୪୫୪ ପ୍ରକାର ସୁନା ଅଳଙ୍କାର ଓ ୨୯୩ ପ୍ରକାରର ରୁପା ଅଳଙ୍କାର
ହୀରା, ନୀଳା, ମାଣିକ ଭଳି ମୂଲ୍ୟବାନ ରତ୍ନପଥର

Advertisment

ଭୁବନେଶ୍ୱର : ରତ୍ନଖଚିତ ସୁନା ନାକୁଆସି, ସୁନା ଚମ୍ପାକଳି ମାଳି, ସୁନା କରମଙ୍ଗିଆ କଣ୍ଠିମାଳି, ରତ୍ନଖଚିତ ସୁନାକୁଣ୍ଡଳ, ରତ୍ନଜଡ଼ିତ ବାଜୁ ବନ୍ଧ...।

ଏମିତି ପ୍ରାୟ ୩୬୭ ପ୍ରକାରର ରତ୍ନଖଚିତ ସୁନା ଅଳଙ୍କାର ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାରରେ। କେଉଁଥିରେ ହୀରା ଲାଗିଛି, ଆଉ କେଉଁଥିରେ ନୀଳା, ମାଣିକ ଭଳି ମୂଲ୍ୟବାନ ରତ୍ନପଥର। ମହାପ୍ରଭୁଙ୍କ ଦୈନନ୍ଦିନ ବା ଯାନିଯାତ୍ରା ଆଦିରେ ବ୍ୟବହୃତ ହେଉନଥିବା ଏହି ଅଳଙ୍କାର, ଯାହା ଭିତର ଭଣ୍ଡାରରେ ରହିଛି, ତା ଭିତରେ ପ୍ରାୟ ୨୩୧ ପ୍ରକାରର ରୁପା ଅଳଙ୍କାର ବି ରଖାଯାଇଛି।

ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାରର ବିଶାଳତା ନେଇ ସମଗ୍ର ରାଜ୍ୟରେ ଯେଉଁ ଚର୍ଚ୍ଚା ଆଲୋଚନା, ଉତ୍କଣ୍ଠା ରହିଛି, ତା’ର ବାସ୍ତବତା ତଥା ଅବିକଳ ସ୍ୱରୂପ ହେଉଛି ଏମିତି। ଏହାବାଦ୍‌ ଭିତର ରତ୍ନଭଣ୍ଡାରରେ ଆଉ କୌଣସି ପ୍ରକୋଷ୍ଠ ନାହିଁ, ଯେଉଁଠାରେ ରତ୍ନ ଅଳଙ୍କାର ରହିଛି ଓ ଶ୍ରୀମନ୍ଦିର ପ୍ରଶାସନ ସେ ସମୟରେ ଗଣତି କରିନାହିଁ। ଅତଏବ ଏହାକୁ ଭିତର ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ସୁନାଳଙ୍କାର ପୂର୍ଣ୍ଣାଙ୍ଗ ତାଲିକା ବୋଲି ବିବେଚନା କରାଯାଇପାରେ।

ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ୧୯୭୮ ମେ’ ୧୩ ତାରିଖରୁ ସେହିବର୍ଷ ଜୁଲାଇ ୨୩ ତାରିଖ, ଅର୍ଥାତ୍‌ ପାଖାପାଖି ୭୦ଦିନର ଗଣତି ପରେ ଯେଉଁ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିଲା, ତାହା ସୂଚାଉଛି ଯେ ମହାପ୍ରଭୁଙ୍କ ପାଖରେ ସେ ସମୟସୁଦ୍ଧା ମୋଟ ୪୫୪ ପ୍ରକାରର ୧୨ ହଜାର ୮୩୮ ଭରି ସୁନା (ଉଭୟ ଭିତର ଓ ବାହାର
ରତ୍ନଭଣ୍ଡାର ମିଶି) ଓ ୨୯୩ ପ୍ରକାରର ୨୨ ହଜାର ୧୫୩ ଭରି ରୁପା ରହିଥିଲା। ଏ ମଧ୍ୟରେ କିଛି ପ୍ରକାରର ସୁନା, ରୁପା ଅଛି, ଯାହାକୁ ଓଜନ କରାଯାଇପାରିନାହିଁ।

