ପୁରୀ : ଇଂରାଜୀ ନୂଆବର୍ଷ ଉପଲକ୍ଷେ ମଧ୍ୟରାତ୍ରିରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ । ଡିସେମ୍ବର ୩୧ ତାରିଖ ରାତି ୨ଟାରେ ଦର୍ଶନ ଲାଗି ଶ୍ରୀମନ୍ଦିର ଦ୍ୱାର ଖୋଲାଯିବ । ସୋମବାର ରାତି ସାଢ଼େ ୯ଟାରେ ଶ୍ରୀମନ୍ଦିରର ପହଡ଼ ପଡ଼ିବ । ରାତି ସାଢ଼େ ୧ଟା ବେଳେ ଦ୍ୱାରା ଫିଟାଯିବ ଓ ରାତି ୨ଟାରୁ ଦର୍ଶନ କରିପାରିବେ ଭକ୍ତ । ନୂଆବର୍ଷ ପାଇଁ ଛତିଶା ନିଯୋଗ ସହ ଆଲୋଚନା କରି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ । ନୂଆବର୍ଷରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ରାତିରେ ଦର୍ଶନ ଲାଗି ବ୍ୟବସ୍ଥା କରୁଛି ଶ୍ରୀମନ୍ଦିର ପ୍ରଶାସନ ।
ଏହାପରେ ରାତି ୩ଟାରେ ଭିତର ଶୋଧ, ୩ଟା ୩୦ରେ ମଙ୍ଗଳ ଆଳତୀ, ରାତି ୪ଟାରେ ରୋଷହୋମ, ସାଢ଼େ ୪ଟାରେ ମଇଲମ ଓ ତଡ଼ପ ଲାଗି ଅନୁଷ୍ଠିତ ହେବ । ସେହିପରି ଜାନୁଆରୀ ୧ ତାରିଖ ସକାଳ ସାଢ଼େ ୬ରୁ ୭ଟା ଭିତରେ ପହିଲି ଭୋଗ ନୀତି ସମାପନ ହେବ । ଦିନ ୧୧ରୁ ୧୨ଟା ୩୦ ମଧ୍ୟରେ ଅନୁଷ୍ଠିତ ହେବ ମଧ୍ୟାହ୍ନ ଧୂପ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଦିନ ୧୧ଟାରେ ମହାପ୍ରସାଦ ବାହାରିବାର ବ୍ୟବସ୍ଥା ହୋଇଛି।
ସେପଟେ ଅଧା ରାତିରେ ଶ୍ରୀମନ୍ଦିର ଖୋଲିବାକୁ ବିରୋଧ କରିଛି ଶଙ୍କରାଚାର୍ଯ୍ୟ ମଠ ଓ ହିନ୍ଦୁ ମହାସଭା । ହିନ୍ଦୁ ନବବର୍ଷରେ ଶ୍ରୀମନ୍ଦିର ନଖୋଲି ଇଂରାଜୀ ନବବର୍ଷରେ ରାତି ଅଧରେ ଶ୍ରୀମନ୍ଦିର ଖୋଲିବାରେ କୌଣସି ଯଥାର୍ଥତା ନଥିବା କୁହାଯାଇଛି ।
ନୂଆବର୍ଷ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୫୦ ପ୍ଲାଟୁନ୍ ପୋଲିସ ମୂତୟନ ହେବା ସହ ସୁରକ୍ଷା ଦାୟିତ୍ୱରେ ରହିବେ ୫୦୦ ପୋଲିସ ଅଧିକାରୀ । ୩୦ ତାରିଖ ରାତିରୁ ୨ ତାରିଖ ସକାଳ ପର୍ଯ୍ୟନ୍ତ ରହିବ ଏହି ସୁରକ୍ଷା ବ୍ୟବସ୍ଥା ।