗୁଡ଼ିକ କିଭଳି ବ୍ୟବହୃତ ହେଉଛି ଏବଂ ସେଥିରୁ କେତେ ଆୟ ହେଉଛି ତାହାର ପୂର୍ଣ୍ଣ ବିବରଣୀ ଦାଖଲ କରାଯାଉ।

ସମ୍ବନ୍ଧିତ ଖବର