ହୀରା, ନୀଳା, ମୋତି, ମାଣିକ ଭଳି ମୂଲ୍ୟବାନ ରତ୍ନପଥରକୁ ବାଦ୍‌ ଦେଲେ ମହାପ୍ରଭୁଙ୍କ ଭିତର ଓ ବାହାର ଭଣ୍ଡାରର ସବୁ ସୁନା ଓ ରୁପାର ଆଜି ଦିନର ବଜାର ମୂଲ୍ୟ ପାଖାପାଖି ୪୦ କୋଟି ୨୩ଲକ୍ଷ ୪୫ ହଜାର ୯୦୦ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଅର୍ଥାତ୍‌ ମହାପ୍ରଭୁଙ୍କ ସମ୍ପତ୍ତି ଆଜି ଦିନରେ ଅନ୍ୟ ରାଜ୍ୟରେ ଥିବା ଧନୀ ମନ୍ଦିର ତୁଳନାରେ ବେଶି କିଛି ନୁହେଁ। ଅବଶ୍ୟ ମୂଲ୍ୟବାନ ରତ୍ନପଥରକୁ ହିସାବ କଲେ ଏହି ମୂଲ୍ୟ ଆଉ କେଇ କୋଟି ଟଙ୍କା ବଢିଯିବ।

ଉଲ୍ଲେଖଯୋଗ୍ୟ, ଆସନ୍ତା ୪ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାର ଖୋଲିବ। ପାଖାପାଖି ୩୩ ବର୍ଷ ପରେ ରାଜ୍ୟ ସରକାର ଏହାକୁ ଖୋଲିବାକୁ ଆଉଥରେ ଅନୁମତି ଦେଇଛନ୍ତି। ଅବଶ୍ୟ ଏଥର ଭଣ୍ଡାର ଘରେ ଥିବା ରତ୍ନ ଅଳଙ୍କାର ଯାଞ୍ଚ କରାଯାଉନାହିଁ। କିନ୍ତୁ ଉଭୟ ଭିତର ଓ ବାହାର ଭଣ୍ଡାରକୁ ନେଇ ଏ ମଧ୍ୟରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆଲୋଚନା ଓ ତଥ୍ୟ ରଖାଯାଇଛି। କିଏ ଭିତର ଭଣ୍ଡାର ଗଣତି ହୋଇନାହିଁ ବୋଲି କହିଲାଣି ତ ଆଉ କିଏ ଏହା ଭିତରେ ଅନେକ ପ୍ରକୋଷ୍ଠର ଅବତାରଣା କଲେଣି।

ଏମିତି ଏକ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ରତ୍ନ ଅଳଙ୍କାର ତାଲିକା (୧୯୭୮ ମସିହା) ‘ସମ୍ବାଦ’ର ହସ୍ତଗତ ହୋଇଛି। ୧୨୪ ପୃଷ୍ଠାର ଏହି ରିପୋର୍ଟ ପୂର୍ଣ୍ଣାଙ୍ଗ ନୁହେଁ, ବା ଆଉ କୌଣସି ପ୍ରକୋଷ୍ଠ ଗଣତି ପାଇଁ ବାକି ରହିଗଲା, ସେ ନେଇ ଏଥିରେ କିଛି ଦର୍ଶାଯାଇନାହିଁ।

