ରତ୍ନଭଣ୍ଡାର ଯାଞ୍ଚ୍‌ର ଭିଡିଓଗ୍ରାଫି ହେବ

ପରିଚାଳନା କମିଟିରେ ଏସ୍‌ଓପି ଚୂଡ଼ାନ୍ତ
ଯାଞ୍ଚ୍‌ ଦଳ ସହ ଯିବେ ସାପଧରାଳି
ଭିତରକୁ ଯିବା ବ୍ୟକ୍ତିଙ୍କର ହେବ ଫେକ୍ସି, ସ୍କାନିଂ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଅନୁମତି ଦେବା ପରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏସ୍‌ଓପି(ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରୋସିଜିୟୋର) ଚୂଡ଼ାନ୍ତ ହୋଇଛି। ତେବେ ରତ୍ନ ଭଣ୍ଡାର ଯାଂଚ ଲାଗି ଆସନ୍ତାକାଲି ଛତିଶା ନିଯୋଗ ବୈଠକରେ ତାରିଖ ଧାର୍ଯ୍ୟ ହେବ। ଯେଉଁମାନେ ଯିବେ ତାର ତାଲିକା ପ୍ରସ୍ତୁତ କରିବା ସହ ରତ୍ନ ଭଣ୍ଡାର ଯାଞ୍ଚର ଭିଡିଓଗ୍ରାଫି କରାଯିବ। ରତ୍ନ ଭଣ୍ଡାର ଯାଞ୍ଚ ସମୟରେ କାନ୍ଥ ଓ ଛାତ ବିନା ଅନ୍ୟ କୌଣସି ଜିନିଷକୁ ଏହା ଭିତରକୁ ଯାଇଥିବା ବ୍ୟକ୍ତିମାନେ ଛୁଇଁପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ତେବେ କେଉଁ କେଉଁମାନେ ଭଣ୍ଡାର ଭିତରକୁ ଯିବେ, ତାହା ଚୂଡ଼ାନ୍ତ ହୋଇନାହିଁ। ଛତିଶାନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ ଆଲୋଚନା ପରେ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ନବଗଠିତ ପରିଚାଳନା କମିଟିର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଏ ନେଇ ତାରିଖ ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ ବୈଠକରେ ଏସ୍‌ଓପି ଉପରେ ଗୋଟି ଗୋଟି କରି ଆଲୋଚନା ହୋଇଥିଲା। ୫ ଘଣ୍ଟାର ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଛନ୍ତି, ରତ୍ନ ଭଣ୍ଡାର ଖୋଲିବା ଚୂଡ଼ାନ୍ତ ହୋଇଥିବା ବେଳେ କେଉଁ କେଉଁମାନେ ଏହା ଭିତରକୁ ଯିବେ ତାହା ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗର ମିଳିତ ଆଲୋଚନା ପରେ ସ୍ଥିର ହେବ। ଆଇନ ବିଭାଗକୁ ସେମାନଙ୍କ ନାଁ ଓ ଠିକଣା ଦିଆଯିବ। ଆପାତତଃ ଆସନ୍ତାକାଲି କିମ୍ବା ତହିଁ ପରଦିନ ଏହି ତାଲିକା ଜଣାପଡ଼ିବ। ଯେଉଁମାନେ ରତ୍ନ ଭଣ୍ଡାରକୁ ଯିବେ ସେମାନଙ୍କ ଫେକ୍ସି, ସ୍କାନିଂ ଆଦି କରାଯିବ। ଏମାନେ କୌଣସି ନିଜସ୍ୱ ଜିନିଷ ନେଇପାରିବେ ନାହିଁ। କୌଣସି ମେଟାଲ୍‌ ଅବା ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ ନେବା ଉପରେ ବି କଟକଣା ଜାରି କରାଯାଇଛି। ଯେଉଁମାନେ ଯିବେ ସେମାନଙ୍କ ପାଇଁ ଆବଶ୍ୟକ ସମସ୍ତ ଜିନିଷ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇଦେବ। ଗାମୁଛାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ଶ୍ରୀମନ୍ଦିର ପ୍ରଶାସନ ଦେବ।

ରତ୍ନ ଭଣ୍ଡାର ଯାଞ୍ଚ ପ୍ରକ୍ରିୟାର ପୂର୍ଣ୍ଣାଙ୍ଗ ଭିଡିଓଗ୍ରାଫି କରାଯିବ। ଭଣ୍ଡାରରେ ପ୍ରବେଶ ଠାରୁ ବାହାରକୁ ବାହାରିବା ଯାଏ ପ୍ରତିଟି ମୁହୂର୍ତ୍ତର ଭିଡିଓଗ୍ରାଫି କରାଯିବ। କେବଳ କାନ୍ଥ ଓ ଛାତର ଭିଡିଓଗ୍ରାଫି କରାଯିବ। ରତ୍ନ ଭଣ୍ଡାର ଭିତରେ ରହିଥିବା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷର ଭିଡିଓଗ୍ରାଫି କରାଯିବ ନାହିଁ। ଏହି ଭିଡିଓକୁ ସାର୍ବଜନୀନ କରାଯିବ ନାହିଁ। ଭବିଷ୍ୟତ କାମ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ସଂରକ୍ଷିତ ରଖିବ। ସେହିଭଳି ଯେଉଁମାନେ ରତ୍ନ ଭଣ୍ଡାର ଭିତରକୁ ଯିବେ, ସେମାନେ କେବଳ କାନ୍ଥ, ଛାତ ଛଡ଼ା ଅନ୍ୟ କୌଣସି ଜିନିଷକୁ ସ୍ପର୍ଶ କରିପାରିବେ ନାହିଁ। କେବଳ ଯାହା ସ୍ୱଚକ୍ଷୁରେ ଦେଖିବେ। ସେହିଭଳି ରତ୍ନଭଣ୍ଡାର ଯାଞ୍ଚ ସମୟରେ ପୁଲିସ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ପରିଚାଳନା କମିଟି ପ୍ରସ୍ତାବ ଦେଇଛି। କିଛି ଗଣମାଧ୍ୟମ ସାପଧରାଳି ଉପରେ ଆଜି ଖବର ପ୍ରକାଶ କରିଛନ୍ତି। ସାପଧରାଳି ବି ସାଙ୍ଗରେ ନେଇ ଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି। ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଜେନା, ଆରକ୍ଷୀ ଅଧୀକ୍ଷକ ଡା. ସାର୍ଥକ ଷଡଙ୍ଗୀଙ୍କ ସମେତ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର