ଭୁବନେଶ୍ବର / ନୂଆଦିଲ୍ଲୀ: ବିଜେପି ପ୍ରାର୍ଥୀ ମମତା ମହାନ୍ତ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଅନ୍ୟତମ ସ୍ବାଧୀନ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ମମତା ଏକମାତ୍ର ପ୍ରାର୍ଥୀ ହୋଇଥିଲେ। ତେଣୁ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର୍‌ ତାଙ୍କୁ ନିର୍ବାଚିତ ଘୋଷଣା କରିବା ସହ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ। ଏହା ପରେ ମମତା ବିଧାନସଭା ପରିସରରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ। ଶ୍ରୀ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ମମତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ୍‌ରେ ଶେଷ ହେବ। 

Advertisment

ବିଭିନ୍ନ ରାଜ୍ୟରୁ ୧୨ ଜଣ ରାଜ୍ୟସଭାକୁ ନିର୍ବାଚିତ
ସଂଖ୍ୟାଗରିଷ୍ଠତା ହାସଲ କଲା ଏନ୍‌ଡିଏ

ଆଜି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ରାଜ୍ୟସଭା ଉପନିର୍ବାଚନରେ ୯ ଜଣ ବିଜେପି ସଦସ୍ୟ ଏବଂ ସହଯୋଗୀ ଦଳର ୨ ଜଣ ସଦସ୍ୟ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଫଳରେ ଶାସକ ଏନ୍‌ଡିଏକୁ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ମିଳିଛି। ୯ ବିଜେପି ସଦସ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସହ ରାଜ୍ୟସଭାରେ ବିଜେପି ସଂଖ୍ୟା ୯୬ରେ ପହଞ୍ଚିଛି ଏବଂ ଏନ୍‌ଡିଏର ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଏନ୍‌ଡିଏ ସହଯୋଗୀ ଦଳ ତଥା ଅଜିତ ପାୱାରଙ୍କ ‌ନେତୃତ୍ବାଧୀନ ଏନ୍‌ସିପି ଏବଂ ରାଷ୍ଟ୍ରୀୟ ଲୋକ ମଞ୍ଚର ଜଣେ ଲେଖାଏଁ ନେତା ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେହିପରି ଶାସକ ମେଣ୍ଟ ପ୍ରତି ମଧ୍ୟ ୬ ମନୋନୀତ ଏବଂ ଜଣେ ସ୍ବାଧୀନ ସଦସ୍ୟଙ୍କର ସମର୍ଥନ ରହିଛି। କଂଗ୍ରେସର ମଧ୍ୟ ଜଣେ ସଦସ୍ୟ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସହ ରାଜ୍ୟସଭାରେ ବିରୋଧୀ ଦଳଙ୍କ ସଦସ୍ୟ ସଂଖ୍ୟା ୮୫କୁ ବୃଦ୍ଧି ପାଇଛି। ରାଜ୍ୟସଭାର ମୋଟ୍‌ ଆସନ ସଂଖ୍ୟା ୨୪୫।

ଏବେ ରାଜ୍ୟସଭାରେ ଆହୁରି ୮ଟି ଆସନ ଖାଲି ପଡ଼ିଛି। ଏଥି ମଧ୍ୟରୁ ୪ଟି ଜମ୍ମୁ କାଶ୍ମୀରରୁ ଏବଂ ୪ଟି ମନୋନୀତ। ତେଣୁ ଗୃହର ମୋଟ୍‌ ସଦସ୍ୟ ସଂଖ୍ୟା ଏବେ ୨୩୭ ଏବଂ ମ୍ୟାଜିକ୍‌ ନମ୍ବର ୧୧୯। ଉଲ୍ଲେଖଯୋଗ୍ୟ, ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବିଜେପିର ଅନ୍ୟ ପ୍ରାର୍ଥୀମାନେ ଆସାମର ମିସନ୍‌ ରଂଜନ ଦାସ ଏବଂ ରାମେଶ୍ବର ତେଲି, ବିହାରର ମନନ୍‌ କୁମାର ମିଶ୍ର, ହରିୟାଣାର କିରଣ ଚୌଧାରୀ, ମଧ୍ୟପ୍ରଦେଶର ଜର୍ଜ‌୍ କୁରିଏନ୍‌, ମହାରାଷ୍ଟ୍ରର ଧୈର୍ଯ୍ୟଶୀଳ ପାଟିଲ, ରାଜସ୍ଥାନର ରବନୀତ ସିଂହ ବିଟ୍ଟୁ ଏବଂ ତ୍ରିପୁରାର ରାଜୀବ ଭଟ୍ଟାଚାର୍ଯ୍ୟ । ତେଲେଙ୍ଗାନାରୁ କଂଗ୍ରେସର ଅଭିଷେକ ମନୁ ସିଂଘଭି ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଆଜି ଏନ୍‌ଡିଏ ସହଯୋଗୀ ଏନ୍‌ସିପିରୁ ନୀତିନ ପାଟିଲ ଏବଂ ଆରଏଲ୍‌ଏମ୍‌ରୁ ଉପେନ୍ଦ୍ର କୁଶୱାହ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।