ଶ୍ରୀମନ୍ଦିର ପ୍ରଶାସନର ତଥ୍ୟ ଅନୁସାରେ, ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ସୁନା, ରୁପା ଓ ମଣିମୁକ୍ତା ଖଚିତ ଅଳଙ୍କାରର ତାଲିକା ୧୯୨୬ ମସିହାରେ ପ୍ରସ୍ତୁତ କରାଯାଇଥିଲା। ତତ୍କାଳୀନ ଗଜପତି ମହାରାଜାଙ୍କ ସ୍ୱୀକୃତି ପାଇ ଏହି ତାଲିକା ପୁରୀ ଜିଲ୍ଲାପାଳଙ୍କ ଅଫିସ ରେକର୍ଡ ରୁମ୍‌ରେ ଜଉମୁଦ ଦିଆଯାଇ ରଖାଯାଇଥିଲା। ପରେ ୧୯୫୬ ମସିହା ସେପ୍‌ଟେମ୍ବର ୩ ତାରିଖରେ ପ୍ରକାଶିତ ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ମଧ୍ୟ ଏହାକୁ ଛପାଯାଇଥିଲା। ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱ ନେବାର ପାଖାପାଖି ଦୁଇ ଦଶନ୍ଧି ପରେ ଶ୍ରୀମନ୍ଦିର ପ୍ରଶାସନ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି କରିଥିଲା। ତତ୍କାଳୀନ ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ଭୀମସେନ ଗୋଚ୍ଛିକାର, ନରସିଂହ ଦାସ ମହାପାତ୍ର, ଅତିରିକ୍ତ ଏସ୍‌ପି ସଚିକାନ୍ତ ତ୍ରିପାଠୀ, ଶ୍ରୀମନ୍ଦିର ପରିଚାଳକ ପ୍ରହଲ୍ଲାଦ ରଥ, ଗଜପତି ମହାରାଜାଙ୍କ ପ୍ରତିନିଧି ଆର୍‌ ବିଶ୍ୱାଳ, ପୁରୀ ଜିଲ୍ଲାପାଳଙ୍କ ପ୍ରତିନିଧି ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ଦସ୍ତଖତରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ୧୨୪ ପୃଷ୍ଠା ସମ୍ବଳିତ ଅଳଙ୍କାର ଆଦିର ଏକ ତାଲିକା ପ୍ରକାଶ ପାଇଥିଲା। ୧୯୭୮ ମସିହାରେ ରାଜ୍ୟ ସରକାର ସତ୍ୟବାଦୀ ପ୍ରେସରେ ଏହାକୁ ଛାପିଥିଲେ।

୧୯୮୨ ମସିହା ଡିସେମ୍ବର ୨୬ ତାରିଖରେ କଳାହାଟ ଦ୍ୱାର ରୁପା ଛାଉଣି ମରାମତି ନିମନ୍ତେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଆବଶ୍ୟକ ରୁପା ବାହାର କରାଯାଇଥିଲା। ସେହିପରି ଶ୍ରୀବଳଭଦ୍ରଙ୍କ ଚିତାରୁ ପଥର ଖସିଯିବାରୁ ୧୯୮୫ ମସିହା ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ସେ ସମୟରେ ସେଠାରେ ଥିବା ୨ଟି ଚିତା ମଧ୍ୟରୁ ଗୋଟିଏ ଚିତା ବାହାର କରାଯାଇଥିଲା ଓ ସେହିବର୍ଷ ଅର୍ଥାତ୍‌ ଜୁଲାଇ ୧୮ ତାରିଖରେ ଚିତାଲାଗି ଅମାବାସ୍ୟାରେ ଏହି ନୂଆ ଚିତା ଶ୍ରୀବଳଭଦ୍ରଙ୍କୁ ଲାଗି କରାଯାଇଥିଲା।

