ନୀତିରେ ଚରମ ବିଶୃଙ୍ଖଳା ପରେ ବୁଦ୍ଧି ପଶିଲା : ଶୃଙ୍ଖଳା ପାଇଁ ତିନି ଥାକିଆ ତଦାରଖ ବ୍ୟବସ୍ଥା

ପୁରୀ :‌ ଗତ ଡିସେମ୍ବର ୨୮ର ମହାବିଭ୍ରାଟ ପରେ ଶ୍ରୀମନ୍ଦିର ପ୍ରଶାସନର ଚୈତନ୍ୟ ଉଦୟ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ନୀତିକୁ ଶୃଙ୍ଖଳିତ କରିବାକୁ ଅଣ୍ଟାଭିଡ଼ିଛି। ଏଥିପାଇଁ ତିନି ଥାକିଆ ତଦାରଖ ବ୍ୟବସ୍ଥା ଲାଗୁ କରିଛି। ବହୁଦିନରୁ ଅଚଳ ଅବସ୍ଥାରେ ଥିବା ସାପ୍ତାହିକ ପରିଚାଳନା କମିଟିର ପୁନର୍ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ନୀତି ବିଳମ୍ବ ରୋକିବା ପାଇଁ ସ୍ବତନ୍ତ୍ର ସଫ୍ଟୱେର ପ୍ରସ୍ତୁତ କରିଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୂଚନା ମୁତାବକ, ସ୍ବତନ୍ତ୍ର ଦିନକୁ ଛାଡ଼ିଦେଲେ, ଅନ୍ୟ ଦିନମାନଙ୍କରେ ନୀତି ତଦାରଖ ପାଇଁ ତିନି ଥାକିଆ ବ୍ୟବସ୍ଥା କରାଯାଇଛି। ଦ୍ବାରଫିଟାରୁ ସକାଳ ଧୂପ ପର୍ଯ୍ୟନ୍ତ ଭିତରଚ୍ଛଙ୍କ ସହ ତଢ଼ଉକରଣ ତଦାରଖ ଦାୟିତ୍ବ ବୁଝିବେ। ସକାଳଧୂପରୁ ସଂଧ୍ୟା ଆଳତୀ ପର୍ଯ୍ୟନ୍ତ ଦେଉଳକରଣଙ୍କ ସହ ପାଟ୍ଟଯୋଶୀ ମହାପାତ୍ର ତଦାରଖ ଦାୟିତ୍ବ ବୁଝିବେ। ସଂଧ୍ୟା ଆଳତୀରୁ ରାତି ପହୁଡ଼ ପର୍ଯ୍ୟନ୍ତ ଶ୍ରୀମନ୍ଦିର କମାଣ୍ଡରଙ୍କ ସହ ତଳୁଚ୍ଛ ସେବକ ତଦାରଖ ଦାୟିତ୍ବରେ ରହିବେ।

ଯେଉଁ ସମୟରେ ଶ୍ରୀମନ୍ଦିରରେ ବିଶୃଙ୍ଖଳା ଉପୁଜିଲା, ସେହି ସମୟରେ ‌ଯେଉଁ ସେବକ ଓ ବ୍ୟକ୍ତିବିଶେଷ ତଦାରଖ ଦାୟିତ୍ବରେ ରହିଥିବେ, ସେଥିପାଇଁ ସେ ଦାୟୀ ରହିବେ।

୧୮ ସେବାୟତଙ୍କୁ ନୋଟିସ୍

ପୁରୀ :‌ ଶ୍ରୀମନ୍ଦିରରେ ଗତ ୨୮ ତାରିଖ ନୀତି ବିଭ୍ରାଟ ସଂପର୍କରେ ମୁହଁ ଖୋଲିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି, ଏହି ଘଟଣାରେ ସମୁଦାୟ ୩୬ ଜଣଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିଛି। ଯେଉଁଥିରେ ୨ଜଣ ଅଣସେବାୟତ ରହିଛନ୍ତି। ୩୬ ଜଣଙ୍କ ମଧ୍ୟରୁ ୧୮ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୭ ଦିନ ଭିତରେ ଚିଠିର ଜବାବ ରଖିବାକୁ କୁହାଯାଇଛି। ବାକି ଯେଉଁ ୧୮ଜଣ ରହିଲେ, ସେମାନଙ୍କୁ ଗତ ୨୮ ତାରିଖ ନୀତି ବିଭ୍ରାଟ ସଂପର୍କିତ ତଥ୍ୟ ମଗାଯାଇଛି। ୩୬ ଜଣଙ୍କ ମଧ୍ୟରୁ ୩୪ ଜଣ ସେବାୟତ ହୋଇଥିବାବେଳେ ବାକି ୨ଜଣ ଅଣସେବାୟତ ରହିଛନ୍ତି। ୩୪ ଜଣଙ୍କ ମଧ୍ୟରୁ ଯେଉଁ ୧୮ଜଣଙ୍କୁ ନୋଟିସ୍ ଜାରି କରାଯାଇଛି, ସେମାନେ ସେଦିନର ପାଳିଆ ସେବକ ଅଟନ୍ତି। ବାକି ୧୬ଜଣ ସେବକ ହୋଇଥିଲେ ବି ପାଳିଆ ସେବକ ନୁହଁନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର