ଗର୍ଭଗୃହ ଫଟୋ ଭାଇରାଲ ପ୍ରସଂଗରେ ଜବାବ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ

ହାଇକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ମରାମତି ମାମଲା

ପରିସରରେ ଥିବା ଅନ୍ୟ ମନ୍ଦିର ଗୁଡ଼ିକର ମରାମତି ସଂପର୍କରେ ଏଏସ୍‌ଆଇର ସତ୍ୟପାଠ ଦାଖଲ

କଟକ : ଶ୍ରୀଜଗନ୍ନାଥ ମନ୍ଦିର ଗର୍ଭ ଗୃହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଶ୍ରୀଜଗନ୍ନାଥ ମନ୍ଦିର ମରାମତି ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଏହି ଘଟଣା ପ୍ରସଂଗରେ ମଧ୍ୟ ଶୁଣାଣି ହୋଇଥିଲା। ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ କଣ ପଦକ୍ଷେପ ନେଇଛି ଖଣ୍ଡପୀଠ ଜାଣିବାକୁ ଚାହିଁଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିଲା ଯେ ଏହି ଫଟୋ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)ର ଲୋକଙ୍କ ପକ୍ଷରୁ ଭାଇରାଲ ହୋଇଛି। କିନ୍ତୁ ଏଏସଆଇ ପକ୍ଷରୁ ଦର୍ଶାଯାଇଥିଲା ଯେ ଧାନବାଦସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଫର୍‌ ମାଇନିଂ ଆଣ୍ଡ ଫୁଏଲରୁ ଆସିଥିବା ବରିଷ୍ଠ ବିଶେଷଜ୍ଞ ଏହି ଫଟୋ ଛାଡିଥିବା ପ୍ରାଥମିକ ତଥ୍ୟରୁ ଜଣା ପଡୁଛି। ତେବେ ଗର୍ଭଗୃହ ଫଟୋ କେଉଁ ପରିସ୍ଥିତିରେ ବାହାରକୁ ଗଲା ଓ ଏହି ପ୍ରସଂଗରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂପର୍କରେ ଡିସେମ୍ବର ୬ତାରିଖ ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଅବଗତ କରିବା ପାଇଁ ଖଣ୍ଡପୀଠ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଶୁଣାଣି ସମୟରେ ଏଏସଆଇ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଅନ୍ୟ ଛୋଟ ବଡ ମନ୍ଦିର ଗୁଡିକର ମରାମତି ସଂପର୍କରେ ସତ୍ୟପାଠ ଦାଖଲ କରାଯାଇଥିଲା। ପରିସରରେ ଥିବା ଛୋଟ ବଡ ୫୧ଟି ମନ୍ଦିର ଓ ଅନ୍ୟ କେତେକ ପୁରୁଣା ପଥର ଢାଞ୍ଚା ମଧ୍ୟରୁ କେତେକର ମରାମତି କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ କେତେକର ଡିଜାଇନ୍‌ ମଞ୍ଜୁର ପାଇଁ ଏଏସଆଇ ଡିଜିଙ୍କ ନିକଟକୁ ପଠା ଯାଇଛି ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଜୟବିଜୟ ଦ୍ୱାର ନିକଟରେ ଦୁର୍ବଳ ହୋଇ ପଡିଥିବା ଛାତର ମରାମତି ପାଇଁ ନିରୂପଣ କରାଯାଇଥିବା ସ୍ଥାନ ପ୍ରଦାନ ପ୍ରସଂଗରେ ପକ୍ଷ ରଖିବାକୁ ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ଅଧିକ ସମୟ ଲୋଡା ଯାଇଥିଲା। ଡିସେମ୍ବର ୬ ତାରିଖ ସୁଦ୍ଧା ଏ ପ୍ରସଂଗରେ ସତ୍ୟପାଠ ଜରିଆରେ ଜବାବା ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ଓ ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର