ଜଗତସିଂହପୁର : ସବୁକ୍ଷେତ୍ରରେ ଏବେ ଗଣତନ୍ତ୍ରର ଅବକ୍ଷୟ ଘଟିଛି। ପରିସ୍ଥିତି ଏପରି ହୋଇଛି ଯେ, ସମସ୍ତେ ଚୁପ୍ ରହିବାକୁ ଉଚିତ ମନେ କରୁଛନ୍ତି। ଏମିତିକି ସମାଜର ୪ଟି ସ୍ତମ୍ଭ ବି ଏବେ ବିପଦରେ ପଡ଼ିଛନ୍ତି। ଗଣତନ୍ତ୍ରରେ ବିଲକ୍ଷଣ ଦେଖିବାକୁ ମିଳିଲାଣି ବୋଲି ସ୍ବୀକାର କରିବାକୁ ହେବ। ସେଥିପାଇଁ ବ୍ୟବସ୍ଥାର ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ୫୩ ତମ ବାର୍ଷିକ ଚତୁର୍ଦ୍ଦଶୀ ମେଳା-୨୦୨୨ ଅବସରରେ ଆୟୋଜିତ ‘ଗଣତନ୍ତ୍ର ଜ୍ଞାନ ଯଜ୍ଞ’ରେ ଯୋଗଦେଇ କହିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ।
ତିର୍ତ୍ତୋଲ ବ୍ଲକ୍ ଅରିଲୋ ସ୍ଥିତ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଶିଶୁ ଅନନ୍ତ ଆଶ୍ରମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ବର୍ତ୍ତମାନ ଗଣତନ୍ତ୍ରରେ ଅମଲାତନ୍ତ୍ରୀମାନେ ରାଜନେତାମାନଙ୍କଠାରୁ କ୍ଷମତାଶାଳୀ ହୋଇ ଶାସନ କରୁଛନ୍ତି। ବିଭିନ୍ନ ପ୍ରକାର ଚାପ ଯୋଗୁଁ ଗଣମାଧ୍ୟମ ମଧ୍ୟ ବେଳେବେଳେ ନିଜ କର୍ତ୍ତବ୍ୟରୁ ଦୂରେଇ ରହୁଛନ୍ତି। ନ୍ୟାୟପାଳିକାରୁ ଅବସର ନେବାପରେ ବିଚାରପତି ଓ ବରିଷ୍ଠ ଆଇନଜୀବୀମାନେ ରାଜନୀତି କରିବାକୁ ମନବଳାଇ ନିର୍ବାଚନ ଲଢ଼ୁଛନ୍ତି। ଏହା ଗଣତନ୍ତ୍ର ପାଇଁ ଆଦୗ ଶୁଭଙ୍କର ନୁହେଁ। ଗଣତନ୍ତ୍ର ଦୃଢ଼ ଓ ସଶକ୍ତ ନ ହେଲେ ଏହାର ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧାର ମଧ୍ୟକୁ ଠେଲି ହୋଇଯିବ।
କାର୍ଯ୍ୟକ୍ରମରେ ଯୋଗଦେଇ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ସମାଜର ସୁରକ୍ଷା ପାଇଁ ଗଣତନ୍ତ୍ର ସୁଦୃଢ଼ ହେବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ଅତିଥି ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଥିଲେ, ତୁଣ୍ଡ ଖୋଲିଲେ ମୁଣ୍ଡ ଚାଲିଯିବାର ଭୟ ସମସ୍ତଙ୍କୁ ଘାରୁଛି। ଏହାକୁ ଆଦୌ ଏକ ସୁସ୍ଥ ଗଣତନ୍ତ୍ର କୁହାଯାଇପାରିବ ନାହିଁ। ବିଧାୟକ ପ୍ରଶାନ୍ତ ମୁଦୁଲି କେବଳ ରାଜନେତାଙ୍କୁ ସମାଲୋଚନା ନ କରି ଶିକ୍ଷିତ ଓ ବୁଦ୍ଧିଜୀବୀମାନେ ଅଧିକରୁ ଅଧିକ ରାଜନୀତିରେ ପ୍ରବେଶ କଲେ ଅସାଧୁମାନେ ଆପଣାଛାଏଁ ଏଥିରୁ ଦୂରେଇ ଯିବେ ବୋଲି କହିଥିଲେ। ପଦ୍ମଶ୍ରୀ ବାବା ବଳିଆ ବିରୋଧୀ ଦଳ ସୁଦୃଢ଼ ହେବା ଆବଶ୍ୟକ, ନଚେତ ସରକାରୀ ଦଳ ସ୍ବେଚ୍ଛାଚାରୀ ହୋଇଯିବ ବୋଲି କହିଥିଲେ। ଆଇନଜୀବୀ ସୌରୀବନ୍ଧୁ ମହାପାତ୍ର ଗଣତନ୍ତ୍ରର ଅବକ୍ଷୟ ରୋକିବାକୁ ମଣିଷ ଭିତରେ ମାନବୀୟ ମୂଲ୍ୟବୋଧ ସୃଷ୍ଟି ହେବା ଉପରେ ଗୁରୁତ୍ବ ଦେଇଥିଲେ।
ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ସିଂ, ବିଜେପି ନେତା ପ୍ରତାପ ଚନ୍ଦ୍ର ମିଶ୍ର, ପୂର୍ବତନ ଜିଲ୍ଲାପାଳ କିଶୋର ମହାନ୍ତି, ବିଜେଡି ନେତା ସଞ୍ଜୟ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ‘ଅନୁଭୂତିରେ ବଳିଆ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ନିମାଇଁ ଚରଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/jagatsinghpur.jpg)