ଉପଭୋକ୍ତାଙ୍କ ସହ ବିଜୁଳି ବିଭାଗର ଖେଳ
ବର୍ଷକୁ ଆସୁଥିବା ମରାମତି ଟଙ୍କା ଯାଉଛି କୁଆଡେ?

Advertisment

ଜଗତସିଂହପୁର ଟାଉନ୍ : ଅଘୋଷିତ ବିଦ୍ୟୁତ୍ କାଟ ଏବଂ ଲୋ-ଭୋଲଟେଜ୍‌କୁ ନେଇ ଜଗତସିଂହପୁର ଜିଲ୍ଲାବାସୀ ଅତିଷ୍ଠ ହେଲେଣି । କରୋନା ସମୟରେ ଲୋକେ ଅଧିକାଂଶ ସମୟ ଘରେ ରହୁଥିବାରୁ ବିଜୁଳି କାଟ ଚିନ୍ତା ବଢ଼ାଉଛି । ଏନେଇ ବିଦ୍ୟୁତ୍ ବିଭାଗରେ ଅଭିଯୋଗ କଲେ ବି ଫଳ ମିଳୁନାହିଁ । ଯାହାକୁ ନେଇ ଜଗତସିଂହପୁରବାସୀ ତାତିଛନ୍ତି ।

publive-image

ଜଗତସିଂହପୁରରେ ବିଜୁଳି ଭାଗର ମନମୁଖୀ କାର୍ଯ୍ୟ ସହ ବାରମ୍ବାର ଅଘୋଷିତ ବିଜୁଳି କାଟ୍‌କୁ ନେଇ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି । ଉପଭୋକ୍ତାଙ୍କ ସହ ଖେଳ ଖେଳାଯାଇ ଯନ୍ତ୍ରୀଙ୍କ ଷଡ଼ଯନ୍ତ୍ରରେ ବିଜୁଳି କାଟ୍ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି । ତେବେ ଜଗତସିଂହପୁର ଡିଭିଜନ ଅଧୀନରେ ଥିବା ଅଧିକାରୀ ଯନ୍ତ୍ରୀ ଦୀର୍ଘ ବର୍ଷ ଧରି ଆସ୍ଥାନ ଜମାଇ ବସିଥିବା ବେଳେ ନାନା ଦୁର୍ନିତି କରାଯାଇଥିବା ନେଇ ଅଭିଯୋଗ ହେଉଛି । ଫନିରେ ଅତ୍ୟଧିକ ବିଲ୍ କରିବା ସୌଭାଗ୍ୟ ଯୋଜନାରେ କାମ ନକରି ବିଲ୍ ନେବା ଭଳି ସଙ୍ଗୀନ ଅଭିଯୋଗ ବି ସାମ୍ମନାକୁ ଆସୁଛି । ପ୍ରତି ବର୍ଷ ମରାମତି ପାଇଁ ଆସୁଥିବା ଅର୍ଥକୁ ହଡ଼ପ କରାଯାଉଛି ।

