ଫୁଲବାଣୀ: ଯୋଡ଼ାମୁଣ୍ଡ ଶିଶୁ ଜଗା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସାଧାରଣ ଜୀବନଯାପନ କରୁଛି। ଆଜି ସକାଳୁ ସକାଳୁ ଜଗାକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ଜଗନ୍ନାଥ ମନ୍ଦିର ଦେଇ ପଟାବାଲିସାହି ଦେଇ ସାର୍ତ୍ତାଗୁଡ଼ା ଛକ ପର୍ଯ୍ୟନ୍ତ ତା’ ବାପା ଭୂଆଁ କହଁରଙ୍କ ସହ ମର୍ଣ୍ଣିଂୱାକ୍‌ରେ ଯାଉଥିବା ଦେଖିବାକୁ ମିଳିଥିଲା। ଫେରିଲା ବେଳକୁ ଜଗାର ବାପା ଭୂଆଁ ସାଥୀରେ ସୋରିଷ ଶାଗ ଧରିଥିଲେ। ପ୍ରତିଦିନ ସକାଳେ ଜଗା ତା’ ବାପାଙ୍କ ହାତ ଧରି ସହରରେ ବୁଲୁଛି। ଅନ୍ୟପ‌ଟେ, ଏବେ ଜଗାର ବିଶେଷ ସ୍ବାସ୍ଥ୍ୟ ସମସ୍ୟା ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମନୋଜ ଉପାଧ୍ୟାୟ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଗତ ୨୦୨୧ ମାର୍ଚ୍ଚ ୨୩ ତାରିଖରେ ଜଗା କଟକ ଏସ୍‌ସିବି ମେଡିକାଲ କଲେଜରୁ ଡିସ୍‌ଚାର୍ଜ ହୋଇ ଫୁଲବାଣୀକୁ ଫେରିଥିଲା। ଜଗା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଶିଶୁ ସ୍ବାସ୍ଥ୍ୟ ୟୁନିଟ୍‌ର ସ୍ବତନ୍ତ୍ର କ୍ୟାବିନରେ ରହୁଛି। ଜଗାକୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ଜଗାର କୌଣସି ପ୍ରକାର ସ୍ବାସ୍ଥ୍ୟଗତ ଜଟିଳତା ନାହିଁ। ସେ କେବଳ ଡାକ୍ତରଙ୍କ ତତ୍ତ୍ବାବଧାନରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ରହୁଛି। ଅପରପକ୍ଷେ, ଜଗା ସ୍ବାଭାବିକ ଅଛି, ସେ ମୋବାଇଲରେ ଖେଳୁଛି ଏବଂ ପ୍ରତିଦିନ ବୁଲାବୁଲି କରୁଛି ବୋଲି ଜଗାର ବାପା ଭୁଆଁ କହଁର କହିଛନ୍ତି। ବାପା, ମା’ କେବଳ ଜଗାକୁ ଜଗୁଛନ୍ତି ବୋଲି ଜଗାର ବାପା ଭୂଆଁ କହିଛନ୍ତି।

ଗତ ୨୦୧୫ ମସିହା ଏପ୍ରିଲ ୯ ତାରିଖରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଜନ୍ମଗ୍ରହଣ କରିଥିଲେ। ଦୀର୍ଘ ୪ ବର୍ଷରୁ ଅଧିକ ସମୟ ଧରି ଚିକିତ୍ସିତ ହେବାପରେ ୨୦୨୦ ମସିହା ନଭେମ୍ବର ୨୫ରେ କଟକ ବଡ଼ ଡାକ୍ତରଖାନାରେ କାଳିଆର ମୃତ୍ୟୁ ହୋଇଥିଲା। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମେଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଗତ ୨୦୧୭ ଅଗଷ୍ଟ ୨୮ ତାରିଖରେ ଦିଲ୍ଲୀ ଏମ୍‌ସରେ ଅସ୍ତ୍ରୋପଚାର କରାଯାଇ ଉଭୟଙ୍କୁ ଅଲଗା କରାଯାଇଥିଲା। ଅପରେସନ ପରେ କାଳିଆର ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ତତ୍କାଳୀନ ଏମ୍‌ସ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ଏକ ୪୦ ଜଣିଆ ଟିମ୍‌ ଜଗା-କାଳିଆର ଯୋଡ଼ା ମୁଣ୍ଡକୁ ସଫଳତାର ସହ ଅଲଗା କରିଥିଲେ। ଜଗା-କାଳିଆଙ୍କ ସମସ୍ତ ପ୍ରକାର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ସହ ପ୍ରାଥମିକ ପର୍ଯ୍ୟାୟରେ ୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଥିଲା।