ପୂର୍ବତନ ସେନା କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ: ଗୁଳିମାଡ଼ରେ ୨ ଗୁରୁତର

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଥାନା ମଜୁରାଇ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଶ୍ବଶୁର ଘରେ ଉନ୍ମତ୍ତକାଣ୍ଡ କରିଛନ୍ତି। ସେ ଡବଲ୍‌ ବ୍ୟାରେଲ୍‌ ବନ୍ଧୁକରୁ ଗୁଳି ଚଳାଇବା ଫଳରେ ତାଙ୍କର ଶଳା ଓ ପୁତୁରା ଆହତ ହୋଇଛନ୍ତି। ଆହତ ତାଙ୍କ ଶଳା ପୀତବାସ ଦାଶ(୪୮) ଓ ପୁତୁରା ଅବିନାଶ ଦାଶ(୨୫)ଙ୍କୁ ତୁରନ୍ତ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁଳିକାଣ୍ଡ ପଛର କାରଣ ନେଇ ପୁଲିସ ଖୋଳତାଡ଼ ଚଳାଇଥିବାବେଳେ ଘରୋଇ କଳିରୁ ଏଭଳି ହୋଇଥିବା କୁହାଯାଉଛି। ଏହ‌ି ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ଗୁଳିକାଣ୍ଡ ଘଟାଇଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ହେଉଛନ୍ତି ଭଦ୍ରକ ଅଞ୍ଚଳର ଚନ୍ଦ୍ରମଣି ପରିଡ଼ା। ଜଗତସିଂହପୁରର ଏକ ବ୍ୟାଙ୍କରେ ଗନ୍‌ମ୍ୟାନ୍ ଭାବେ କାମ କରୁଥିବା ଚନ୍ଦ୍ରମଣି ସପରିବାର ମଜୁରାଇସ୍ଥିତ ଶ୍ବଶୁର ଘରେ ରୁହନ୍ତି। ମଝିରେ ମଝିରେ ଘରେ ମଦ ପିଇ ପାଟିତୁଣ୍ଡ କରିଥା’ନ୍ତି। ଆଜି ଝଗଡ଼ା ଉଗ୍ରରୂପ ନେବାରୁ ଚନ୍ଦ୍ରମଣି ନିଜ ବନ୍ଧୁକ ଆଣି ଫୁଟାଇ ଦେବେ ବୋଲି ଧମକାଇ ଥିଲେ। ପୁତୁରା ଅବିନାଶ ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ, ଚନ୍ଦ୍ରମଣି ବନ୍ଧୁକ ଆଣି ଗୁଳି କରିବାରୁ ଘର କାନ୍ଥରେ ବାଜି ଗୁଳିର ଅଂଶ ଦୁଇ ଜଣଙ୍କ ଦେହରେ ଗଳିଯାଇଥିଲା। ପୀତବାସ ଓ ଅବିନାଶଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପରିବାର ଲୋକେ ଓ ସମ୍ପର୍କୀୟମାନେ ତୁରନ୍ତ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ଜଗତସିଂହପୁର ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଆହତଙ୍କୁ ପଚରାଉଚରା କରିଥିଲା। ଏହାପରେ, ଘଟଣାସ୍ଥଳରୁ ଚନ୍ଦ୍ରମଣିଙ୍କୁ ଧରି ଥାନାକୁ ଆଣିଛି । ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ବେଳେ ପୁଲିସ ମଧ୍ୟ ଅଧିକ କାରଣ ଜାଣିପାରିନାହିଁ। ଘରୋଇ କଳି, ପାଟିତୁଣ୍ଡ ଯୋଗୁଁ ଗୁଳିକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି।

ଉଲ୍ଲେଖଯୋଗ୍ୟ, ଚାରିଦିନ ତଳେ ଗାଁରେ ଗଛରେ ଥିବା ଦୁଇଟି ମାଙ୍କଡ଼କୁ ଗୁଳିକରି ମାରି ଦେଇଥିଲେ ଚନ୍ଦ୍ରମଣି। ଏହି ଘଟଣାକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଚନ୍ଦ୍ରମଣିଙ୍କ ଏହି କାରନାମାକୁ ସମସ୍ତେ ନିନ୍ଦା କରିଥିଲେ। ଚନ୍ଦ୍ରମଣି ସେହି ଦିନଠାରୁ ରକ୍ତମୁଖା ହୋଇପଡ଼ିଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର