ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ବ୍ଲକ୍ ଫଟକି ପଞ୍ଚାୟତ ସଦର ମହକୁମାରେ ଅନୁଷ୍ଠିତ ରଥଯାତ୍ରାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଚଳିତ ବର୍ଷ ରଥ ନିର୍ମାଣ ହୋଇନପାରିବାରୁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଭକ୍ତଙ୍କ ଗହଣରେ ଚାଲି ଚାଲି ମାଉସୀ ମା’ ମନ୍ଦିରକୁ ଯାଇଛନ୍ତି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ କ୍ଷୋଭ ପ୍ରକାଶ କରିଛନ୍ତି। ଝରିଗାଁ ବନ ବିଭାଗ ରଥ ନିର୍ମାଣ ପାଇଁ ଆସୁଥିବା କାଠକୁ ଜବତ କରିବା ପରେ ରଥ ନିର୍ମାଣ ଅଟକିଥିଲା। ଗତ ଦୁଇ ମାସ ଧରି ଜବତ କାଠକୁ ଛାଡ଼ିବା ନେଇ କୌଣସି ନିଷ୍କର୍ସ ବାହାରି ନ ପାରିବାରୁ ଚଳିତ ବର୍ଷ ରଥଯାତ୍ରାରେ ଫଟକିରେ ଗଡ଼ି ପାରିନି ରଥ।
ଫଟକି ଜଗନ୍ନାଥ ମନ୍ଦିର ପୂଜା କମିଟି ସଭାପତି ଦାମୋଦର ମାଝୀଙ୍କ କହିବା ଅନୁସାରେ, ଫଟକି ଗ୍ରାମରେ ୧୦୦ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ହେବ ରଥ ଯାତ୍ରା ପାଳନ ହୋଇ ଆସୁଛି। କୋଇଲିମୁଣ୍ଡା, ତିଲିମାଳ, ଦେଓବନ୍ଦ ସମେତ ଉପାନ୍ତ ଗ୍ରାମ ବତାଝର, ଦହିମାଲବାସୀ ରଥଯାତ୍ରାକୁ ଆସି ମହାପ୍ରଭୁଙ୍କ କୃପାଲାଭ କରୁଥିଲେ। ଶହ ଶହ ଭକ୍ତଙ୍କ ଗହଣରେ ମହାପ୍ରଭୁ ରଥାରୂଢ଼ ହୋଇ ମାଉସୀ ମା’ ମନ୍ଦିରକୁ ବିଜେ କରିଥାନ୍ତି। ବହୁ ପୁରାତନ ରଥର ନବ ନିର୍ମାଣ ପାଇଁ ଚଳିତ ବର୍ଷ ଜଙ୍ଗଲରୁ କାଠ ଅଣାଯାଉଥିଲା। ଝରିଗାଁ ବନ ବିଭାଗ ରଥ କାଠ ଗାଡ଼ିକୁ ଜବତ କରିବା ପରେ ନିର୍ମାଣ ଅଟକି ଥିଲା।
ବହୁ ଅନୁରୋଧ ପରେ ବି ବନ ବିଭାଗ କାଠ ନ ଦେବାରୁ ରଥ ନିର୍ମାଣ ହୋଇପାରିଲା ନାହିଁ ବୋଲି କମିଟି ସଭାପତି ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। କିନ୍ତୁ ରଥଟଣାରୁ ବଞ୍ଚିତ ହୋଇଥିଲେ ଭକ୍ତ। ରୀତିନୀତି ଅନୁଯାୟୀ ଯୁଧିଷ୍ଠିର ମାଝୀ ଦ୍ୱାରା ପୂଜାପାଠ କରାଯିବା ପରେ ଛେରା ପହଁରା କରାଯାଇଥିଲା। ପରେ ଭକ୍ତଙ୍କ ଗହଣରେ ତିନି ମୂର୍ତ୍ତି ଚାଲି ଚାଲି ମାଉସୀ ମା’ ମନ୍ଦିରକୁ ଯାଇଥିଲେ। ଏହାକୁ ଜଗନ୍ନାଥ ପ୍ରେମୀ କ୍ଷୋଭ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃ୍ଷ୍ଟି ଦେଇ ତୁରନ୍ତ ରଥ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି। ଜିଲ୍ଲା ପରିଷଦ ଜୋନ୍-୧ ସଭ୍ୟା ବର୍ଷାରାଣୀ ପଟେଲ, ସୁଶାନ୍ତ ମାଝୀ, ତହସିଲ ଜଗତ, ପଦ୍ମଲୋଚନ ମାଝୀ, ଶଶୀକାନ୍ତ ପଟେଲ, ଅମର ସିଂ ମାଝୀ, ଲିବୁଚନ ମାଝୀ, ଦେବଚନ ମାଝୀ, କୈବଲ୍ୟ ପଟେଲ ପ୍ରମୁଖ ରଥଯାତ୍ରା ପରିଚାଳନାରେ ସହେଯାଗ କରିଥିଲେ।