ସୂଚନାଯୋଗ୍ୟ, ରତ୍ନଭଣ୍ଡାର ନେଇ ଶ୍ରୀମନ୍ଦିର ଆଇନରେ ସ୍ପଷ୍ଟ ବ୍ୟବସ୍ଥା ରହିଛି। ଏହି ଆଇନର ଧାରା ୬ରେ ଉଲ୍ଲେଖ ଅଛି ଯେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଧିଗ୍ରହଣ ହୋଇଥିବା ସମସ୍ତ ଅଳଙ୍କାର ଆଦି ଯାହା ବ୍ୟବହାରରେ ଲାଗୁନାହିଁ, ସେସବୁ ଭିତର ଭଣ୍ଡାରରେ ଡବଲ୍‌ ଲକ୍‌ରେ ରଖାଯିବ। ଏହାକୁ ସିଲ୍‌ କରାଯିବ ଓ ଏହି ଚାବିକୁ ପ୍ରଶାସକ ସରକାର ଟ୍ରେଜେରିକୁ ହସ୍ତାନ୍ତର କରିବେ। ରତ୍ନଭଣ୍ଡାର ଖୋଲିବା ପ୍ରୟୋଜନ ହେଲେ ରାଜ୍ୟ ସରକାର ଅନୁମତି ଦେବା ବାଧ୍ୟତାମୂଳକ।

ରିପୋର୍ଟରେ ରତ୍ନଭଣ୍ଡାର ମୁଖ୍ୟତଃ ତିନି ଭାଗରେ ବିଭକ୍ତ

ପ୍ରଥମ ଭାଗ: ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ଏବଂ ମହାପ୍ରଭୁଙ୍କ ବ୍ୟବହାରରେ ଲାଗୁନଥିବା ଅଳଙ୍କାରର ତାଲିକା ରହିଛି। ଏହି ତାଲିକା ସୂଚାଉଛି ଯେ ମହାପ୍ରଭୁ ଆଦିଙ୍କ ମସ୍ତକ ପାଇଁ ୯୭ ପ୍ରକାରର ରତ୍ନଖଚିତ ସୁନା ଅଳଙ୍କାର ରହିଛି, ଯାହାର ଓଜନ ହାରାହାରି ୮୦୨ ଭରି ହେବ। ୧୨ପ୍ରକାରର ୩୮୯ ଭରି ସୁନା କାନ ଅଳଙ୍କାର ରହିଛି। ୨୦ ପ୍ରକାର ନାକ ଅଳଙ୍କାର (୨୦୯ଭରି), ୧୬୦ ପ୍ରକାର ବେକ ଅଳଙ୍କାର (୧୪୫୦ ଭରି), ୧୮ ପ୍ରକାର ହାତ ଅଳଙ୍କାର(୮୮ ଭରି), ୧୫ ପ୍ରକାରର ହାତବଳା ଅଳଙ୍କାର ରହିଛି, ଯାହାର ଓଜନ ହାରାହାରି ୧୩୪ ଭରି ହେବ। ଏହିଭଳି ମୋଟ ୩୬୭ ପ୍ରକାରର ୪ହଜାର ୩୬୪ ଭରି ବହୁ ମୂଲ୍ୟବାନ ରତ୍ନଖଚିତ ସୁନାଳଙ୍କାର ଭିତର ଭଣ୍ଡାରରେ ରହିଛି।

ପୂଜା ସାମଗ୍ରୀ, ବାସନକୁସନ ଆଦିକୁ ମିଶାଇ ମୋଟ ୨୩୧ ପ୍ରକାରର ରୁପା ଅଳଙ୍କାର ଭିତର ଭଣ୍ଡାରରେ ରହିଛି, ଯାହାର ଓଜନ ୧୪ହଜାର ୮୭୮ ଭରି ହେବ। ଏଥିରେ ୭୪ ପ୍ରକାରର ଅର୍ଥାତ୍‌ ୮ହଜାର ୮୨୦ ଭରି ମହାପ୍ରଭୁଙ୍କ ସେବାରେ ଲାଗିଲା ଭଳି ବାସନକୁସନ ରହିଛି। ଏହି ପୁସ୍ତିକାର ୧ରୁ ୧୦୦ ପୃଷ୍ଠାଯାଏ କେବଳ ଭିତର ଭଣ୍ଡାରରେ ଥିବା ଅଳଙ୍କାର ଆଦିର ତାଲିକା ରହିଛି।

