ଶ୍ରୀମନ୍ଦିରର ଗୁପ୍ତ ଫଟୋ ଭାଇରାଲ ପ୍ରସଙ୍ଗ : ଏଏସ୍‌ଆଇକୁ ରିପୋର୍ଟ ତଲବ

ପୁରୀ : ଏଏସ୍‍ଆଇ ଦ୍ଵାରା ସ୍ୱୀକୃତିପ୍ରାପ୍ତ ସିଏମ୍‍ଏଫ୍‍ଆରଆଇର ବୈଜ୍ଞାନିକ ସଦାନନ୍ଦ ଶର୍ମା ଶ୍ରୀମନ୍ଦିର ଗର୍ଭଗୃହର ଗୁପ୍ତ ଫଟୋ ସୋସିଆଲ ମିଡିଆରେ ଅପ୍‍ଲୋଡ଼୍‍ କରିବା ପ୍ରସଙ୍ଗ ନୂଆ ମୋଡ଼ ନେଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଜି ଏଏସ୍‍ଆଇକୁ ନୋଟିସ୍‍ ଜାରି କରିଛନ୍ତି।  ଏଏସଆଇ ହାତରେ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ରହିଥିବା ଥିବା ବେଳେ ଫଟୋ ଉଠାଇବା ପାଇଁ ଏହା ଏକମାତ୍ର ସ୍ୱୀକୃତିପ୍ରାପ୍ତ ସଂସ୍ଥା। ଏହି ସଂସ୍ଥା କେବଳ ସଂରକ୍ଷଣ ଓ ମରାମତି ପାଇଁ ଫଟୋ ଉଠାଇବା ସହ ଏହି ଫଟୋ କେବଳ ଶ୍ରୀମନ୍ଦିର ପ୍ରଶାସନକୁ ରେକର୍ଡ଼ ପାଇଁ ଦେବାକୁ ନିୟମ ରହିଛି। କେଉଁ ପରିସ୍ଥିତିରେ ଏଏସ୍‍ଆଇ ଦ୍ଵାରା ସ୍ୱୀକୃତିପ୍ରାପ୍ତ ଏହି ସଂସ୍ଥାର ବୈଜ୍ଞାନିକ ଫଟୋ ଉଠାଇଲେ ଏବଂ ଫଟୋକୁ ସୋସିଆଲ ମିଡ଼ିଆରେ ସାର୍ବଜନୀନ କଲେ ତିନିଦିନ ମଧ୍ୟରେ ଏହାର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହ ଅପ୍‍ଲୋଡ଼୍‍ କରିବା ପାଇଁ ତାଙ୍କୁ କିଏ ସ୍ୱୀକୃତି ଦେଲା, ଏଏସ୍‍ଆଇର ସ୍ୱୀକୃତିପ୍ରାପ୍ତ ଫଟୋଗ୍ରାଫର ଫଟୋ ନ ଉଠାଇ କାହିଁକି ସେ ବ୍ୟକ୍ତିଗତ ଫଟୋ ଉଠାଇଲେ ତାର ଉତ୍ତର ରଖିବାକୁ କୁହାଯାଇଛି। ଏଏସ୍‍ଆଇ ଶ୍ରୀମନ୍ଦିର ଦାୟିତ୍ଵରେ ଥିବାରୁ ସେ କଣ କାର୍ଯ୍ୟାନୁଷ୍ଠାନ ନେଇଛି ତାହା ମଧ୍ୟ ଜଣାଇବାକୁ କୁହାଯାଇଛି।  ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ କଣ ବ୍ୟବସ୍ଥା କରାଯାଇଛି ତାହା ମଧ୍ୟ ଜଣାଇବାକୁ କୁହାଯାଇଛି। ଏଏସ୍‍ଆଇ ଅଧୀନରେ ଯେଉଁ ସବୁ ସଂସ୍ଥା କାମ କରୁଛନ୍ତି ସେ ସଂସ୍ଥାଠାରୁ ଏ ବାବଦରେ ଲିଖିତ ଭାବେ ଅଣ୍ଡର ଟେକିଂ ରଖିବା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି। ୩ ଦିନ ମଧ୍ୟରେ ଏହି ସବୁର ଉତ୍ତର ରଖିବା ପାଇଁ ଏଏସ୍‍ଆଇକୁ ଚିଠି ଲେଖାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ଏଏସ୍‍ଆଇ ପ୍ରତ୍ନତାତ୍ତ୍ଵିକ ଅଧୀକ୍ଷକଙ୍କୁ ଏହି ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର