କଟକ ବାଆଁରାରେ ହେବ ଜଗଦ୍‌ଗୁରୁ କୃପାଳୁ ଏକକ ବିଶ୍ବବିଦ୍ୟାଳୟ

୩ ଥର ମୁଲତବୀ ପରେ ବିଧାନସଭାରେ ବିଲ୍‌ ପାରିତ

ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ୫୦% ସ୍ଥାନ ସଂରକ୍ଷଣ
ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି
ଏସ୍‌ସି-ଏସ୍‌ଟି ଓ ଓବିସିଙ୍କ ପାଇଁ ରିହାତି ବ୍ୟବସ୍ଥା

ଭୁବନେଶ୍ବର : କଟକ ଜିଲ୍ଲା ଡମପଡ଼ା ତହସିଲ ଅନ୍ତର୍ଗତ ବାଆଁରା ଗ୍ରାମରେ ପ୍ରତିଷ୍ଠା ହେବ ଜଗଦ୍‌ଗୁରୁ କୃପାଳୁ ଏକକ ବିଶ୍ବବିଦ୍ୟାଳୟ। ଏଥିପାଇଁ ଆଜି ବିଧାନସଭାରେ ଜଗଦ୍‌ଗୁରୁ କୃପାଳୁ ବିଶ୍ବବିଦ୍ୟାଳୟ ବିଲ୍‌,୨୦୨୦ ପାରିତ ହୋଇଛି। ବିଲକୁ ବିରୋଧ କରି ବିରୋଧୀ ଏହାକୁ ଅଧିକ ତର୍ଜମା ପାଇଁ ଯାଞ୍ଚ କମିଟିକୁ ପଠାଇବାକୁ ଦାବି କରିଥିଲେ। ବିଲ ପାରିତ ପାଇଁ କଂଗ୍ରେସ ଜଗଦ୍‌ଗୁରୁ କୃପାଳୁ ଅନୁଷ୍ଠାନର ଟ୍ରଷ୍ଟ୍‌ କାଗଜ ପତ୍ର ଓ ଜମିର ମାଲିକାନା ରେକର୍ଡ଼ ଗୃହ ଆଗରେ ରଖିବାକୁ ଦାବି କରିଥିଲା। ଯେଉଁଥିପାଇଁ କଂଗ୍ରେସ ବିଧାୟକ ଦଳ ନେତା ଓ ବାଚସ୍ପତିଙ୍କ ମଧ୍ୟରେ କଥାକଟାକଟି ହେବାରୁ ଗୃହକୁ ୩ ଥର ମୁଲତବୀ ରଖିବାକୁ ପଡ଼ିଥିଲା। ଆଲୋଚନା ପରେ ଦୁଇଟି ଆବଶ୍ୟକ ସଂଶୋଧନ କରି ବିଲ୍‌ଟି ଗୃହର ଅନୁମୋଦନ ଲାଭ କରିଛି।

ମଙ୍ଗଳବାର ଅପରାହ୍ନ ଅଧିବେଶନରେ ବିଲ୍‌ଟିକୁ ବିଚାର ଆଲୋଚନା ପାଇଁ ଗୃହରେ ଆଗତ କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ବାଚସ୍ପତି ଡାକିବା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିରୋଧ କରିଥିଲେ। ଶ୍ରୀ ମିଶ୍ର ଆପତ୍ତି ଉଠାଇ କହିଥିଲେ ଯେ ପ୍ରସ୍ତାବିତ ବିଶ୍ବବିଦ୍ୟାଳୟର ବିଲ୍‌ଟିକୁ ଅଧିକ ତର୍ଜମା କରିବା ପାଇଁ ଯାହା ଆବଶ୍ୟକ ପ୍ରମାଣ ପତ୍ର ଦରକାର ତାହା ସଦସ୍ୟମାନଙ୍କୁ ଯୋଗାଇ ଦିଆଯାଇନାହିଁ। ଯାହାକି ଏ ଗୃହରେ ଜାଣିବାର ସମସ୍ତ ସଦସ୍ୟଙ୍କ ଅଧିକାର। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ଉଚ୍ଚଶିକ୍ଷା ମନ୍ତ୍ରୀ ଆଲୋଚନା ଶେଷରେ ଏ ସମ୍ପର୍କରେ ଉତ୍ତର ଦେବେ। କିନ୍ତୁ ଶ୍ରୀ ମିଶ୍ର ଏଥିରେ ରାଜି ନ ହେବାରୁ ବାଚସ୍ପତି ଗୃହକୁ ମୁଲତବୀ କରି କଂଗ୍ରେସ ବିଧାୟକ ଦଳ ନେତା, ବିରୋଧୀ ଦଳ ନେତା, ସରକାରୀ ଦଳ ମୁଖ୍ୟ ସଚେତକ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଂସଦୀୟ ବ୍ୟପାର ମନ୍ତ୍ରୀଙ୍କୁ ନେଇ ନିଜ ପ୍ରକୋଷ୍ଠରେ ବୈଠକ ଡାକି ଆଲୋଚନା କରିଥିଲେ। ଯେଉଁଥିପାଇଁ ଗୃହକୁ ସନ୍ଧ୍ୟା ୬ଟା ୭ ମିନିଟ୍‌ରେ ପ୍ରଥମେ ୧୫ ମିନିଟ୍‌ ଓ ପରେ ୧୦ ମିନିଟ୍‌ ଏବଂ ୫ ମିନିଟ୍‌ ପାଇଁ ମୁଲତବୀ ରଖିବାକୁ ପଡ଼ିଥିଲା।

ସନ୍ଧ୍ୟା ୬ଟା ୪୨ ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଲ୍‌ଟିକୁ ବିଚାର ଆଲୋଚନା ପାଇଁ ଗୃହରେ ଆଗତ କରି ବିଲ୍‌ର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ ରାଜ୍ୟରେ ଗୁଣାତ୍ମକ ଓ ସ୍ବତନ୍ତ୍ର ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବାକୁ ଜଗଦ୍‌ଗୁରୁ କୃପାଳୁ ଯୋଗ ଟ୍ରଷ୍ଟ୍‌ ଲକ୍ଷ୍ୟ ରଖିଛି। ଏହା ଏକ ଘରୋଇ ଏକକ ବିଶ୍ବବିଦ୍ୟାଳୟ ଭାବେ ଆଧ୍ୟାତ୍ମିକ ଓ ବୈଦିକ ଶିକ୍ଷା ଆଧାରିତ ୮ଟି ବିଭାଗରେ ସେଲଫ୍‌ ଫାଇନାନ୍‌ସିଂ କୋର୍ସରେ ଶିକ୍ଷା ପ୍ରଦାନ କରିବ। ବ୍ୟକ୍ତିର ବୌଦ୍ଧିକ ଓ ଶାରୀରିକ ବିକାଶ କ୍ଷେତ୍ରରେ ଯେପରି ଗୁଣାତ୍ମକ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍କୁଲ୍‌ ଅଫ୍‌ ରିଲିଜିୟସ୍‌ ଷ୍ଟଡିଜ୍‌, ସ୍କୁଲ୍‌ ଅଫ୍‌ ହେଲ୍‌ଥ୍‌ ସାଇନ୍‌ସେସ୍‌, ସ୍କୁଲ୍‌ ଅଫ୍‌ ଫାଇନ୍‌ ଆର୍ଟ୍‌ସ୍‌, ସ୍କୁଲ୍‌ ଅଫ୍‌ ଲାଙ୍ଗୁଏଜେସ୍‌, ସ୍କୁଲ୍‌ ଅଫ୍‌ ହ୍ୟୁମାନିଟିଜ୍‌, ସ୍କୁଲ୍‌ ଅଫ୍‌ ବିଜିନେସ୍‌ ଷ୍ଟଡିଜ୍‌, ସ୍କୁଲ୍‌ ଅଫ୍‌ ଇଞ୍ଜିନିୟରିଂ ଏବଂ ସ୍କୁଲ୍‌ ଅଫ୍‌ ବେସିକ୍‌ ସାଇନ୍‌ସେସ୍‌ରେ ଡିଗ୍ରି ଓ ଡିପ୍ଲୋମା କୋର୍ସ ପ୍ରଦାନ କରାଯିବ। ଏହି ବିଲ୍‌ରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ୫୦% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହାସହିତ ଏସ୍‌ସି-ଏସ୍‌ଟି ଓ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କୋର୍ସ ଫିରେ ରିହାତି ପ୍ରଦାନ କରିବାକୁ ବିଲ୍‌ରେ ବ୍ୟବସ୍ଥା କରାଯାଇଛି। ୨୦୦୮ ମସିହାରୁ ଜଗଦଗୁରୁ କୃପାଳୁ ଟ୍ରଷ୍ଟ୍‌ ବାଆଁରାରେ ୧୦୦ ଏକର ଜମି ପାଇଁ ୧ କୋଟି ଟଙ୍କା ଜମା କରିଥିଲେ। ଆସନ୍ତା ୯୦ ବର୍ଷ ପାଇଁ ଏହି ଜମି ଟ୍ରଷ୍ଟକୁ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରତିବର୍ଷ ଜମି ବାବଦରେ କୃପାଳୁ ଟ୍ରଷ୍ଟ୍‌ ବାର୍ଷିକ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବ। ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଏଜୁକେସନ୍‌ ହବ୍‌ରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଥିବା ନେଇ ଶ୍ରୀ ସାହୁ ଗୃହରେ କହିଥିଲେ।

