ଶ୍ରୀମନ୍ଦିର ସୁରକ୍ଷା ଏତେ ଢିଲା : କାହା ନିୟନ୍ତ୍ରଣରେ କେହି ନାହାନ୍ତି, ସୁରକ୍ଷା ପ୍ରଶାସକ ପଦବି କେବଳ ଆଳଙ୍କାରିକ

ଏସ୍‌ପିଙ୍କ ନିୟନ୍ତ୍ରଣରେ ନାହାନ୍ତି ସୁରକ୍ଷା ପ୍ରଶାସକ, ଅନ୍ୟ କାମରେ ବ୍ୟସ୍ତ ଜେଟିପି, ସିଂହଦ୍ୱାର ଥାନା ପ୍ରତି ନିଘା ନାହିଁ, ସଂସ୍କାର କମିସନଙ୍କ ରିପୋର୍ଟ ପରେ ବି ସରକାର ଚୁପ୍‌

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ନେଇ ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲାଣି। ଏହି ପ୍ରସଙ୍ଗରେ କିଏ ସେବାୟତଙ୍କୁ ଦୋଷ ଦେଲାଣି ତ ଆଉ କିଏ ଧୂଳିଆ ଗୁମାସ୍ତାଙ୍କୁ। ସମଗ୍ର ରାଜ୍ୟ ପଡୁଛି ଉଠୁଛି। ଯିଏ ଯାହାକୁ ପାରିଲେ ଦୋଷ ଦେବାରେ ଲାଗିଛନ୍ତି।

ହେଲେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ କିଏ ନିଭାଉଛି? ପ୍ରଶାସକ (ସୁରକ୍ଷା)ଙ୍କୁ କ୍ଷମତା ଦିଆଯାଇଛି କି? ରାଜ୍ୟର ସବୁଠାରୁ ବଡ଼ ଥାନାର ମାନ୍ୟତା ପାଇଥିଲେ ହେଁ, ସିଂହଦ୍ୱାର ଥାନାରେ ଯେତିକି ପଦବି ଅନୁମୋଦନ ଦିଆଯାଇଛି, ସରକାର ନିଯୁକ୍ତି ଦେଲେଣି? ଶ୍ରୀଜଗନ୍ନାଥ ମନ୍ଦିର ପୁଲିସ (ଜେଟିପି)କୁ ଆମ ବ୍ୟବସ୍ଥାରେ କଣ କ୍ଷମତା ଦିଆଯାଇଛି? ପୁରୀ ଏସ୍‌ପି ପ୍ରତ୍ୟକ୍ଷ ନିୟନ୍ତ୍ରଣ କରୁଛନ୍ତି?

ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିଲେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ଫାଙ୍କ ଜଳ ଜଳ ହୋଇ ପଦାକୁ ଦିଶୁଛି। ସମସ୍ତେ ତମ୍ବିତୋଫାନ କରୁଥିଲେ ହେଁ, ଆଇନରେ ଏ ନେଇ ଆବଶ୍ୟକ ସଂଶୋଧନ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର କମିସନ ଅଧ୍ୟକ୍ଷ ଜଷ୍ଟିସ ବିମଳ ପ୍ରସାଦ ଦାସ ତାଙ୍କ ପ୍ରାରମ୍ଭିକ ରିପୋର୍ଟରେ ଏ ସଂପର୍କରେ ସରକାରଙ୍କୁ ଯଥେଷ୍ଟ ସତର୍କ କରାଇଛନ୍ତି। ରାଜ୍ୟ ସରକାର କିନ୍ତୁ ଏହା ଉପରେ କୌଣସି ପଦକ୍ଷେପ ନେଇଥିବା ଏଯାଏ ଜଣାପଡିନାହିଁ।

ପରିଣାମ ହେଲା, ଶ୍ରଦ୍ଧାଳୁଙ୍କୁ ଅସମ୍ମାନ କାରଣରୁ ଶ୍ରୀମନ୍ଦିର କେବଳ ବିବାଦକୁ ଆସୁଛି ତା ନୁହେଁ, ଏଭଳି ଢିଲାପଣ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ମଧ୍ୟ ଯେ କୌଣସି ମୁହୂର୍ତରେ ବିପଦ ସୃଷ୍ଟି କରିପାରେ।

ଉଲ୍ଲେଖଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫କୁ ଶେଷଥର ପାଇଁ ରାଜ୍ୟ ସରକାର ୨୦୦୪ ମସିହାରେ ସଂଶୋଧନ କରିଥିଲେ। ଏଥିରେ ମୁଖ୍ୟ ପ୍ରଶାସକ ପଦବି ସୃଷ୍ଟି କରାଯାଇଥିଲା। ଜଣେ କମିସନର ପାହ୍ୟାର ଅଫିସରଙ୍କୁ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେବାକୁ ସରକାର ଆଇନରେ ସଂଶୋଧନ କରିଥିଲେ। ବିଡମ୍ବନାର ବିଷୟ ହେଉଛି, ଏଯାଏ ଏହି ପଦବିକୁ ସରକାର କା’ ଭାବେ ବ୍ୟବହାର କରିଆସିଛନ୍ତି। ସ୍ୱତନ୍ତ୍ର ଭାବେ ଜଣେ ଅଧିକାରୀଙ୍କୁ ଏହି ଦାୟିତ୍ୱ ଦିଆଯାଇନାହିଁ। ଅତିରିକ୍ତ ଭାବେ ଦାୟିତ୍ୱ ନିର୍ବାହ କାରଣରୁ କୌଣସି ବି ପ୍ରଶାସକ ପୁରୀରେ ରହୁନାହାନ୍ତି ଏବଂ ଶ୍ରୀମନ୍ଦିର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ବସ୍ତୁତଃ ସେହି ତଳିଆ ଅଧିକାରୀଙ୍କ ହାତରେ ରହିଛି, ଯେମିତି ପୂର୍ବରୁ ଚାଲୁଥିଲା।

ଏହି ସଂଶୋଧନ ସମୟରେ ରାଜ୍ୟ ସରକାର ଆଉ ଜଣେ ପ୍ରଶାସକ (ସୁରକ୍ଷା) ପଦବି ସୃଷ୍ଟି କରିଥିଲେ। ଅତିରିକ୍ତ ଏସ୍‌ପି ପାହ୍ୟାର ଜଣେ ଅଫିସରଙ୍କୁ ଏଥିରେ ନିଯୁକ୍ତି ଦେବା ପାଇଁ ସ୍ଥିର ହୋଇଛି। ସରକାର ଏହି ପାହ୍ୟାର ଜଣେ ଅଫିସରଙ୍କୁ ମଧ୍ୟ ନିଯୁକ୍ତି ଦେଇ ଚାଲିଛନ୍ତି। ହେଲେ ଆଇନରେ ଏହି ପ୍ରଶାସକଙ୍କ ଦାୟିତ୍ୱକୁ ଠିକଣା ଭାବେ ବର୍ଣ୍ଣନା କରାଯାଇନାହିଁ। କୌତୂହଳର କଥା ହେଲା, ଆଜି ଦିନ ପର୍ଯ୍ୟନ୍ତ ସଂପୃକ୍ତ ପ୍ରଶାସକ (ସୁରକ୍ଷା) ଆଇନ ବିଭାଗ ଅଧୀନକୁ ଡେପୁଟେସନ୍‌ରେ ଯାଉଛନ୍ତି ଓ ସେଠାରୁ ବି ତାଙ୍କୁ ଦରମା ମିଳୁଛି। ଥରେ ନିଜ ବିଭାଗରୁ ଗଲା ପରେ ତାଙ୍କ କଥା ପୁଲିସ ଅଧିକାରୀ କାହିଁକି ଶୁଣିବେ?

କେବଳ ସେତିକି ନୁହେଁ, ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। ପୁରୀ ଏସ୍‌ପି ପ୍ରତ୍ୟକ୍ଷ ଭାବେ ଶ୍ରୀମନ୍ଦିର ବ୍ୟବସ୍ଥାର ତଦାରଖ କରିବା କଥା। ହେଲେ ପ୍ରଶାସକ (ସୁରକ୍ଷା) ଜିଲ୍ଲା ଏସ୍‌ପିଙ୍କ ନିୟନ୍ତ୍ରଣରେ ନାହାନ୍ତି। ଏସ୍‌ପି ଚାହିଁଲେ ବି ତାଙ୍କ କାର୍ଯ୍ୟ ତଦାରଖ କରିପାରିବେ ନାହିଁ କିମ୍ବା ପ୍ରଶାସନିକ ଦୃଷ୍ଟିରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ନେବାର କ୍ଷମତା ତାଙ୍କୁ ଦିଆଯାଇନାହିଁ। ସୁତରାଂ ଶ୍ରୀମନ୍ଦିର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଏସ୍‌ପିଙ୍କୁ କିଭଳି ଉତ୍ତରଦାୟୀ କରାଯିବ।

