ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ନେଇ ଭକ୍ତମାନେ ଖୁସି ଅନୁଭବ କରିଛନ୍ତି। ୨୦୨୦ମସିହା ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ପୁରୀରେ ରଥଯାତ୍ରା ମହୋତ୍ସବ ଅବସରରେ ଭକ୍ତମାନେ ‘ଭଗବାନଙ୍କ ଖୁସିରେ ମୁଁ ଖୁସି’ ମନୋଭାବର ପରିଚୟ ଦେଇଛନ୍ତି ବୋଲି ପୁରୀ ପୀଠର ଜଗତ୍‌ଗୁରୁ ଶଙ୍କରଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି। ଭକ୍ତମାନଙ୍କର ଭାବନା ପ୍ରଶଂସନୀୟ ଅଟେ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

Advertisment

ଓଡ଼ିଶାବାସୀଙ୍କର ଭାବନା ଥିଲା ଯେ, ଆମ ସମସ୍ତଙ୍କର ଆସ୍ଥାର କେନ୍ଦ୍ର ଦାରୁବ୍ରହ୍ମ ଶ୍ରୀଜଗନ୍ନାଥାଦିଙ୍କର ରଥଯାତ୍ରା ନିର୍ବିିଘ୍ନରେ ସମ୍ପନ୍ନ ହେଉ। ହେଉ ପଛେ ଆମେ ଯନ୍ତ୍ର(ଟେଲିଭିଜନ ଓ ଇଂଟରନେଟ୍‌) ମାଧ୍ୟମରେ ଦର୍ଶନ କରିପାରୁ ବା ନ କରିପାରୁ, ତଥାପି ରଥଯାତ୍ରା ହେଉ।

କେନ୍ଦ୍ର ତଥା ରାଜ୍ୟ ସରକାର, ଉଚ୍ଚତମ ନ୍ୟାୟାଳୟର ସହଯୋଗୀ ନ୍ୟାୟାଧିଶଙ୍କ ସହିତ ମୋର ସ୍ନେହାସ୍ପଦ ମୁଖ୍ୟ ନ୍ୟାୟାଧିଶ ମହୋଦୟ ଉଚିତ୍‌ ସମୟରେ ଅନୁକୂଳ ନିର୍ଣ୍ଣୟ ପ୍ରଦାନ କରି ବିଶ୍ୱସ୍ତରରେ ଭକ୍ତମାନଙ୍କ ପାଇଁ ଆହ୍ଲାଦ ପୂର୍ଣ୍ଣ ଅନୁକରଣୀୟ ଆଦର୍ଶ ପ୍ରସ୍ତୁତ କରିଛନ୍ତି। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଏହି ପବିତ୍ର ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମହୋଦୟ ଶୁଭ କାମନା ବ୍ୟକ୍ତ କରି ଭକ୍ତଙ୍କ ଉତ୍ସାହ ବର୍ଦ୍ଧନ କରିଛନ୍ତି।

ସେହିପରି ଶଙ୍କରାଚାର୍ଯ୍ୟ କହିଛନ୍ତି, ଜିଲ୍ଲା ପ୍ରଶାସନ, ଶ୍ରୀଗଜପତି ମହାରାଜା ଓ ନ୍ୟାୟାଳୟରେ ପକ୍ଷଭୁକ୍ତ ହୋଇଥିବା ବିଭିନ୍ନ ବ୍ୟକ୍ତି ତଥା ସଂସ୍ଥା ସହିତ ସେମାନଙ୍କର ଅଧିବକ୍ତାଗଣ ନିଜର ସହଭାଗିତା ପ୍ରଦାନ କରି ମୋତେ ପ୍ରମୋଦିତ କରିଛନ୍ତି।