ବିଲ୍‌କୁ ଯାଞ୍ଚ କମିଟିକୁ ପଠାଇବାକୁ ପ୍ରସ୍ତାବ ଆଗତ କରି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ ଅତୀତରେ ଏହି ଗୃହରେ ସରକାର ତରବରିଆ ଭାବେ ଅନେକ ବିଲ୍‌ ପାରିତ କରିଥିଲେ। କିନ୍ତୁ ସେସବୁ ବିଲ୍‌ ରାଷ୍ଟ୍ରପତି, ହାଇକୋର୍ଟଙ୍କ ଦ୍ବାରା ଅଗ୍ରାହ୍ୟ ହୋଇଯାଇଥିଲା। ଓଡ଼ିଶା ପୁଲିସ ବିଲ୍‌, ଜମି ହଡ଼ପ ବିଲ୍‌, ଖଣି ଅଞ୍ଚଳ ମିନେରାଲ୍‌ ସେସ୍‌ ନେଇ ପୂର୍ବରୁ ସରକାର କିପରି ଭୁଲ କରିଥିଲେ ତାର ଉଦାହରଣ ଶ୍ରୀ ମିଶ୍ର ରଖିଥିଲେ। କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ସମର୍ଥନ କରି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ ଯେ ରାଜ୍ୟରେ ଯେତେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି ସେଥିରେ ଏ ଗୃହର ସଦସ୍ୟ ପରିଚାଳନା କମିଟିରେ ସଦସ୍ୟ ଅଛନ୍ତି। କିନ୍ତୁ ପ୍ରସ୍ତାବିତ କୃପାଳୁ ବିଶ୍ବବିଦ୍ୟାଳୟର ପରିଚାଳନା କମିଟିରେ ଏ ନେଇ କିଛି ବ୍ୟବସ୍ଥା ରଖାଯାଇନି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆଲୋଚନାରେ ଭାଗ ନେଇ କହିଥିଲେ ଯେ ଅତୀତରେ ଶ୍ରୀଶ୍ରୀ ରବିଶଙ୍କର ବିଶ୍ବବିଦ୍ୟାଳୟ ପାଇଁ ସରକାର ୨୦୦ ଏକର ଜମି ମାଗଣାରେ ଦେଇଥିଲେ। ବିଶ୍ବବିଦ୍ୟାଳୟରେ ୫୦% ଓଡ଼ିଆ ଛାତ୍ରଛାତ୍ରୀଙ୍କ ସମେତ କର୍ମଚାରୀ ରହିବେ ବୋଲି ବିଶ୍ବବିଦ୍ୟାଳୟ ଆଇନରେ ବ୍ୟବସ୍ଥା ହେଲା। କିନ୍ତୁ ଏଥିରେ କିଛି ବି ବାସ୍ତବତା ନାହିଁ। ଏପରିକି ଗୃହର କିଛି ସଦସ୍ୟଙ୍କୁ ନେଇ କମିଟି କରି ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ଶ୍ରୀ ବାହିନୀପତି ଆହ୍ବାନ ଦେଇଥିଲେ। ରାଜ୍ୟରେ ବହୁ ସରକାରୀ କଲେଜ ଅଛି ତାକୁ ସରକାର ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଇପାରିନାହାନ୍ତି। ଏପରିକି ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କ ପରିସ୍ରାଗାରରେ ଅଖା ଲାଗିଥିବା ନେଇ ସେ ଅଭିଯୋଗ କରିଥିଲେ। ସରକାର ଏପରି ମାଗଣାରେ ବାହାର ଅନୁଷ୍ଠାନକୁ ରାଜ୍ୟର ମୂଲ୍ୟବାନ୍‌ ଜମି ଟେକି ନ ଦିଅନ୍ତୁ ବୋଲି ସେ କହିଥିଲେ। ଆଲୋଚନା ସମୟରେ ତାରାଙ୍କ ଇଂରାଜିକୁ ନେଇ ଗୃହରେ ହାସ୍ୟାରୋଳ ସୃଷ୍ଟି ହୋଇଥିଲା। ସମାନ ଭାବେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମଧ୍ୟ ଆଲୋଚନାରେ ଭାଗ ନେଇ ସରକାର ଗତ ଅଧିବେଶନରେ କିପରି ସି.ଭି ରମଣ ବିଶ୍ବବିଦ୍ୟାଳୟ ବିଲ୍‌ ପାରିତ କରିଛନ୍ତି ସେ ନେଇ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ ଓ ଏହି ବିଲ୍‌ଟିକୁ ଯାଞ୍ଚ କମିଟିକୁ ପଠାଇବାକୁ ଅନୁରୋଧ କରିଥିଲେ। ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିଲ୍‌ର ଦୁଇଟି ଧାରା ୧୯ ଓ ୩୨ରେ ସଂଶୋଧନ ପାଇଁ ପ୍ରସ୍ତାବ ଆଗତ କରିଥିଲେ। ସଂଶୋଧିତ ପ୍ରସ୍ତାବ ଅନୁଯାୟୀ, ଏଣିକି ବିଶ୍ବବିଦ୍ୟାଳୟ ପରିଚାଳନା କମିଟିରେ ବାଚସ୍ପତିଙ୍କ ଦ୍ବାରା ମନୋନୀତ ୩ ଜଣ ବିଧାୟକ ସଦସ୍ୟ ରହିବେ। ବିଶ୍ବବିଦ୍ୟାଳୟର ସମସ୍ତ କର୍ମଚାରୀ ସ୍ଥାୟୀ ନିଯୁକ୍ତି ପାଇବେ।

ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଅଶ୍ବିନୀ କୁମାର ପାତ୍ର, ପ୍ରପୁଲ୍ଲ ସାମଲ ଓ ରୋହିତ ପୂଜାରୀ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର