ରତ୍ନଭଣ୍ଡାର ଯାଞ୍ଚ ପାଇଁ ୧୦ଜଣିଆ କମିଟି

୩ ଥାକିଆ ଯାଞ୍ଚ ବ୍ୟବସ୍ଥା
ମିଳିତ ରିପୋର୍ଟ ପ୍ରସ୍ତୁତ ହେବ
ପରବର୍ତୀ ସମୟରେ ଚୂଡ଼ାନ୍ତ ହେବ ତାରିଖ

ପୁରୀ : ରତ୍ନଭଣ୍ଡାର ଯାଞ୍ଚ ନେଇ ଆଜି ୧୦ଜଣିଆ କମିଟି ଗଠନ କରାଯାଇଛି। ଏଥିରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କିମ୍ବା ତାଙ୍କ ପ୍ରତିନିଧି, ଭଣ୍ଡାର ମେକାପ, ପାଟ୍ଟଯୋଶୀ ମହାପାତ୍ର, ଦେଉଳ କରଣ ଓ ତଢ଼ଉକରଣଙ୍କ ସମେତ ଏଏସ୍‌ଆଇ, କୋର କମିଟି ଓ ହାଇକୋର୍ଟଙ୍କ ପ୍ରତିନିଧି ରହିଛନ୍ତି। ଏହି କମିଟି ରତ୍ନଭଣ୍ଡାର ଭିତରର ସ୍ଥିତି ଅନୁଧ୍ୟାନ କରିବେ। ଯାଞ୍ଚ ସଂପୂର୍ଣ୍ଣ ହେବା ପରେ କମିଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ମିଳିତ ରିପୋର୍ଟ ଦେବ। ରିପୋର୍ଟ ଅନୁଧ୍ୟାନ ପରେ ପରବର୍ତୀ ପଦକ୍ଷେପ ନିଆଯିବ। ଆଜି ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଯେଉଁମାନେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯିବେ, ସେମାନଙ୍କ ପାଇଁ ୩ ଥାକିଆ ଯାଞ୍ଚ ବ୍ୟବସ୍ଥା କରାଯିବ। ତେବେ ଛତିଶାନିଯୋଗ ବୈଠକରେ ବିରୋଧ ଯୋଗୁଁ ଗତକାଲି ଭିଡିଓଗ୍ରାଫି ପାଇଁ ହୋଇଥିବା ଯୋଜନାକୁ ବନ୍ଦ ରଖାଯାଇଛି ବୋଲି ସେ କହିଛନ୍ତି।

ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଆଜି ରାତିରେ ଛତିଶାନିଯୋଗ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି, ଆଜିର ବୈଠକରେ ରତ୍ନଭଣ୍ଡାର ହିଁ ମୁଖ୍ୟ ପ୍ରସଙ୍ଗ ରହିଥିଲା। ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ରତ୍ନଭଣ୍ଡାର ଖୋଲିବା ନେଇ ନିର୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନଥିଲେ ବି ଛତିଶାନିଯୋଗ ୧୦ଜଣିଆ କମିଟିକୁ ଅନୁମତି ପ୍ରଦାନ କରିଛି। ସରକାରଙ୍କ ସହ ଆଲୋଚନା କରି ତାରିଖ ଧାର୍ଯ୍ୟ ହେଲା ପରେ ଛତିଶାନିଯୋଗକୁ ଅବଗତ କରାଯିବ। ବୈଠକରେ ସ୍ଥିରୀକୃତ କାର୍ଯ୍ୟପନ୍ଥା ଅନୁଯାୟୀ, ଛତିଶାନିଯୋଗର କର୍ମକର୍ତା ସେଦିନ ବେହରଣ ଦ୍ଵାର ନିକଟରେ ରହିବେ। ୧୦ଜଣିଆ କମିଟି ସଦସ୍ୟମାନଙ୍କୁ ପ୍ରବେଶ ପୂର୍ବରୁ ସ୍ୱତ୍ୱଲିପି ଅନୁସାରେ ଯାଞ୍ଚ କରାଯିବ। ପ୍ରଥମେ ମାଜଣା ମଣ୍ଡପ ନିକଟରେ ସେମାନଙ୍କୁ ଯାଞ୍ଚ କରାଯିବ। ସେଠାରେ କମିଟିର ସଦସ୍ୟମାନେ ପିନ୍ଧିଥିବା ପୋଷାକ ଓହ୍ଲାଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଗାମୁଛା ଓ ଅନ୍ୟାନ୍ୟ ଜିନିଷ ପରିଧାନ କରିବେ। ପରେ ପୁନର୍ବାର ବେହରଣ ଦ୍ଵାର ନିକଟରେ ଦ୍ଵିତୀୟ ଯାଞ୍ଚ କରାଯିବ। ସେଠାରେ ପୁଲିସ ଓ ଅନ୍ୟାନ୍ୟ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଯାଞ୍ଚ କରିବେ। ଶେଷରେ ରତ୍ନଭଣ୍ଡାର ନିକଟରେ ଯାଞ୍ଚ ହେବ। ସେଠାରେ ଭଣ୍ଡାର ମେକାପ କମିଟି ସଦସ୍ୟଙ୍କୁ ଯାଞ୍ଚ କରିବେ। ପରେ କମିଟିର ସଦସ୍ୟମାନେ ରତ୍ନଭଣ୍ଡାରରେ ପ୍ରବେଶ କରିବେ।

ରେକର୍ଡ ଅଫ୍‌ ରାଇଟ୍‌ସ ଅନୁସାରେ କମିଟିର ସଦସ୍ୟ ଭାବେ ଗଜପତି ମହାରାଜ, ଭଣ୍ଡାର ମେକାପ, ପାଟ୍ଟଯୋଶୀ ମହାପାତ୍ର, ଦେଉଳକରଣ ଓ ତଢ଼ଉକରଣ ରତ୍ନଭଣ୍ଡାରକୁ ପ୍ରବେଶ କରିବେ। ଏଥିସହ ଏଏସ୍‌ଆଇର ୨ଜଣ, କୋର କମିଟିିର ୨ଜଣ ଓ ହାଇକୋର୍ଟଙ୍କ ଜଣେ ପ୍ରତିନିଧି ମଧ୍ୟ ସେମାନଙ୍କ ସହ ଭିତରକୁ ପ୍ରବେଶ କରିବେ। ଯାଞ୍ଚ ପାଇଁ ଯିବା ପୂର୍ବରୁ କମିଟିର ସଦସ୍ୟମାନେ ଲୋକନାଥଙ୍କ ମନ୍ଦିରରେ ଶପଥ ନେବେ। ଯାହାକୁ ସ୍ୱଚକ୍ଷୁରେ ଦେଖିଲେ ତାହା ବାହାରେ କାହା ଆଗରେ ପ୍ରକାଶ କରିବେନି ବୋଲି ଶପଥ ନେବେ। ରତ୍ନଭଣ୍ଡାରକୁ ପ୍ରବେଶ ସମୟରେ ପ୍ରଥମେ ଦ୍ଵାର ଖୋଲାଯିବ। କିଛି ସମୟ ରହିବା ପରେ ସଦସ୍ୟମାନେ ଭିତରକୁ ପ୍ରବେଶ କରିବେ। ନିଶ୍ୱାସପ୍ରଶ୍ୱାସରେ ଅସୁବିଧା ନହେବା ପାଇଁ ସ୍ୱତନ୍ତ୍ର ମେସିନ୍‌ର ବ୍ୟବସ୍ଥା କରାଯାଇଛି। ଯେଉଁ ମେସିନ୍‌ ଭିତରର ବାୟୁ ବାହାରକୁ ଓ ବାହାରର ବାୟୁ ଭିତରକୁ ଛାଡ଼ିବ। ବାୟୁ ଚଳାଚଳ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଯାଞ୍ଚ ସମୟରେ କମିଟିର ସଦସ୍ୟମାନେ କେବଳ କାନ୍ଥ ଓ ଛାତ ଦେଖିବେ ଏବଂ ଏହାକୁ ହାତ ମାରି ପାରିବେ। କିନ୍ତୁ ରତ୍ନଭଣ୍ଡାରରେ ଯାହା କିଛି ଅଛି ତାକୁ ଦେଖିବା ଛଡ଼ା କୌଣସି ପରିସ୍ଥିତିରେ ଛୁଇଁ ପାରିବେନି।

ଭିଡିଓଗ୍ରାଫି ସଂପର୍କରେ ଶ୍ରୀ ଜେନା କହିଛନ୍ତି, ଗତକାଲି ଭିଡିଓଗ୍ରାଫି କରିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା। ଆଜି ଛତିଶାନିଯୋଗ ବୈଠକରେ ଏଥିନେଇ ଅନୁମତି ଲୋଡ଼ାଯାଇଥିଲା। କିନ୍ତୁ ଛତିଶାନିଯୋଗ ଏହାକୁ ଦୃଢ଼ ବିରୋଧ କରିବାରୁ ଭିଡିଓଗ୍ରାଫିକୁ ବନ୍ଦ ରଖାଯାଇଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରି ଦିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି। ଅନ୍ୟପଟେ କମିଟିରେ ଗଜପତି ମହାରାଜାଙ୍କ ବଦଳରେ ତାଙ୍କ ପ୍ରତିନିଧି ଯିବେ ବୋଲି ଜଣାପଡ଼ିଛି। ଆଜିର ବୈଠକରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଜେନା, ଆରକ୍ଷୀ ଅଧୀକ୍ଷକ ସାର୍ଥକ୍‌ ଷଡ଼ଙ୍ଗୀଙ୍କ ସମେତ ଛତିଶାନିଯୋଗର କର୍ମକର୍ତାମାନେ ଉପସ୍ଥିତ ଥିଲେ।

