ଜିଲ୍ଲା ବାହାରୁ ଯିବା–ଆସିବା ଉପରେ କଟକଣା କଲେ ଜିଲ୍ଲାପାଳ : ଅଯଥାରେ ଅଫିସ ନଆସି ଟ୍ବିଟରରେ ଅଭିଯୋଗ କରିବାକୁ ପରାମର୍ଶ

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଳାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଠୋର ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲା ଭିତରକୁ ଯିବା ଆସିବା ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ଆଜି ଏ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ଭିଡିଓ ମେସେଜ୍ ଜାରି କରିଛନ୍ତି। ମୁଖ୍ୟତଃ ଜଗତସିଂହପୁରକୁ ଲାଗି ରହିଥିବା ଜିଲ୍ଲା କଟକ, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଳାରୁ ଜଗତସିଂହପୁର ଜିଲ୍ଲା ଭିତରକୁ ପ୍ରବେଶ କରିବା ଓ ଜିଲ୍ଲାରୁ ବାହାରକୁ ଜିବା ପାଇଁ କଟକଣା ଜାରି କରିଛନ୍ତି। ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ହେଉଥିବା ନଜରକୁ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବିଶେଷ କରି କଟକ–ଭୁବନେଶ୍ବରକୁ ପ୍ରତିଦିନ ଜିଲ୍ଳାରୁ ଅନେକ ଲୋକ ଯାଉଛନ୍ତି। ଅନ୍ୟପଟେ କଟକ–ଭୁବନେଶ୍ବରରୁ ପ୍ରତିଦିନ କିଛି ଲୋକ ଏବଂ ସରକାରୀ ଅଧିକାରୀ ଜିଲ୍ଲାକୁ ଆସୁଛନ୍ତି। ଏପରି କ୍ଷେତ୍ରରେ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ଏଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ତେବେ ଅତି ଜରୁରୀ କାମ ଥିଲେ ଜିଲ୍ଲା ପ୍ରଶାସନର ଅନୁମତି ନେଇ ଯିବାକୁ କୁହାଯାଇଛି।

ଭିଡିଓରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି। ବଜାରରେ ଅଯଥାରେ ଗହଳି ନ କରି ଶୀଘ୍ର ଘରକୁ ଫେରିଯିବାକୁ କହିଛନ୍ତି। ଛୋଟ ପିଲା, ଗର୍ଭବତୀ ମହିଳା, ବୟସ୍କ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଗାଁକୁ ଯଦି ବାହାରୁ ଲୋକ ଆସୁଛନ୍ତି ତେବେ ତୁରନ୍ତ ପ୍ରଶାସନିକ ଅଧିକାରୀଙ୍କୁ ଖବର ଦେବାକୁ ଲୋକମାନଙ୍କୁ କହିଛନ୍ତି। ଗାଁରେ ଆଶାକର୍ମୀ ଘରକୁ ଘର ବୁଲି କାହାର ଥଣ୍ତା, ଛିଙ୍କ, ଜ୍ବର ଅଛି ତାହା ସର୍ଭେ କରୁଛନ୍ତି। ଏଥିରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ସେହିଭଳି ଅତି ଆବଶ୍ୟକ କାମ ନଥିଲେ ସରକାରୀ ଅଫିସକୁ ନଆସିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲାର ସମସ୍ତ ଅଫିସ କାମ ଇ-ଅଫିସ ଜରିଆରେ କରାଯାଉଛି। ଅଭିଯୋଗ ଥିଲେ ଜନସହଯୋଗ ଜେଏସ୍‌ପୁର ଡଟ୍ ଓଆର୍‌ଜି ପୋର୍ଟାଲରେ ଅଭିଯୋଗ କରି ପାରିବେ। ଯଦି କୌଣସି ବ୍ଲକ୍‌ରେ କାମ ଅଛି ପ୍ରତ୍ୟେକଙ୍କର ସୋସିଆଲ ମିଡିଆ ଟ୍ବିଟରରେ ଟୁଇଟ୍ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଆଗକୁ କରୋନା ସ୍ଥିତି ଭୟଙ୍କର ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ତେଣୁ ଏଥିରେ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର