ଜଗତସିଂହପୁର, (ସନ୍ଦୀପ ଲେଙ୍କା): ବିଶ୍ବ ମାନଚିତ୍ରରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ର ନୋଳିଆସାହିକୁ ମିଳିଛି ସ୍ବତନ୍ତ୍ର ପରିଚୟ। ସୁନାମି ପରିଚାଳନା ଓ ସତର୍କତା ନେଇ ଗ୍ରାମବାସୀମାନେ ଦୀର୍ଘବର୍ଷ ଧରି କରିଥିବା ସହଯୋଗ ଓ ପ୍ରଚେଷ୍ଟାର ଫଳସ୍ବରୂପ ଏହି ଗାଁକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ମିଳିଛି। ୟୁନେସ୍କୋ, ଭାରତ ମହାସାଗର ସୁନାମି ସତର୍କତା ପରିଚାଳନା କମିଟି, ଏନ୍ଡିଆରଏଫ୍, ଓସ୍ଡମା ଏବଂ ଭାରତୀୟ ଭୂବିଜ୍ଞାନ ବିଭାଗର ମିଳିତ ସୁପାରିଶରେ ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ ହେବା ପାଇଁ ଏହି ଗାଁକୁ ଚିହ୍ନଟ କରାଯାଇଛି। ଗାଁରେ ଆଗୁଆ ସୁନାମି ସୂଚନା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏକଦା ମହାବାତ୍ୟାରେ ନଷ୍ଟ ହୋଇଯାଇଥିବା ଏହି ଗାଁ ଏବେ ବିଶ୍ବର ପ୍ରଥମ ସୁନାମି ସଚେତନ ଓ ସତର୍କ ଗାଁ ହେବାର ସୁନାମ ପାଇଛି।
ନୋଳିଆସାହିର ସଂଗ୍ରାମ ଆରମ୍ଭ ହୋଇଥିଲା ୧୯୯୯ ମସିହାର ମହାବାତ୍ୟା ପରଠାରୁ। ମହାବାତ୍ୟ ପୂର୍ବରୁ ସଂପୂର୍ଣ୍ଣ ଅପରିଚିତ ଥିବା ଏରସମା ଅଞ୍ଚଳ ହଠାତ୍ ଲୋକଲୋଚନକୁ ଆସିଥିଲା। ଗଡ଼ହରିଶପୁର ପଂଚାୟତର ଏହି ଗାଁଟି ସମୁଦ୍ର କୂଳରେ ଅବସ୍ଥିତ। ନୋଳିଆସାହିରେ ୫୦-୫୫ ପରିବାର ରୁହନ୍ତି। ସେମାନଙ୍କ ମଧ୍ୟରୁ କିଛିଲୋକ ସମୁଦ୍ର ଓ ନଈରୁ ମାଛ ଧରୁଥିବା ବେଳେ ଅନ୍ୟ କିଛିଲୋକ ଚିଙ୍ଗୁଡ଼ି ଘେରି କରିଛନ୍ତି। ସମୁଦ୍ରରେ ଲଘୁଚାପ ହେଲେ ଏମାନେ ଭୟଭୀତ ହୋଇ ପଡ଼ୁଥିଲେ।
ମାତ୍ର ବର୍ତ୍ତମାନ ସମୟ ବଦଳିଯାଇଛି। ୧୯୯୯ ମହାବାତ୍ୟା ପରେ ଓସଡମା ପକ୍ଷରୁ ଏଠାରେ ଏକ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା। ୨୦୧୫ରେ ଉଦ୍ଘାଟନ ହୋଇଥିବା ଏହି ଆଶ୍ରୟସ୍ଥଳକୁ ଭିନ୍ନ ଏକ ଶୈଳୀରେ ନିର୍ମାଣ କରାଯାଇଛି। ଆଗୁଆ ସୁନାମି ସୂଚନା ପ୍ରଦାନ ବ୍ୟବସ୍ଥା ପାଇଁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ଓ ସେନସର୍ ଲଗାଯାଇଛି। ସମୁଦ୍ରରେ ବାତ୍ୟା ସୃଷ୍ଟି ହେଲେ କିମ୍ବା ଢେ଼ଉ ଉଠିବାର ସମ୍ଭାବନା ଥିଲେ ଏଥିରେ ସାଇରନ ବାଜି ଉଠେ। ଏହି ସାଇରନର ଶଦ୍ଦ ପାଖାପାଖି ଦେଢ କିଲୋମିଟର ଦୂରକୁ ଶୁଭେ। ଏଣୁ ଲୋକମାନେ ସତର୍କ ହୋଇଯିବା ସହ ଆଶ୍ରୟସ୍ଥଳକୁ ଚାଲି ଆସନ୍ତି। ଏହି ଆଶ୍ରୟସ୍ଥଳରେ ମଧ୍ୟରେ ସମସ୍ତ ଗାଁ ଲୋକ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଆଉ ଏକ ଗୁରୁତ୍ବପୂର୍ଣ କଥା ହେଲା, ଓସ୍ଡମା ପକ୍ଷରୁ ଏହି ଗାଁର କିଛି ଯୁବକଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ସୁନାମିରୁ ସତର୍କ ରହି କିପରି ଏହାକୁ ମୁକାବିଲା କରିହେବ, ସେ ନେଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏଣୁ ବାତ୍ୟା ଆସୁଥିବା ଜାଣିବା ପରେ ଏହି ଯୁବକମାନେ ତୁରନ୍ତ ଘରୁ ବାହାରି ଲୋକମାନଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳକୁ ଆଣନ୍ତି।
ଆଜି ଏହି ସମ୍ମାନ ନିଶ୍ଚିତ ଭାବେ ବେଶ୍ ଆତ୍ମସନ୍ତୋଷ ଆଣିଦେଇଛି। ଏରସମା ବ୍ଲକ୍ ନାଁ ଶୁଣିଲେ ସମସ୍ତେ ୧୯୯୯ ମସିହା ମହାବାତ୍ୟାରେ ପ୍ରଭାବିତ ଅଂଚଳ ବୋଲି ଚିନ୍ତା କରୁଥିଲେ। ମାତ୍ର, କିଛିବର୍ଷର ପ୍ରସ୍ତୁତି, ସହଯୋଗ, ପ୍ରଶାସନ ପରାମର୍ଶକୁ ପାଳନ କରିବା ପରେ ଆଜି ନୋଳିଆସାହି ପାଲଟିଯାଇଛି ବିଶ୍ବର ପ୍ରଥମ ସୁନାମି ସତର୍କ ଓ ପ୍ରସ୍ତୁତି ଗାଁ। ଏଥିପାଇଁ ଗାଁକୁ ୟୁନେସ୍କୋ ପକ୍ଷରୁ ଯେଉଁ ସମ୍ମାନ ମିଳିଲା ତାହା ସାରା ଦେଶରେ ଏହି ଅଂଚଳକୁ ବେଶ୍ ଆଗୁଆ ବୋଲି ପ୍ରମାଣିତ କରିଛି।
ଏ ସମ୍ପର୍କରେ ଗଡ଼ହରିଶପୁର ସରପଞ୍ଚ ଭୀମସେନ ରାଉତ କହନ୍ତି, ଓସ୍ଡମା ପକ୍ଷରୁ ଏହି ଅଂଚଳରେ ଯାହା ବି କିଛି ପଦକ୍ଷେପ ନିଆଯାଇଛି, ସେଥିପାଇଁ ସମସ୍ତ ଗ୍ରାମବାସୀ ଉପକୃତ ହେଉଛନ୍ତି। ଆଗୁଆ ସୁନାମି ସୂଚନା ମିଳିଯାଉଥିବାରୁ ଧନଜୀବନ ଆଦୌ ନଷ୍ଟ ହେଉନି। ଏଣୁ ଏହି ସମ୍ମାନ ଏହି ଗ୍ରାମବାସୀଙ୍କୁ ବେଶ୍ ଉତ୍ସାହିତ କରିଛି। ସେମାନେ ନିଜ ନିଜ ଦାୟିତ୍ବ ପ୍ରତି ଅଧିକ ସଚେତନ ହୋଇପାରିବେ ବୋଲି ସେ କହିଛନ୍ତି। ୨୧ବର୍ଷ ଧରି ପ୍ରଶାସନକୁ ସହଯୋଗ, ପ୍ରଶାସନର ସୂଚନା ପାଳନ, ଶୃଙ୍ଖଳିତ ଚେଷ୍ଟା ଓ ସତର୍କତା ଯୋଗୁଁ ନୋଳିଆସାହି ଆଜି ବିଶ୍ବର ଅନ୍ୟତମ ଆଗୁଆ ଗାଁ ପାଲଟିଛି।