ସେହିଭଳି ସୁରକ୍ଷା ପ୍ରଶାସକଙ୍କ ଅଧୀନରେ ଜେଟିପି ପ୍ରମୁଖ ଅଛନ୍ତି। ମନ୍ଦିରରେ ଶହେ ସରିକି ବ୍ୟକ୍ତିଙ୍କୁ ଏହି ପଦବିରେ ରଖାଯାଇଛି। ହେଲେ ଜେଟିପିଙ୍କୁ ପୁଲିସ କ୍ଷମତା ଦିଆଯାଇନାହିଁ। କିଛି ଜେଟିପି ଚର୍ଚ୍ଚା ଭାବେ ବ୍ୟବହାର ହୋଇଥାନ୍ତି। ଅନ୍ୟମାନେ ମଧ୍ୟ ଠାକୁରଙ୍କ ରୀତି ନୀତି ସହିତ ଅର୍ଥାତ୍‌ ଦୁଆର ଜଗା, ସେବା ପୂଜା ଆଦି କାର୍ଯ୍ୟରେ ସଂପୃକ୍ତ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୋପାଳ ଚନ୍ଦ୍ର ନନ୍ଦ ପୁଲିସ ଡିଜି ଥିବା ବେଳେ ସିଂହଦ୍ୱାର ଥାନାକୁ ରାଜ୍ୟର ବଡ଼ ଥାନାର ମାନ୍ୟତା ଦିଆଯାଇଥିଲା। ଏହି ଥାନା ଲାଗି ପଚାଶ କି ଶହେ ନୁହେଁ, ୨୭୦ ଜଣ ପୁଲିସ କର୍ମଚାରୀଙ୍କ ନିଯୁକ୍ତି ପାଇଁ ଅନୁମୋଦନ ରହିଛି। ଏହା ଭିତରେ ଦୁଇଟି ଇନ୍‌ସପେକ୍ଟର ପାହ୍ୟାର ପଦବି ରହିଛି।

ଆଜି ଦିନରେ ଶ୍ରୀମନ୍ଦିର ଥାନାରେ ହିଁ ଶ୍ରଦ୍ଧାଳୁ ଭକ୍ତ ଆଦି ଅଭିଯୋଗ କରୁଛନ୍ତି। ଆଇନ ଶୃଙ୍ଖଳା ବି ଏମାନେ ତଦାରଖ କରୁଛନ୍ତି। ହେଲେ ଏହି ଥାନାର ପଦବି ସଂଖ୍ୟା କେତେ? ଖବର ଅନୁସାରେ ଜଣେ ମାତ୍ର ଇନ୍‌ସପେକ୍ଟର ଅଛନ୍ତି। ୨୩ଟି ସବ୍‌ଇନସପେକ୍ଟର ରହିବା ଜାଗାରେ ଅଛନ୍ତି ୨ଜଣ। ୨୨ ଏଏସ୍‌ଆଇଙ୍କ ସ୍ଥାନରେ ମାତ୍ର ୯। ୬ଟି ହାବିଲଦାର ପଦବି ପୂରା ଖାଲି। ୭୮ କନଷ୍ଟେବଳ ପଦବି ମଧ୍ୟରୁ ୩୬ ଅଛନ୍ତି।

ସିଂହଦ୍ୱାର ଥାନାଧିକାରୀ ପ୍ରଶାସକ (ସୁରକ୍ଷା)ଙ୍କ କର୍ତ୍ତୃତ୍ୱରେ ନାହାନ୍ତି। ବରଂ ସିଟି ଡିଏସ୍‌ପି ତାଙ୍କ କାର୍ଯ୍ୟ ତଦାରଖ କରୁଛନ୍ତି।

ଅର୍ଥାତ୍‌ ଆଇନରେ ଯାହାକୁ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ଦିଆଯାଇଛି, ବସ୍ତୁତଃ ତାଙ୍କୁ ସରକାର କିଛି କ୍ଷମତା ଦେଇନାହାନ୍ତି। ପୁରୀ ଶ୍ରୀମନ୍ଦିର ସୁରକ୍ଷା କାର୍ଯ୍ୟ ଏସ୍‌ପି ପ୍ରତ୍ୟକ୍ଷ ଭାବେ ବୁଝୁଥିଲେ ହେଁ, ସୁରକ୍ଷା ପ୍ରଶାସକଙ୍କ ସହିତ କିଛି ବି ସଂପର୍କ ନାହିଁ।

ଆଇନର ଏତେ ଫାଙ୍କ ଥାଇ ପୁରୀ ଶ୍ରୀମନ୍ଦିରର ସୁରକ୍ଷା କିଭଳି ସଶକ୍ତ ହେବ? ଶ୍ରଦ୍ଧାଳୁଙ୍କୁ କିଭଳି ସୁରକ୍ଷା ମିଳିବ?

ଜଷ୍ଟିସ ବିମଳ ପ୍ରସାଦ ଦାସ କମିସନଙ୍କ ନିକଟରେ ମଧ୍ୟ ଏ ନେଇ ସତ୍ୟପାଠ ଦାଖଲ ହୋଇଥିଲା। ରାଜ୍ୟ ସରକାର କମିସନଙ୍କ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିନାହାନ୍ତି କିମ୍ବା ଏହା ଉପରେ କୌଣସି ପଦକ୍ଷେପ ନେଇଥିବା କଥା ଜଣାଇନାହାନ୍ତି। ମାତ୍ର କମିସନ ମଧ୍ୟ ତାଙ୍କ ରିପୋର୍ଟରେ ଏ ନେଇ ଯଥେଷ୍ଟ ସତର୍କ ସୂଚନା ଦେଇଥିବା ଖବର ମିଳୁଛି।

ସମ୍ବନ୍ଧିତ ଖବର