୩୧ରେ ବନ୍ଦ ହେବ ଶ୍ରୀମନ୍ଦିର ସଂସ୍କାର କମିସନ ଅଫିସ

କଟକ : ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ସଂସ୍କାର ପାଇଁ ଗଠିତ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ ତଦନ୍ତ କମିସନଙ୍କ କାର୍ଯ୍ୟାଳୟ ବନ୍ଦ ହେବ। କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୧୮, ଜାନୁଆରି ୨୨ରେ ସରିଥିଲା। ଏହାପରେ କଳାବିକାଶ କେନ୍ଦ୍ର ସମ୍ମୁଖରେ ଥିବା କମିସନଙ୍କ କାର୍ଯ୍ୟାଳୟ ବନ୍ଦ ପାଇଁ ସରକାରଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। କମିସନଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରି ପରିସ୍ଥିତିରେ କାର୍ଯ୍ୟାଳୟ ହସ୍ତାନ୍ତର ପାଇଁ କମିସନଙ୍କ ସଚିବ ମଧ୍ୟ ସରକାରଙ୍କୁ ଚିଠି ଲେଖିଥିବା ଜଣାଯାଇଛି। ମାର୍ଚ୍ଚ ୩୧ରେ କାର୍ଯ୍ୟାଳୟ ଆଇନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଏଠାରେ ସୂଚନା ଯୋଗ୍ୟ ଯେ କମିସନଙ୍କ କାର୍ଯ୍ୟାଳୟରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ ପାହ୍ୟାର ଅଧିକାରୀ ସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ ପୂର୍ବତନ ବରିଷ୍ଠ ଅଧିକାରୀ, ଆଇନଜୀବୀଙ୍କ ସମେତ ୪ଜଣ ଆସେସର ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏଥି ସହିତ ଜଣେ ଅଧୀକ୍ଷକ, ଜଣେ ପିଏ, ଜଣେ ବରିଷ୍ଠ କିରାଣୀ, ଜଣେ ଷ୍ଟେନୋ, ଜଣେ ଡାଟାଏଣ୍ଟ୍ରି ଅପରେଟର, ଜଣେ ଟାଇପିଷ୍ଟ ଓ ଦୁଇ ଜଣ ପିଅନ କାର୍ଯ୍ୟ କରୁଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୬, ଜୁଲାଇ ୨୩ରେ ତଦନ୍ତ କମିସନ ବସିବା ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ କମିସନଙ୍କ କାର୍ଯ୍ୟକାଳ ୬ ମାସ ଧାର୍ଯ୍ୟ କରାଯାଇଥିଲା। ଏହା ପରେ ପର୍ଯ୍ୟାୟକ୍ରମେ କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ୨୦୧୭ ଏପ୍ରିଲ ମାସ ୨୦ତାରିଖରେ ରାଜ୍ୟ ସରକାରଙ୍କୁ କମିସନ୍‌ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ୬୦ ପୃଷ୍ଠାର ରିପୋର୍ଟରେ ଶ୍ରୀମନ୍ଦିର ସଂସ୍କାର ଓ ପୁରୀର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାପରେ ପୁଣି କମିସନ ୨୦୧୭, ଡିସେମ୍ବର ମାସ ୭ତାରିଖରେ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ।

୨୦୧୮, ଜାନୁଆରି ୨୨ରେ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ଏହାକୁ ସରକାର ବୃଦ୍ଧି କରି ନଥିଲେ। ତଦନ୍ତ ପାଇଁ ପ୍ରକାଶିତ ୬ଟି ଟର୍ମସ୍‌ ଅଫ୍‌ ରେଫରେନ୍ସ ମଧ୍ୟରୁ ଏବେ ମଧ୍ୟ ବହୁ ପ୍ରସଂଗରେ ତଦନ୍ତ ସରି ନଥିବା ବେଳେ ସରକାର କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି ନକରିବା ସମସ୍ତଙ୍କୁ ଚକିତ କରିଛି।

ସମ୍ବନ୍ଧିତ ଖବର