ଧବଳେଶ୍ବର ମନ୍ଦିରରେ ଜାଗର ଯାତ୍ରା ବନ୍ଦ, କେବଳ ପାଳନ ହେବ ରୀତିନୀତି, ୧୧ ତାରିଖରୁ ଲାଗୁ ହେବ ଧାରା ୧୪୪

ଭୁବନେଶ୍ବର/କଟକ: ମାତ୍ର ୬ ଦିନ ପରେ ଶିବରାତ୍ରୀ। ଏଥିପାଇଁ ରାଜ୍ୟର କିଛି ଶିବାଳୟରେ ଜାଗର ଆୟୋଜନ ହେଉଥିବା ବେଳେ ଅନ୍ୟ ସ୍ଥାନରେ ଦ୍ବନ୍ଦ୍ବ ଉପୁଜିଛି। କଟକ ଜିଲ୍ଲା ଆଠଗଡ ଅଂଚଳର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଚଳିତବର୍ଷ ଜାଗର ଯାତ୍ରା ହୋଇପାରିବ ନାହିଁ । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଦେବୋତ୍ତର ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ଆଜି ଏକ ବୈଠକରେ ଆଲୋଚନା ଶେଷ ହେବା ପରେ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ।

ସୂଚନା ମୁତାବକ, ଧବଳେଶ୍ୱର ପୀଠରେ ଚଳିତ ବର୍ଷ ଜାଗର ଯାତ୍ରା ଅନୁଷ୍ଠିତ ହେବ ନାହିଁ । କେବଳ ପୂଜକଙ୍କୁ ନେଇ ମନ୍ଦିର ରୀତିନୀତି ସମ୍ପନ୍ନ ହେବ । ଏଥି ସହିତ ଆସନ୍ତା ୧୧ ତାରିଖରେ ମନ୍ଦିରରେ ଧାରା ୧୪୪ ଲାଗୁ ହେବ, ଯାହାକି ୧୨ ତାରିଖ ସକାଳ ୬ଟା ଯାଏଁ ବଳବତ୍ତର ରହିବ ।

Courtsy: Odisha Tour Guide

ଚଳିତବର୍ଷ କୋଭିଡ୍ ହେତୁ ଅନେକ ଯାନିଯାତ୍ରାରେ କଟକଣା ଲାଗିସାରିଛି । ଏବେ ପୁଣି କରୋନା ଲେଉଟି ଥିବାରୁ ଏହାକୁ ଆଖି ଆଗରେ ରଖି ଧବଳେଶ୍ବରରେ ଜାଗର ଯାତ୍ରା ଆୟୋଜନ ନ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଚଳିତ ବର୍ଷ କୋଭିଡ୍ କଟକଣାକୁ ମାନି ଶିବରାତ୍ରୀ ପାଳନ ହେବ ବୋଲି କିଛି ଦିନ ପୂର୍ବେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ । ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ବୟସ୍କ ଲୋକଙ୍କୁ ମନ୍ଦିର ବାରଣ ସହିତ ଏଥର ଲିଙ୍ଗରାଜ ମନ୍ଦିରରେ ଶିବରାତ୍ରୀ ପାଳନ ହେବ ବୋଲି ସେ କହିଥିଲେ ।

ସେହିପରି ପୁରୀର ପ୍ରସିଦ୍ଧ ଲୋକନାଥ ପୀଠରେ କୋଭିଡ-୧୯ କଟକଣା ମଧ୍ୟରେ ଜାଗର ଯାତ୍ରା ଅନୁଷ୍ଠିତ ହେବ। ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଅଙ୍କୁଶ ଲାଗିବ। ଶିବରାତ୍ରୀ ସମୟରେ ୬୦ ବର୍ଷରୁ ଊର୍ଦ୍ଧ୍ବ ଓ ଶିଶୁ ମନ୍ଦିର ନଯିବାକୁ ପ୍ରଶାସନ ଅପିଲ କରିଛି। କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ଦର୍ଶନ କରିବେ ଶ୍ରଦ୍ଧାଳୁ। ଭୋର ୪ଟାରୁ ଲୋକନାଥଙ୍କ ଦର୍ଶନ ଆରମ୍ଭ ହେବ।

ସମ୍ବନ୍ଧିତ ଖବର