ପୁରୀ : ତୁଣ୍ଡରେ ଥିଲା ଶିବ ପଞ୍ଚାକ୍ଷରୀ ମନ୍ତ୍ର। ହାତରେ ଥିଲା ଦୁଦୁରା ଫୁଲଠୁ ନେଇ ବେଲପତ୍ର।। ଶ୍ରୀଲୋକନାଥଙ୍କ ସାନ୍ନିଧ୍ୟ ପାଇଁ ବ୍ୟାକୁଳ ଥିଲା ଭକ୍ତର ମନ। ଏଥର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ହୋଇନଥିଲା କୋଭିଡ୍‌। ଏଣେ ଦର୍ଶନ ପାଇଁ ଘଣ୍ଟାଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ଭକ୍ତଙ୍କ ଖାତିର ନଥିଲା। ରାତି ପାହିବା ପୂର୍ବରୁ ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର ଅଭିମୁଖେ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ସୁ୍ଅ। ପଙ୍କୋଦ୍ଧାର ଏକାଦଶୀ ଭଳି ଜାଗରରେ ବି ସଅଳ ନୀତିକାନ୍ତି ହୋଇଥିଲା। ତେଣୁ ପୂର୍ବ ନିର୍ଦ୍ଧିରିତ ସମୟ ପୂର୍ବରୁ ଭୋର୍‌ ୩ଟାରେ ପ୍ରଭୁ ଶ୍ରୀଲୋକନାଥଙ୍କ ଦର୍ଶନର ସୁଯୋଗ ପାଇଥିଲେ ଭକ୍ତ। ଦୁଇ ବର୍ଷ ବ୍ୟବଧାନ‌ରେ ଶ୍ରୀଲୋକନାଥ ପୀଠରେ ଲୋକାରଣ୍ୟ ପରିବେଶ ଦେଖିବାକୁ ମିଳିଥିଲା।

Advertisment

ସଞ୍ଜ ଯେତେ ଗଭୀର ହେଉଥିଲା ଶ୍ରୀଲୋକନାଥଙ୍କ ପୀଠରେ ଭକ୍ତଙ୍କ ସମାଗମ ସେତେ ବଢ଼ୁଥିଲା। ଜାଗରପଦା ବାଲୁକା ଶଯ୍ୟାରେ ଦୀପ ଛାଇ ଯାଇଥିଲା। ଦୁଇ ବର୍ଷ ବ୍ୟବଧାନରେ ଜାଗରର ଏହି ଅଲୌକିକ ଶୋଭା ଫେରିଥିଲା। ବାଲୁକା ରାଶିରେ ଦୀପ ଜାଳିବା ସହ ଭଜନ ଓ ନୃତ୍ୟରେ ବିଭୋର ହୋଇଥିଲେ ଭକ୍ତବୃନ୍ଦ। ଏଥର ବେପାରର ପସରା ବି ବୃଦ୍ଧି ପାଇଥିଲା। ଛପନ ଛକରୁ ପନ୍ତିଘର ପର୍ଯ୍ୟନ୍ତ ବେପାରୀମାନେ ପସରା ମେଲାଇଥିଲେ। ସୁରକ୍ଷା ଓ ନିରାପତ୍ତା ପାଇଁ ୧୫ ପ୍ଲାଟୁନ୍‌ ପୁଲିସ ମୁତୟନ ହୋଇଥିଲେ। ୫ହଜାରରୁ ଅଧିକ ଭକ୍ତ ପରିମାଣିକ ଦର୍ଶନ ପାଇଥିବା ବେଳେ ସେବାୟତ ପରିବାରବର୍ଗଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ହୋଇଥିଲା।

publive-image

ଲୋକନାଥ ମନ୍ଦିର ଅନ୍ତରୀଣ ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସୂଚନା ମୁତାବକ, ନିର୍ଦ୍ଧାରିତ ସମୟାନୁଯାୟୀ ନୀତି ସମ୍ପାଦିତ ହୋଇଥିବା ବେଳେ ପ୍ରଭୁଙ୍କ ସେବାୟତମାନେ ସଅଳ ଦର୍ଶନର ସୁଯୋଗ ପାଇଥିଲେ। ଭୋର୍‌ ୩ଟାରୁ ସର୍ବସାଧାରଣ ଦର୍ଶନ ସୁରୁଖୁରୁରେ ଚାଲିଛି। ରାତି ୨ଟାରୁ ୩ଟା ମଧ୍ୟରେ ହରିହର ଭେଟ ପରେ ମହାଦୀପ ଉଠିବା ନେଇ ନୀତିକାନ୍ତି ଆଗେଇ ଚାଲିଛି ବୋଲି ସେ କହିଥିଲେ।