ଗତ ଡିସେମ୍ବର ମାସରେ କନକ ନ୍ୟୁଜ୍‌ ପକ୍ଷରୁ କରାଯାଇଥିବା ଅପରେସନ ବ୍ଲାକ୍ ଆଉଟ୍‌ରେ ବିଜୁଳି କାଟ କରିବାକୁ ଇନ୍‌ଭୋଟର କମ୍ପାନି ମାନଙ୍କ ଠାରୁ ଅର୍ଥ ନେଇଥିବା ଅଭିଯୋଗରେ ଧରାପଡ଼ିବାରୁ ୬ ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରଥିଲା ଶକ୍ତି ବିଭାଗ। ଲୋକଙ୍କ ସ୍ୱାର୍ଥକୁ ବଳି ଦେଇ କିପରି ନିଜ ପକେଟ୍ ଗରମ କରିବାକୁ ଯନ୍ତ୍ରୀ ଯୋଜନା କରୁଥିଲେ ତାହା ଓଡ଼ିଶା ବାସୀଙ୍କ ପାଖରେ ପ୍ରମାଣ ରହିଥିଲା। ଏହାପରେ କିଛି ଦିନ ଲୋ-ଭୋଲଟେଜ୍ ରହିଲା ନାହିଁ । ଅଘୋଷିତ ବିଜୁଳି କାଟ ମଧ୍ୟ କମିଲା । କିନ୍ତୁ କିଛି ଦିନ ହେବ ପୁଣି ପୂର୍ବ ଭଳି ବାରମ୍ବାର ଅଘୋଷିତ ବିଜୁଳି କାଟ କରାଯାଉଥିବା ଦେଖଇବାକୁ ମିଳୁଛି । ମୁଖ୍ୟତଃ ଏଲ୍‌ଟି ଲାଇନ୍‌ରେ ବାରମ୍ବାର ବିଭ୍ରାଟ ଘଟୁଛି । ଜଗତସିଂହପୁର ସହର ମୁଖ୍ୟ ରାସ୍ତା ଓ କିଛି ପ୍ରମୁଖ ସ୍ଥାନକୁ ଛାଡ଼ି ଦେଲେ ଜିଲ୍ଲାସାରା ବିଦ୍ୟୁତ୍‌ ତାର କେଉଁଠି ମାଟି ଛୁଇଁଛି ତ କେଉଠି ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ରହିଛି । ଖୁଣ୍ଟ ଭାଙ୍ଗିଛି, ଶଙ୍ଖ ଭାଙ୍ଗିଛି ହେଲେ ସେଥିରେ ବିଦ୍ୟୁତ୍‌ ପ୍ରବାହିତ ହେଉଛି । ଦୁର୍ବଳ ଭିତ୍ତିଭୂମୀ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ପ୍ରତି ବର୍ଷ ମରାମତି ପାଇଁ ଆସୁଥିବା ଅର୍ଥ କୁଆଡ଼େ ଯାଉଛି ବୋଲି ପ୍ରଶ୍ନ ଉଠୁଛି ।

publive-image

ସରକାରୀ ସ୍ତରରେ ବିଭିନ୍ନ ଦିଗକୁ ଲକ୍ଷ କରାଯାଇ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ଧରି ଅଧିକାରୀ ରହି ନଥାନ୍ତି। ସ୍ୱଚ୍ଛତା ଦୃଷ୍ଟିରୁ ଏଭଳି କରାଯାଇଥାଏ । ହେଲେ ଜଗତସିଂହପୁର ସେସୁ ଡିଭିଜନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବର୍ଷ ବର୍ଷ ଧରି ଯନ୍ତ୍ରୀ ମାନେ ଏଠାରେ ଆସ୍ଥାନ ଜମାଇ ରହିଥିବା ବେଳେ ବ୍ୟାପକ ଦୁର୍ନୀତିରେ ଲିପ୍ତ ରହି ଉପଭୋକ୍ତାଙ୍କୁ ନାହିଁ ନଥିବା ସମସ୍ୟାରେ ପକାଉଥିବା ନେଇ ଅଭିଯୋଗ ଉଠିଛି । ଯାହାର ତଥ୍ୟ ସମ୍ବାଦ ହାତରେ ଲାଗିଛି ।

ପ୍ରଥମେ ଜଗତସିଂହପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜଗଦିଶ ସାହୁ ଦିର୍ଘ ୬ ବର୍ଷ ଧରି ଦାୟିତ୍ୱରେ ରହିଥିଲେ। ତେବେ ଫନି ଅର୍ଥ ହେର୍ଫେର୍ ଅଭିଯୋଗ ପରେ ତାଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ବିରଜା ପ୍ରସାଦ ପଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଛି । ଜଗତସିଂହପୁର ଡିଭିଜନ ଅଧୀନରେ ରହିଛି ଜଗତସିଂହପୁର ସବ୍ ଡିଭିଜନ, ବାଲିକୁଦା ସବ୍ ଡିଭିଜନ ଏବଂ ରଘୁନାଥପୁର ସବ୍ ଡିଭିଜନ । ଏହି ସବୁ ସବ୍ ଡିଭିଜରେ ଥିବା ଯନ୍ତ୍ରୀ ମଧ୍ୟ ଦୀର୍ଘ ବର୍ଷ ଧରି ରହି ନିଜର ପତିଆରା ବିସ୍ତାର କରିବାରେ ଲାଗିଛନ୍ତି । ଜଗତସିଂହପୁର ସବ୍ ଡିଭିଜନ ଅଧୀନରେ ଜଗତସିଂହପୁର-୧ ଓ ୨, ଡିହସାହି ଓ ମଣ୍ଡାସାହୀ ସେକ୍ସନ ରହିଛି । ତେବେ ଜଗତସିଂହପୁର ସବ୍ ଡିଭିଜନର ସବ୍-ଡିଭିଜିନାଲ ଅଫିସର(ଏସ୍‌ଡିଓ) ଭାବେ କାର୍ଯ୍ୟ କରୁଛନ୍ତି ବାବୁଲି ବେହେରା । ବିଗତ ୪ ବର୍ଷ ଧରି ସେ ଏହି ଦାୟିତ୍ୱରେ କାମ କରୁଛନ୍ତି । ଜଗତସିଂହପୁର-୧ର ଜୁନିୟର ଇଂଜିନିୟର(ଜେଇ) ଭାବେ ୭ ବର୍ଷ ଧରି ନିମାଇଁ ଚରଣ ମିଶ୍ର କାମ କରୁଛନ୍ତି । ଜଗତସିଂହପୁର- ୨ କନିଷ୍ଠ ଯନ୍ତ୍ରୀ ଭାବେ ବର୍ତ୍ତମାନ ସଂଜୟ ମହାନ୍ତି ନୂତନ ଭାବେ କାମ କରୁଛନ୍ତି । କିନ୍ତୁ ତାଙ୍କ ପୂର୍ବରୁ ଦିପ୍ତୀ ରଂଜନ ସ୍ୱାଇଁ ୯ ବର୍ଷ ଧରି ଆସ୍ଥାନ ଜମାଇ ରହିଥିଲେ । କିନ୍ତୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ଡିସେମ୍ବରରେ ଭିଜିଲାନ୍ସ ରେଡ୍ କରିଥିଲା । ହେଲେ ଆଇନର ଗଳାବାଟ ଦେଇ ବର୍ତ୍ତମାନ କଟକରେ ସର୍କଲ ଅଫିସରେ କାମ କରୁଛନ୍ତି । ସବୁଠାରୁ ବଡ଼ କଥା ହେଲା ଶ୍ରୀ ସ୍ୱାଇଁଙ୍କ ଘର ଜଗତସିଂହପୁର ବ୍ଲକ୍‌ରେ । ନିଜ ଜନ୍ମ ସ୍ଥାନରେ କିପରି ସେ ୯ ବର୍ଷ ଧରି କାମ କରୁଛନ୍ତି ତାହା ତଦନ୍ତ ସାପେକ୍ଷ । ଡିହସାହି ସେକ୍ସନ ଅଫିସ୍‌ର କନିଷ୍ଟ ଯନ୍ତ୍ରୀ ଏମ୍ କେ ପ୍ରଧାନ ୫ ବର୍ଷରୁ ଅଧିକ ସମୟ ଧରି କାମ କରୁଛନ୍ତି । ମଣ୍ଡାସାହି ସେକ୍ସନ ଅଫିସରେ କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର ସାହୁ ସଢ଼େ ୪ ବର୍ଷ ହେବ କାର୍ଯ୍ୟ କରୁଛନ୍ତି । ତେବେ ଜଗତସିଂହପୁର ମୁଖ୍ୟାଳୟ ହୋଇବି ବାରମ୍ବାର ବିଜୁଳି କାଟ୍ ହେବା ସହ ଦୁର୍ବଳ ଭିତ୍ତିଭୂମୀକୁ ନେଇ ସାଧାରଣ ଲୋକ ସ୍ୱର ଉଠାଇଛନ୍ତି । କିନ୍ତୁ ଏହାକୁ ଦୃଷ୍ଟି ଦେଉ ନାହାନ୍ତି ଯନ୍ତ୍ରୀ । ଲୋକଙ୍କ ସ୍ୱାର୍ଥକୁ ବଳି ଦେଇ ନିଜ ପକେଟ୍ ଗରମ କରୁଛନ୍ତି । ଜଗତସିଂହପୁର ଡିଭିଜନର ଏଷ୍ଟିମେଟର ସନ୍ତୋଷ କୁମାର ସାହୁ ସର୍ବାଧିକ ୧୫ ବର୍ଷ ଧରି ରହିଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ହୋଇଥିଲେ ହେଁ କେମିତି ଏତେ ଦିନ ଧରି ସେ ରହିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ବିଭାଗରେ ହେଉଥିବା ଠିକାଦାରୀ କାର୍ଯ୍ୟକୁ ଶ୍ରୀ ସାହୁ ଏଷ୍ଟିମେଟ୍ କରିଥାନ୍ତି । ତେବେ ଏଠାରେ ବ୍ୟାପକ ହେରଫେର୍ ହେଉଥିବା ନେଇ ବାରମ୍ବାର ଅଭିଯୋଗ ଉଠିଛି । ହେଲେ କଳେବଳେ କୌଶଳେ ଘଟଣାକୁ ଚପାଇ ଦିଆଯାଇଛି ।

publive-image

ସେହିପରି ବାଲିକୁଦା ସବ୍-ଡିଭିଜନରେ ବାଲିକୁଦା ସେକ୍ସନ-୧ ଓ ୨ ଏବଂ ନାଉଗାଁ ସେକ୍ସନ ରହିଛି । ବାଲିକୁଦା ସବ୍-ଡିଭିଜନରେ ଦେବଦତ୍ତ ଉପାଧାୟ ଏସ୍‌ଡିଓ ଭାବେ ପ୍ରାୟ ୬ ବର୍ଷ ହେବ କାମ କରୁଛନ୍ତି । ବାଲିକୁଦା ସେକ୍ସନ-୧ରେ କନିଷ୍ଠ ଯନ୍ତ୍ରୀ ମନୋରଂଜନ ପତି ସର୍ବାଧିକ ୧୨ ବର୍ଷ ହେବ ରହିଛନ୍ତି । ବାଲିକୁଦା ସେକ୍ସନ-୨ ଶୋଭାରେ କନିଷ୍ଠ ଯନ୍ତ୍ରୀ ମନୋରଂଜନ ବେହେରା ୬ ବର୍ଷ ଧରି କାମ କରୁଛନ୍ତି । ନାଉଗାଁ ସେକ୍ସନରେ କମଳାକାନ୍ତ ବିଶୋଇ ପ୍ରାୟ ୪ ବର୍ଷ ହେବ କାର୍ଯ୍ୟ କରୁଛନ୍ତି । ବାଲକିୁଦା ଉପାନ୍ତ ଅଚଂଳରେ ସାମାନ୍ୟ ପବନ ବର୍ଷା ହେଲେ ବିଜୁଳି କାଟ୍ କରାଯାଉଛି । ଥରେ ବିଜୁଳି କଟିଲେ ଦିନ ଦିନ ଧରି ଆସିବାର ନାଁ ଧରୁନାହିଁ । ମାସକୁ ମାସ ସେସୁକୁ ବିଜଳି ଅର୍ଥ ଦେଉଥିଲେ ହେଁ ଉପଭୋକ୍ତା ସର୍ବନିମ୍ନ ସୁବିଧା ପାଇ ପାରୁନାହାନ୍ତି । ସେପରି ସ୍ଥଳରେ ଜଣେ ଯନ୍ତ୍ରୀ ୧୨ ବର୍ଷ ଓ ଜଣେ ୬ ବର୍ଷ ଧରି କଣ ଓ କିଭଳି କାର୍ଯ୍ୟ କରୁଛନ୍ତି ତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଅନ୍ୟ ଏକ ବଡ଼ କଥା ହେଉଛି ଏହି ଅଂଚଳରେ ଅଧିକାଂଶ ଇନ୍‌ଭୋଟର ବିକ୍ରି ହୋଇଥିବା ଜଣାପଡ଼ିଛି । ବିଦ୍ୟୁତ୍ ବାରମ୍ବାର କଟୁଥିବାରୁ ଉପଭୋକ୍ତା ବାଧ୍ୟ ହୋଇ ଇନ୍‌ଭୋଟର କିଣୁଛନ୍ତି । ନାଉଗାଁରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ଏଥିରେ ଯନ୍ତ୍ରୀଙ୍କ ବଡ଼ ଭୂମିକା ରହିଛି ବୋଲି ଅଭିଯୋଗ ଉଠୁଛି ।

ରଘୁନାଥପୁର ସବ୍ ଡିଭିଜନ ଅଧୀନରେ ରଘୁନାଥପୁର ସେକ୍ସନ ଓ ବିରିଡ଼ି ସେକ୍ସନ ରହିଛି । ରଘୁନାଥପୁର ସବ୍ ଡିଭିଜନ ଅଫିସର ଭାବେ ବିଶ୍ୱରଂଜନ ଦେହୁରି ସାଢ଼େ ୩ ବର୍ଷରୁ ଅଧିକ ସମୟ ଧରି କାମ କରୁଛନ୍ତି । ରଘୁନାଥପୁର ସେକ୍ସନର କନିଷ୍ଟ ଯନ୍ତ୍ରୀ ଭବାନୀ ପ୍ରସାଦ ମହାନ୍ତି ମଧ୍ୟ ସାଢ଼େ ୩ ବର୍ଷରୁ ଅଧିକ ସମୟ ଧରି ରହିଛନ୍ତି । ହେଲେ ବିରିଡ଼ି ସେକ୍ସନ ଅଫିସର କନିଷ୍ଟ ଯନ୍ତ୍ରୀ ବନୋଜ କୁମାର ନାୟକ ୬ ବର୍ଷରୁ ଅଧିକ ସମୟ ଧରି ରହିଛନ୍ତି । ଗତ ପ୍ରଳୟଙ୍କରୀ ବାତ୍ୟା ଫନିରେ ବିରିଡ଼ି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ସେହିପରି ଘୋଟାଲାରେ ମଧ୍ୟ ବିରିଡ଼ି ସବୁଠାରୁ ଆଗରେ ଥିବା ଜଣା ପଡ଼ିଛି । ଏହି ଡିଭିଜନରେ ସୌଭାଗ୍ୟ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି ।

publive-image

ଗତ ଫିନରେ ଜଗତସିଂହପୁର ଡିଭିଜନରେ ୩ କୋଟି ଟଙ୍କାରୁ ଅଧିକ କାମ ହୋଇଥିବା ଦର୍ଶା ଯାଇଥିଲା । ହେଲେ ମାତ୍ର କୋଟିଏ ଟଙ୍କା ଖର୍ଚ୍ଚ କରାଯାଇ ଏଥିରେ ୨ କୋଟିରୁ ଅଧିକ ଟଙ୍କାର ବିଲ୍ କରାଯାଇଥିବା ନେଇ ଚାଞ୍ଚଲ୍ୟ କର ତଥ୍ୟ ପଦାକୁ ଆସିଥିଲା । ଯାହାକୁ ଭୁବନେଶ୍ୱରରେ ହେଉଥିବା ଫନି ବୈଠକରେ ଏନେଇ ସିଇଓ ଅରୁଣ ବୋଥ୍ରା ମଧ୍ୟ ପ୍ରଶ୍ନ ଉଠାଇଥିଲେ। ହେଲେ ଏହାପରେ ନିର୍ବାହୀ ଯନ୍ତ୍ରୀଙ୍କୁ ବଦଳି କରି ଦେଇ ଘଟଣାକୁ ଚପାଇ ଦିଆଗଲା । ତେବେ ଅଧିକ ସମୟ ଧରି ରହିଥିବା ଯନ୍ତ୍ରୀ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ସାଧାରଣରେ ଉପଭୋକ୍ତାମାନେ ଦାବି ଉଠାଇଛନ୍ତି । ଗତ ଅମ୍ଫାନରେ ତୁରନ୍ତ ବିଜୁଳି ସଂଯୋଗ ଦେବା ନେଇ ପ୍ରଶାସନ ବିଦ୍ୟୁତ୍ ବିଭାଗକୁ ପ୍ରଶଂସା କରିଥିଲେ । ଏବେ ବିଦ୍ୟୁତ୍‌ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଜିଲ୍ଲାପାଳ ନିଜେ ତଦନ୍ତ କରି ଉପଭୋକ୍ତାଙ୍କୁ ନ୍ୟାୟ ଦେବା ପାଇଁ ଦାବି ଉଠୁଛି।