ଅର୍ଥ ବିଭାଗ ମୁଣ୍ଡରେ ଅଠା ବୋଳିଲା ମନ୍ଦିର ପ୍ରଶାସନ, ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣରଙ୍କୁ ଭେଟିବେ ସେବାୟତ

ୟେସ୍‌ ବ୍ୟାଙ୍କରେ ଟଙ୍କା ରଖିବାକୁ ଅର୍ଥ ବିଭାଗ ଲେଖିଛି ଚିଠି! ଅର୍ଥ କମିଟି, ଇନ୍‌ଭେଷ୍ଟମେଣ୍ଟ୍‌ ଅଗୋଚରରେ କାରବାର

ପୁରୀ: ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା କିଏ ରଖିଛନ୍ତି ତାକୁ ନେଇ ଅଧିକାରୀ-ଅଧିକାରୀଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି। ଆଜି ଏ ସଂପର୍କରେ ଜଣେ ସଚିବ କହିଛନ୍ତି କି ସରକାର କାହାକୁ ୟେସ୍ ବ୍ୟାଙ୍କରେ ଟଙ୍କା ରଖିବାକୁ ନିର୍ଦ୍ଦେଶ ଦେଇନାହାନ୍ତି, ଯିଏ ବି ରଖିଛନ୍ତି ନିଜ ନିଜ ସ୍ତରରେ ସୁବିଧା ଦେଖି ଜମା ରଖିଛନ୍ତି। ସମସ୍ତେ ନିଜ ନିଜର ଦୋଷ ଝାଡ଼ିବାକୁ ଉଦ୍ୟମ କରୁଥିବା ବେଳେ ଏ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଶ୍ରୀମନ୍ଦିରର ପ୍ରଶ‌ାସନ ଅର୍ଥ ସବ୍‌ କମିଟିର ଏକ ଚିଠିରୁ ଏହା ସ୍ପଷ୍ଟ ହୋଇଛି। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ମହାପ୍ରଭୁଙ୍କ ଟଙ୍କାକୁ ୟେସ୍ ବ୍ୟାଙ୍କରେ ରଖିବାକୁ ନିର୍ଦ୍ଦେଶ ଦେଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଏ ଚିଠି କହୁଛି କି, ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ଚିଠି ବଳରେ ମହାପ୍ରଭୁଙ୍କ ସବୁତକ ଟଙ୍କା ୟେସ୍ ବ୍ୟାଙ୍କରେ ହିଁ ଜମା କରାଯାଇଛି।

ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣରଙ୍କୁ ଭେଟିବେ ସେବାୟତ
ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରଖାଯିବା ପ୍ରସଙ୍ଗକୁ ସେବାୟତମାନେ ଗୁରୁତ୍ବର ସହ ନେଇଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ସଦସ୍ୟ ଖୁବ୍‌ଶୀଘ୍ର ମହାପ୍ରଭୁଙ୍କ ଟଙ୍କା ଫେରାଇ ଆଣିବାକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଭେଟିବେ ବୋଲି ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାଶମହାପାତ୍ର କହିଛନ୍ତି। ମହାପ୍ରଭୁଙ୍କ ଟଙ୍କାଟିଏ ଯେମିତି ନ ବୁଡ଼ିବ ସେଥିପାଇଁ ସେମାନେ ଉଦ୍ୟମ କରିବେ ବୋଲି କହିଛନ୍ତି।

ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଗତ ୧୦/୧୦/୨୦୧୮ ଚିଠି ସଂଖ୍ୟା ୩୨୬୪୮ ଓ ୨୦/୭/୨୦୧୯ରେ ଚିଠି ସଂଖ୍ୟା ୨୪୭୦୫ ବଳରେ ହିଁ ମହାପ୍ରଭୁଙ୍କ ସବୁତକ ଟଙ୍କା ୟେସ୍ ବ୍ୟାଙ୍କରେ ଜମା ରହିଛି। ମହାପ୍ରଭୁଙ୍କ ସର୍ବମୋଟ ୫୯୨ କୋଟି ଟଙ୍କା ବିଭିନ୍ନ ଦଫାରେ ଜମା କରାଯାଇଥିବା ଦର୍ଶାଯାଇଛି। ମହାପ୍ରଭୁଙ୍କ ପାଣ୍ଠିରୁ ସ୍ଥାୟୀ ଜମାରେ ୫୪୫ କୋଟି ଟଙ୍କା ଓ ଫେକ୍ସିଫିକସ ଆକାଉଣ୍ଟରେ ୪୭ କୋଟି ଟଙ୍କା ଜମା କରାଯାଇଥିଲା। ମନ୍ଦିର ପ୍ରଶାସନର ମୋଟ ୬ଟି ବ୍ୟାଙ୍କ ଆକାଉଣ୍ଟ୍‌ରେ ସବୁତକ ଟଙ୍କା ଜମା କରାଯାଇଛି। ୨୦୧୯ ମାର୍ଚ୍ଚ ୧୯ରେ ୮.୬୧ ସୁଧହାରରେ ୩୭୧ କୋଟି ଟଙ୍କା, ମାର୍ଚ୍ଚ ୨୫ରେ ୮.୫୬ ସୁଧହାରରେ ୩୩ କୋଟି ଟଙ୍କା, ସେହି ମ‌ାସ ୨୯ ତାରିଖରେ ୮.୪୫ ସୁଧହାର‌ରେ ୧୨୩ କୋଟି ଟଙ୍କା ଜମା କରାଯାଇଛି। ସେହି ୨୯ ତାରିଖରେ ଅନ୍ୟ ଏକ ଆକାଉଣ୍ଟରେ ୮.୩୫ ସୁଧହାରରେ ୧୦ କୋଟି ଟଙ୍କା ଜମା କରାଯାଇଥିଲା। ସେହିଭଳି ସେପ୍ଟେମ୍ବର ୩୦ ତାରିଖରେ ୭.୪୦ ସୁଧ ହାରରେ ୧୮ କୋଟି ଟଙ୍କା, ସେହିଦିନ ଅନ୍ୟ ଏକ ଆକାଉଣ୍ଟରେ ୭.୬୦ ସୁଧହାରରେ ୩୭ କୋଟି ଟଙ୍କା ଜମା କରାଯାଇଥିଲା। ଏହିଭଳି ଶ୍ରୀମନ୍ଦିର ପ୍ରଶାସନର ୬ଟି ଆକାଉଣ୍ଟରେ ୫୯୨ କୋଟି ଟଙ୍କା ଜମା ରଖାଯାଇଥିବା କଥା ଚିଠିରୁ ସ୍ପଷ୍ଟ ହୋଇଛି। ଏଥିରେ ଶ୍ରୀଜଗନ୍ନାଥ ମନ୍ଦିର ପାଣ୍ଠିର ୨୪୪.୬୦ କୋଟି, ଶ୍ରୀଜଗନ୍ନାଥ ମନ୍ଦିର କର୍ପସ ପାଣ୍ଠିର ୨୫୫.୬୬ କୋଟି ଓ ଶ୍ରୀଜଗନ୍ନାଥ ଫାଉଣ୍ଡେସନ୍‌ ଫଣ୍ଡ୍‌ର ୯୧.୭୪ କୋଟି ଟଙ୍କା ଜମା କରାଯାଇଛି। ମୋଟ ସୁଧହାର ୭.୪୦ରୁ ୮.୬୧ ମଧ୍ୟରେ ରହିଛି। ତେବେ ଡିସେମ୍ବର ୨୦ ତାରିଖ ପରିଚାଳନା କମିଟିରେ ଏ ସଂପର୍କରେ ଆଲୋଚନା ହେବା ପରେ ଗତ ଜାନୁଆରି ୧୩ ତାରିଖରେ ୪୭ କୋଟି ଟଙ୍କା ଉଠାଣ କରାଯାଇ ୟୁକୋ ବ୍ୟାଙ୍କରେ ରଖାଯାଇଛି। ମାତ୍ର ଅବଶିଷ୍ଟ ଟଙ୍କାକୁ ଉଠାଇ ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କରେ ଜମା କରିବାକୁ କୁହାଯାଇଥିଲେ ବି ପ୍ରଶାସନ ଏହା କରି ନାହିଁ। ପ୍ରଶାସନର ଏହି ଅଣଦେଖା ନୀତି ‌ଯୋଗୁଁ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ଏବେ ବୁଡ଼ିଯିବା ନେଇ ଆଶଙ୍କା ପ୍ରକାଶପାଇଛି। ପୁରୀ ଘଟଣାକୁ ନେଇ ତିରୁପତି ମନ୍ଦିର କର୍ତ୍ତୃପକ୍ଷ ସତର୍କତାର ସହିତ ୧୩୦୦ କୋଟି ଉଠାଇ ନେଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ କିନ୍ତୁ ମାଚ୍ୟୁରିଟି ପୂରଣ ହୋଇ ନଥିବାରୁ ଟଙ୍କା ଉଠାଇ ନଥିଲା। ତେବେ ଏହି ଟଙ୍କା କାରବାର କଲା ବେଳେ ଶ୍ରୀମନ୍ଦିରର ତତ୍କାଳୀନ ମୁଖ୍ୟ ପ୍ରଶାସକ, ଚାଟାର୍ଡ ଆକାଉଣ୍ଟାଣ୍ଟ ବା ପରିଚାଳନା କମିଟି ସଦସ୍ୟ ତାଙ୍କର ସ୍ବତନ୍ତ୍ର କ୍ଷମତା ‌ବଳରେ ପରିଚାଳନା କମିଟି, ଅର୍ଥ ସବ୍‌ କମିଟିକୁ ଅନ୍ଧାରରେ ରଖି ଏହି କାରବାର କରିଥିଲେ।