ଲୋକନାଥ ମନ୍ଦିରର ପ୍ରବନ୍ଧକ ଅପଛ ପରିଡ଼ାଙ୍କ ସୂଚନା ମୁତାବକ, ରାତି ସାଢ଼େ ୧୨ଟାରେ ଦ୍ବାର ଫିଟା ପରେ ବିଭିନ୍ନ ନୀତିକାନ୍ତି ଯଥାବିଧି ସୁରୁଖୁରୁରେ ସମ୍ପାଦିତ ହୋଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭଣ୍ଡାରରକ୍ଷକ ଥିବା ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀମନ୍ଦିରରୁ ଆସି ବିଭିନ୍ନ ସାହିରେ ପନ୍ତି ଓ ରହଣି ଭୋଗ ଖାଇ ବିଳମ୍ବିତ ରାତିରେ ଲୋକନାଥ ମନ୍ଦିରରେ ପହଞ୍ଚିଥିଲେ। ଏହି ଅବକାଶରେ ପ୍ରଭୁ ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା ଖଣ୍ଡୁଆ ଲାଗି ହୋଇ ବିଷ୍ଣୁ ରୂପରେ ଆସିବା ପରେ ହରିହର ଭେଟ, ଚତୁର୍ଦ୍ଦଶୀ ଭୋଗ ଭଳି ୮ଟି ନୀତି ସମ୍ପାଦିତ ହୋଇଛି। ଲହୁଣି, କ୍ଷୀର, ମହୁ, ଦହି, ଖୁଆ, ଘିଅ ଓ ଭାଙ୍ଗରେ ମିଶ୍ରିତ ଭୋଗ ପ୍ରଭୁଙ୍କୁ ଲାଗି କରାଯାଇଥିଲା ବୋଲି ସେ କହିଛନ୍ତି। ଏହାବ୍ୟତୀତ ପୁରୀର ଅନ୍ୟ ଶୈବ ପୀଠ ବେଲେଶ୍ବର, ଇନ୍ଦ୍ରେଶ୍ବର, ନୀଳକଣ୍ଠେଶ୍ବର, କପାଳ ମୋଚନ, ଜମ୍ବେଶ୍ବର, ମାର୍କଣ୍ଡେଶ୍ବର, ବାଲିକପିଳେଶ୍ବର, ବିଶ୍ବନାଥ, ମୁକୁନ୍ଦେଶ୍ବର ଆଦି ପୀଠମାନଙ୍କରେ ରାତି ସାଢ଼େ ୯ଟାରୁ ୧୧ଟା ମଧ୍ୟରେ ମହାଦୀପ ଉଠିଛି।

publive-image

ମିଳିଲା କାଗଜ କଣ୍ଢେଇ
ଜାଗରରେ କିଛି ମିଳୁ କି ନମିଳୁ, ଜାଗର ଚଣା, ଆଖୁ ଓ ଜାଗର ବାଜା ଉପଲବ୍ଧ ହେଉଥିଲା। ମାତ୍ର ଧୀରେଧୀରେ କାଠ ଓ ପ୍ଲାଷ୍ଟିକରେ ପ୍ରସ୍ତୁତ ବାଜା ଏହାର ସ୍ଥାନ ନେଇଛି, କିନ୍ତୁ ଜାଗର ବାଜାକୁ ଏବେ ବି ଅନେକ ଝୁରି ହେଉଛନ୍ତି। ତେବେ ଜାଗରପଦାରେ ପାରମ୍ପରିକ କାଗଜ କଣ୍ଢେଇ ଉପଲବ୍ଧ ହେଉଛି। ଶ୍ରୀମନ୍ଦିର ରୂପକାର ସେବକ ନରସିଂହ ମହାପାତ୍ରଙ୍କ କହିବା ମୁତାବକ, ଏବେ ବି ତାଙ୍କ ପରିବାର କାଗଜ କଣ୍ଢେଇ, ମନ୍ଦିର, ହଜିଯାଉଥିବା ବହୁ ପ୍ରାଚୀନ ଜିନିଷର କଳାକୃତି ପ୍ରସ୍ତୁତ କରି ଏହି ମେଳାମାନଙ୍କରେ ବିକ୍ରି କରୁଛନ୍ତି। ଏହି କଳା ପ୍ରସ୍ତୁତି ବେଳେ ମହିଗିରା ମିଶୁଥିବାରୁ ମୂଷା ଓ କୀଟମାନେ ଏହାର ପାଖ ମାଡ଼ିବେନି। ଯଦିଓ ଆଦର ଅଛି, କିନ୍ତୁ ଧୀରେଧୀରେ କାରିଗର ମୁହଁ ଫେରାଇ ନେଉଛନ୍ତି।

publive-image

କେତକୀ ଫୁଲ ହଜା‌େର ଟଙ୍କା
ପ୍ରଭୁ ଭୋଳାନାଥଙ୍କୁ ଦ୍ବିତୀୟ ପ୍ରହରରେ କେତକୀ ଫୁଲ ଲାଗି କଲେ ପାପ ବିଖଣ୍ଡିତ ହୁଏ, କାଳସର୍ପ ଦୋଷ କଟେ ଓ ମଙ୍ଗଳ ଦୋଷ କଟେ ବୋଲି ବିଶ୍ବାସ ରହିଛି। ତେଣୁ ଦୂର ଦୂରାନ୍ତରରୁ ଆସୁଥିବା ଭକ୍ତମାନେ ଆଜି ଜାଗରପଦାରେ କେତକୀ ଫୁଲ କିଣିବା ପାଇଁ ଖୋଜି ବୁଲିଥିଲେ ହେଁ ମାତ୍ର ୨ଟି ସ୍ଥାନରେ ଏହା ବିକ୍ରି ହେଉଥିଲା। ଏହାର ଚାହିଦା ଥିଲେ ହେଁ ଆବଶ୍ୟକ ପରିମାଣରେ କେତକୀ ନଥିଲା। ଦୁଇ ଜଣଙ୍କ ବ୍ୟବସାୟୀ କେତକୀ ଫୁଲ ରଖିଥିବା ବେଳେ ଜଣେ ‌ଫୁଲ ପିଛା ୧ହଜାର ଟଙ୍କା ଦାବି କରିଥିବା ବେଳେ ଦ୍ବିତୀୟ ବ୍ୟବସାୟୀ ୪ଶହ ଟଙ୍କା ଦାବି କରିଥିଲେ।

publive-image

ଚୁଡ଼ା ଘଷା ଭୋଗ
ପ୍ରଭୁ ଶ୍ରୀଲୋକନାଥଙ୍କ ନିକଟରେ ଚୁଡ଼ା‌ ଘଷା ଭୋଗ କରିବାର ପରମ୍ପରା ପ୍ରଚଳିତ ରହି ଆସିଥିବା ବେଳେ ଆଜି ଅନେକ ଭକ୍ତ ଓ ମାନସିକଧାରୀ ଜାଗରପଦା ପଡ଼ିଆ ଓ ମନ୍ଦିର ବେଢ଼ା ମଧ୍ୟରେ ଚୁଡ଼ା ଘଷା ପ୍ରସ୍ତୁତ କରି ଭୋଗ କରିଥିଲେ। ପୁରୀ ଓ ଏହାର ଆଖପାଖ ଅଞ୍ଚଳରୁ ବହୁ ଭକ୍ତ ସକାଳୁ ଯାଇ ସେଠାରେ ଚୁଡ଼ା ଘଷା ଓ କଦଳୀରେ ପ୍ରସ୍ତୁତ ଶିରିଣି ଭୋଗ ପ୍ରସ୍ତୁତ କରି ଭୋଗ କରିବା ସହ ଏହାକୁ ସେବନ କରି ଦିନ ତମାମ ରହିବା ସହ ରାତିରେ ଦୀପ ଜାଳିଥିଲେ। କିଛି ବ୍ୟକ୍ତି ସ୍ବତନ୍ତ୍ର ଭାବେ ଚୁଡ଼ା ଘଷା ପ୍ରସ୍ତୁତ କରିବା ପାଇଁ ନିୟୋଜିତ ହୋଇଥିଲେ।