ଦ୍ୱିତୀୟ ଭାଗ: ଗଣନାକାରୀମାନେ ମହାପ୍ରଭୁଙ୍କ ବାହାର ରତ୍ନଭଣ୍ଡାରରେ ଥିବା ଏବଂ ପର୍ବପର୍ବାଣିରେ ବ୍ୟବହାର ହେଉଥିବା ଅଳଙ୍କାରକୁ ଏଥିରେ ସ୍ଥାନ ଦେଇଛନ୍ତି। ପୁସ୍ତିକାର ୧୦୧ରୁ ୧୧୮ ପୃଷ୍ଠା ଯାଏ ଏ ସଂପର୍କରେ ତଥ୍ୟ ରହିଛି। ମୁଖ୍ୟତଃ ମହାପ୍ରଭୁଙ୍କ ସ୍ୱତନ୍ତ୍ର ପର୍ବପର୍ବାଣି, ସୁନାବେଶ, ମା’ ବିମଳାଙ୍କ ଷୋଳପୂଜାରେ ବ୍ୟବହୃତ ହେଉଥିବା ଅଳଙ୍କାରର ତାଲିକା ରହିଛି। ଏହି ତାଲିକା ସୂଚାଉଛି ଯେ ମହାପ୍ରଭୁ ଆଦିଙ୍କ ମସ୍ତକ ପାଇଁ ୧୦ ପ୍ରକାରର ରତ୍ନଖଚିତ ସୁନା ଅଳଙ୍କାର ରହିଛି, ଯାହାର ଓଜନ ହାରାହାରି ୨୨୦୩ ଭରି ହେବ। ୫ ପ୍ରକାରର ୧୩୦୯ ଭରିର ସୁନା କାନ ଅଳଙ୍କାର ରହିଛି। ୩ ପ୍ରକାରର ନାକ ଅଳଙ୍କାର ରହିଛି, ଯାହାର ଓଜନ ଆକଳନ ହୋଇନାହିଁ। ୩୪ ପ୍ରକାରର ବେକ ଅଳଙ୍କାର (୧୮୬୧ ଭରି), ୩ଟି ପ୍ରକାରର ହାତ ଅଳଙ୍କାର(୧୧୦୧ ଭରି) ଏହିଭଳି ମୋଟ ୭୯ ପ୍ରକାରର ୮ ହଜାର ୧୭୫ ଭରି ବହୁ ମୂଲ୍ୟବାନ ରତ୍ନଖଚିତ ସୁନାଳଙ୍କାର ଏହି ବର୍ଗରେ ରଖାଯାଇଛି। ଏଥିରେ ୩୯ଟି ପ୍ରକାରର ୪ହଜାର ୬୭୧ ଭରି ରୁପା ଅଳଙ୍କାର, ବାସନକୁସନ ବି ରହିଛି।

ତୃତୀୟ ଭାଗ: ପ୍ରଶାସନ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଅଳଙ୍କାର ଓ ନିତ୍ୟ ବ୍ୟବହାର୍ଯ୍ୟ ଅଳଙ୍କାରର ତାଲିକା ତିଆରି କରିଛି। ଏଥିରେ ମାତ୍ର ୮ ପ୍ରକାରର ରତ୍ନଖଚିତ ସୁନା ଅଳଙ୍କାର ରହିଛି, ଯାହାର ଓଜନ ୨୬୦୩ ଭରି ହେବ। ସେହିପରି ୨୩ ପ୍ରକାରର ରୁପା ଅଳଙ୍କାର ପ୍ରତ୍ୟହ ବ୍ୟବହାର ହେଉଛି, ଯାହାର ଓଜନ ୨୬୦୩ ଭରି ହେବ।