ଅର୍ଥ ବିଭାଗର ଚିଠିକୁ ଆଳ କରି ଏହି ଟଙ୍କା ଜମା କରାଯାଇଥିଲା। ତେବେ ମହାପ୍ରଭୁଙ୍କ ହୁଣ୍ଡି ଟଙ୍କା ରହୁଥିବା ଜଗନ୍ନାଥ ଫାଉଣ୍ଡେସନ୍‌ ଫଣ୍ଡର ଜମା ଥିବା ୯୧ କୋଟି ଟଙ୍କା କେଉଁ କ୍ଷମତା ବଳରେ ପ୍ରଶାସକ ଉଠାଇଥିଲେ ତାକୁ ନେଇ ଏବେ ଅନ୍ୟ ପରିଚାଳନା କମିଟିର ସଦସ୍ୟ ପ୍ରଶ୍ନ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ଏଥିପାଇଁ ରହିଥିବା ଇନ୍‌ଭେଷ୍ଟମେଣ୍ଟ୍ କମିଟିର ମଧ୍ୟ ପରାମର୍ଶ ନିଆଯାଇନାହିଁ। ମନମାନୀ କରି ଏ ଟଙ୍କା ଜମା କରାଯାଇଛି। ସବୁ ଆଇନକାନୁନ୍‌କୁ ଫାଙ୍କିଥିବା ଅଧିକାରୀଙ୍କୁ ସରକାର ଘଣ୍ଟ ଘୋଡ଼ାଉଥିବା ସାଧାରଣରେ ଅଭିଯୋଗ ହୋଇଛି। ସରକାର ଏହାର ନିର‌ପେକ୍ଷ ତଦନ୍ତ କରାଇବାକୁ ଦାବି ହୋଇଛି। ମହାପ୍ରଭୁଙ୍କ ସମସ୍ତ ପାଣ୍ଠିକୁ ଗୋଟିଏ ବ୍ୟାଙ୍କରେ ରଖିବାକୁ ଆଇନସମ୍ମତ ହୋଇନଥିବା ବେଳେ କେଉଁ ଆଇନରେ ‌ସବୁ ଟଙ୍କା ଗୋଟିଏ ବ୍ୟାଙ୍କରେ ରଖାଯାଇଛି ତା’ର ମଧ୍ୟ ତଦନ୍ତ କରିବାକୁ ଦାବି ହୋଇଛି। ସେପଟେ ସବୁତକ ଟଙ୍କା ୟେସ୍ ବ୍ୟାଙ୍କ ରଖିବା ପଛରେ ହୋଇଥିବା କମିସନି କାରବାରକୁ ଲୋକଲୋଚନକୁ ଆଣିବା ଓ ସଂପୃକ୍ତ ଅଧିକାରୀଙ୍କୁ ତଦନ୍ତ ପରିସରକୁ ନେବାକୁ ଏବେ ବିଭିନ୍ନ ମହଲରେ ଦାବି ଉଠିଛି।

 

ସମ୍ବନ୍ଧିତ ଖବର