ପୁରୀ:ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଜି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅନୁମୋଦନ କରାଯାଇଛି। ୨୦୨୦-୨୧ ବର୍ଷ ପାଇଁ ୧୫୪ କୋଟିର ବଜେଟ ପ୍ରସ୍ତୁତ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର ସୂଚନା ଦେଇଛନ୍ତି। କୋଭିଡ କଟକଣା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବାରୁ ଦାନ ବି ବନ୍ଦ ରହିଛି। ଯେଉଁଥିପାଇଁ ଚଳିତ ବର୍ଷ ଶ୍ରୀମନ୍ଦିର ଆୟ କମିଥିବା ସେ କହିଛନ୍ତି। ହିସାବ କଲେ ଆୟ ତୁଳନାରେ ବ୍ୟୟ ଢେର ଅଧିକ ଥିବା ଶ୍ରୀ କୁମାର କହିଛନ୍ତି। ଏହି ବଜେଟରେ ସେବାୟତ କଲ୍ୟାଣ ସହ ଅନ୍ୟାନ୍ୟ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି। ଏଥିସହ କାର୍ତ୍ତିକ ନୀତିକାନ୍ତି, ରୁପା ଚାଦର ଲଗାଯିବା, ନାଗାର୍ଜ୍ଜୁନ ବେଶ ଓ ଶ୍ରୀମନ୍ଦିର ଖୋଲିବା ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଶ୍ରୀ କୁମାରଙ୍କ ସହ, ଜିଲ୍ଲାପାଳ ବଲବନ୍ତ ସିଂ, ଏସପି ଆଖିଲେଶ ସିଂ ଓ ସମସ୍ତ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ।

Advertisment

ଏହି ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୫୪ କୋଟି ଟଙ୍କାର ବଜେଟକୁ ଅନୁମୋଦନ ମିଳିଛି। ମନ୍ଦିରର ଆୟ କମିଥିବା ଯୋଗୁ ବୈଠକରେ ଚିନ୍ତା ପ୍ରକଟ କରାଯାଇଥିଲା। ଏଥିଲାଗି ଅନଲାଇନ୍ ଡୋନେସନ୍ ବ୍ୟବସ୍ଥା ପ୍ରଚଳନ କରିବାକୁ ନିଷ୍ପତ୍ତି ହୋଇଛି। ଏହା ଜରିଆରେ ଭକ୍ତମାନଙ୍କୁ ମନ୍ଦିର ଲାଗି ଦାନ ପଠାଇବା ଲାଗି ଅନୁରୋଧ କରାଯିବ। ସେହିପରି ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହୋଇଛି। ଏଥି ଲାଗି  ଆଉ ୪ ସପ୍ତାହର ପ୍ରସ୍ତୁତି ଦରକାର ବୋଲି ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଛନ୍ତି । ଶ୍ରୀଜୀଉଙ୍କର ନାଗାର୍ଜୁନ ବେଶ ଲାଗି ଏଇ ଶନିବାର ସ୍ବତନ୍ତ୍ର ବୈଠକ ବସିବ ବୋଲି ଜଣାଯାଇଛି।