ମହିଳା ସଶକ୍ତିକରଣକୁ ଶକ୍ତ ଧକ୍କା : ମହିଳା ସରପଞ୍ଚ ଦାୟିତ୍ୱରେ ସ୍ୱାମୀ, ଦେଢ଼ଶୂର

ଗୋପାଳପୁରରେ ଦେଢ଼ଶୂରଙ୍କ ରାଜ୍
ଗରାମ ପଞ୍ଚାୟତକୁ ଛାଡି ଟାଟା ନଗରରେ ସରପଞ୍ଚ
ଗଡ଼ବିଷୁନୁପୁରରେ ସରପଞ୍ଚ ସ୍ୱାମୀଙ୍କ ଦାଦାଗିରି

ଜଗତସିଂହପୁର ଟାଉନ୍, (ସୋମନାଥ ପରିଡ଼ା): ବିଜେଡି ନେତୃତ୍ୱାଧୀନ ଶାସନରେ ମହିଳାଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଗତ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ମହିଳାଙ୍କ ପାଇଁ ସରଂକ୍ଷିତ କରାଯାଇଥିଲା । ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯାଇଛି । ୨୧ ଜଣ ସାଂସଦଙ୍କ ମଧ୍ୟରେ ୩୩ ପ୍ରତିଶତ ମହିଳା ୭ ଜଣଙ୍କୁ ଲୋକ ସଭାକୁ ପଠାଯାଇଛି । ତେବେ ତଳସ୍ତରରେ ସରପଞ୍ଚ ଓ ସମିତି ସଭ୍ୟ ହେଉଥିବା ମହିଳା ପ୍ରତିନିଧିମାନଙ୍କୁ ଘରେ ବସେଇ ସେମାନଙ୍କ ସ୍ୱାମୀ, ଦେଢ଼ଶୂର ଓ ସମ୍ପର୍କୀୟ କ୍ଷମତାକୁ ଉପଭୋଗ କରୁଛନ୍ତି । ତେବେ କେମିତି ମହିଳା ସଶକ୍ତିକରଣ ହେବେ ତାକୁ ନେଇ ବଡ଼ ପ୍ରଶ୍ନ ଉଠୁଛି ।

ମିଳିଥିବା ତଥ୍ୟ ଅନୁସାରେ ଜଗତସିଂହପୁର ବ୍ଲକ୍‌ରେ ୧୫ ଜଣ, କୁଜଙ୍ଗ ବ୍ଲକ୍‌ରେ ୧୭ ଜଣ, ନାଉଗାଁ ବ୍ଲକ୍‌ରେ ୮ ଜଣ, ତିର୍ତ୍ତୋଲ ବ୍ଲକ୍‌ରେ ୧୫ ଜଣ, ବାଲିକୁଦା ବ୍ଲକ୍‌ରେ୧୬ ଜଣ, ବିରିଡ଼ି ବ୍ଲକ୍‌ରେ ୧୧ ଜଣ, ଏରସମା ବ୍ଲକ୍‌ରେ ୧୩ ଜଣ, ରଘୁନାଥପୁର ବ୍ଲକ୍‌ରେ ୯ ଜଣ ମହିଳା ସରପଞ୍ଚ ରହିଛନ୍ତି । ୧୯୮ ଟି ପଂଚାୟତରେ ମୋଟ ୧୦୪ ଜଣ ମହିଳା ସରପଞ୍ଚ । ଯାହା ୫୦ ପ୍ରତିଶତରୁ ଅଧିକ । ତେବେ ଏକ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ ମାତ୍ର ୧୦ ରୁ ୧୫ ପ୍ରତିଶତ ମହିଳା ପ୍ରତ୍ୟେକ୍ଷ ଭାବେ ସରପଞ୍ଚଙ୍କ ଦାୟିତ୍ୱ ନିର୍ବାହ କରୁଛନ୍ତି । ବାକି ଅନ୍ୟ ସ୍ଥାନ ମାନଙ୍କରେ କେଉଁଠି ସରପଞ୍ଚଙ୍କ ସ୍ୱାମୀ ତ କେଉଁଠି ଦେଢ଼ଶୂର ଏବଂ ଅନ୍ୟ କେଉଁଟି ସମ୍ପର୍କୀୟ ଦାୟିତ୍ୱ ବୁଝୁଛନ୍ତି । କେବଳ ରବରଷ୍ଟାମ୍ପ ଭଳି ସ୍ୱାମୀଙ୍କ ଇଙ୍ଗିତରେ ମହିଳା ସରପଞ୍ଚ ଦସ୍ତଖତ କରି ଦିଅନ୍ତି । ବାସ୍ ଏତିକିରେ ସବୁ କାମ ସରିଯାଏ । ଏଥିରେ ମହିଳା ସରପଞ୍ଚଙ୍କ ଅଜାଣରେ ବ୍ୟାପକ ଦୁର୍ନୀତି ହେଉଥିବାର ମଧ୍ୟ ପ୍ରମାଣ ମିଳୁଛି । ସରକାରୀ ଅର୍ଥକୁ ଆତ୍ମସାତ୍ କରାଯାଉଛି । ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ମିଳିଥିବା ବେଳେ ଏଠାରେ କିନ୍ତୁ ମହିଳାଙ୍କ ସ୍ଥାନରେ ପୁରୁଷ ଉପଭୋଗ କରୁଛନ୍ତି । ଯାହାର କେତୋଟି ଉଦାହରଣ ଗତ ମାସକ ଭିତରେ ସାମ୍‌ନାକୁ ଆସୁଛି।

ଏରସମା ଗଡବିଷୁନୁପୁର ପଞ୍ଚାୟତରେ ସରପଞ୍ଚ ସୁଜାତା ବେହେରା ହେଉଛନ୍ତି ସରପଞ୍ଚ। ହେଲେ ସରପଞ୍ଚଙ୍କ ସ୍ୱାମୀ ପ୍ରଭାକର ବେହେରା କ୍ଷମତାକୁ ବ୍ୟବହାର କରୁଛନ୍ତି । ବର୍ତ୍ତମାନ ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ପ୍ରବାସୀଙ୍କୁ ସରପଞ୍ଚଙ୍କ ସ୍ୱାମୀ ପ୍ରଭାକର ବେହେରା ଚେୟାର୍ ଉଠାଇ ମାଡ଼ ମାରୁଛନ୍ତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲାଠିରେ ବାଡେଇଛନ୍ତି । ସଙ୍ଗରୋଧ କେନ୍ଦ୍ରରେ ହୁକୁମ୍ ଚଲାଉଛନ୍ତି ପ୍ରଭାକର ବେହେରା। ତେବେ କେଉଁ ନ୍ୟାୟରେ ଏଠରେ ସରପଞ୍ଚଙ୍କ ସ୍ୱାମୀ ଆସି ମାଡ଼ ମାରିଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି।

ତିର୍ତ୍ତୋଲ ବ୍ଲକ୍ ଗୋପାଳପୁର ପଞ୍ଚାୟତର ସରପଞ୍ଚ ହେଉଛନ୍ତି ନିୟତ୍ତି ସ୍ୱାଇଁ । ହେଲେ ଏଠାରେ ସରପଞ୍ଚ ପଞ୍ଚାୟତକୁ ଆସୁନଥିବା ବେଳେ ଦେଢ଼ଶୂର ପ୍ରକାଶ ଚନ୍ଦ୍ର ସ୍ୱାଇଁ କ୍ଷମତାକୁ ଉପଭୋଗ କରୁଛନ୍ତି। ଏଠରେ ବ୍ୟାପକ ଦୁର୍ନୀତି ହୋଇଥିବା ସୂଚନା ଅଧିକାର ବଳରେ ତଥ୍ୟ ମିଳିଛି। ମୁଖ୍ୟତଃ ୨୬୨ ଜଣ ଭେଣ୍ଡିଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଇଛି।ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଘଟଣାର ସତ୍ୟତା ଜାଣିବା ପାଇଁ ଗଣମାଧ୍ୟମର ପ୍ରତିନିଧି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ସେଠାରେ ସରପଞ୍ଚଙ୍କ ସିଟ୍‌ରେ ଦେଢ଼ଶୂର ଥିଲେ। ଖବର ସଂଗ୍ରହରେ ବାଧା ସୃଷ୍ଟି କରିବା ସହ ସୂଚନା ଅଧିକାର କର୍ମୀ ରଶ୍ମି ରଂଜନ ଦାଶଙ୍କୁ ଗାଳି ଗୁଲଜ ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଯାହାକୁ ନେଇ ତିର୍ତ୍ତୋଲ ଥାନାରେ ମାମଲା ରୁଜୁ ହୋଇଛି।

ଗରାମ ପଞ୍ଚାୟତରେ ସ୍ଥିତି ସାଂଘାତିକ । କାରଣ ଏଠରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ବନଜାବାସୀନୀ ଦାସ। ହେଲେ ଆରମ୍ଭ ଦିନରୁ ସ୍ୱାମୀଙ୍କ ସହ ଓଡ଼ିଶା ବାହାରେ ଜାମ୍‌ସେଦପୁର ଟାଟା ନଗରରେ ରହୁଛନ୍ତି। ସେଠାରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରୁଥିବା ଅଭିଯୋଗ ହେଉଛି। ହେଲେ ଦେହ ଖରାପ ଦର୍ଶାଇ ପଞ୍ଚାୟତବାସୀଙ୍କୁ ପ୍ରତାରଣା କରି ସେଠାରେ ରହୁଛନ୍ତି । ଅପରପକ୍ଷେ ଦେଢ଼ଶୂର କିଶୋର କୁମାର ସାହୁ ପଞ୍ଚାୟତର ସବୁ କାମ କରୁଛନ୍ତି । କିଶୋର ପୂର୍ବରୁ ମଧ୍ୟ ସରପଞ୍ଚ ଥିଲେ। ମହିଳା ସିଟ୍‌ରେ ନିଜ ଭାଇ ବୋହୂଙ୍କୁ ନିର୍ବାଚିତ କରି ନିଜେ ସରପଞ୍ଚଙ୍କ କ୍ଷମତା ଉପଭୋଗ କରୁଛନ୍ତି । ପଞ୍ଚାୟତରାଜ ନିୟମ କହୁଛି ଯଦି ୧୫ ଦିନ ସରପଞ୍ଚ ଉପସ୍ଥିତ ନରୁହନ୍ତି ତେବେ ସେଠାରେ ନ୍ୟାୟବ ସରପଞ୍ଚ ଦାୟିତ୍ୱ ନେବାକ କଥା । ହେଲେ ନ୍ୟାୟବ ସରପଞ୍ଚ କୌଳାଶ ପରିଡ଼ାଙ୍କୁ ଏଯାଏ ଦାୟିତ୍ୱ ଦିଆଯାଉନାହିଁ।

ସମ୍ବନ୍ଧିତ ଖବର