ପୁରୀ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ଵ ନେବାର ପ୍ରଥମ ଦିନରେ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆକ୍ସନ ମୁଡ୍ରେ କାମ ଆରମ୍ଭ କରିଛନ୍ତି। ମରାମତିକୁ ପ୍ରାଥମିକତା ଦେଇଛନ୍ତି। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ଵ ନେଇଥିବା ଭାରତୀୟ ପ୍ରତ୍ନତାତ୍ତ୍ଵିକ ସଂସ୍ଥାକୁ (ଏଏସ୍ଆଇ)କୁ ତାଗିଦ୍ କରିଛନ୍ତି।
ବିଳମ୍ବ କଲେ ଚଳିବ ନାହିଁ, କାମ କେବେ ସାରିବ ତାର ଏକ ନକ୍ସା ପ୍ରସ୍ତୁତ କରି ତୁରନ୍ତ ଜଣାଅ ବୋଲି ତାଗିଦ କରିଛନ୍ତି। ମୁଖ୍ୟ ପ୍ରଶାସକଙ୍କ ତାଗିଦ୍ ପରେ ଏଏସ୍ଆଇ କର୍ତୃପକ୍ଷ ମଧ୍ୟ ତୁରନ୍ତ ଶ୍ରୀମନ୍ଦିର ମରାମତିକୁ ନେଇ ଏକ ଖସଡା ପ୍ରସ୍ତୁତ କରିଛି। ଜଗମୋହନ ଓ ନାଟମଣ୍ଡପର ସଂଯୋଗ ସ୍ଥଳ ମରାମତି କାର୍ଯ୍ୟ ରଥଯାତ୍ରା ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଛି।
ସେହିଭଳି ଗ୍ରାଉଟିଂ ଓ ଷ୍ଟିଲ୍ ବିମ୍ ସ୍ଥାପନ କରାଯିବା ନେଇ ଆଲୋଚନା ହୋଇଛି। ବର୍ତ୍ତମାନ ଆନୁସଙ୍ଗିିକ କାମ ଶେଷ ହେବା ପରେ ଗୁଣ୍ଡିଚା ପରଦିନ ଠାରୁ ନିଳାଦ୍ରୀ ବିଜେ ମଧ୍ୟରେ ଏହି କାମ ସାରିବାକୁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି।
ଗତକାଲି ଏହି ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଭାରତ ସରକାରଙ୍କ ପ୍ରତ୍ନତାତ୍ତ୍ଵିକ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମରାମତି ନେଇ ଏକ ଆକ୍ସନ ପ୍ଲାନ ( କାର୍ଯ୍ୟ ଖସଡା) ପ୍ରସ୍ତୁତ କରାଯାଇଛି।
ଚଳିତ ମାସ ୨୫ ତାରିଖ ପୂର୍ବରୁ ନାଟମଣ୍ଡପର ଗରୁଡ ସ୍ତମ୍ଭ ନିକଟସ୍ଥ ଗ୍ରିଲରେ ଲାଗିଥିବା ଭାରା ଖୋଲାଯିବ। ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିିମା, ପହଣ୍ଡି ଓ ଅନ୍ୟାନ୍ୟ ନୀତି ଥିବାରୁ ଏହି ଭାରା ଖୋଲିବାକୁ ନିଷ୍ପତ୍ତି ହୋଇଛି। ରଥଯାତ୍ରା ଭିତରେ ନାଟମଣ୍ଡପର ଭିତର ପାର୍ଶ୍ୱର କଲମ, ବିମ୍, କାନ୍ଥ ଓ ଛାତର ସ୍ଥିତି ଯାଞ୍ଚ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।