ଜଗତସିଂହପୁର: ଆମ୍ବୁଲାନ୍ସର ଅକ୍ସିଜେନ୍ ସରିଯିବାରୁ ଜଗତସିଂହପୁରରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଆମ୍ବୁଲାନ୍ସ ଭଙ୍ଗାରୁଜା ହୋଇଛି। ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ ପହଞ୍ଚି ଗାଡ଼ି ଜବତ କରି ଥାନାକୁ ଆଣିଛି। ସେହିପରି ଜିଲ୍ଲାପାଳ ଏନେଇ ସିଡିଏମ୍ଓଙ୍କୁ ରିପୋର୍ଟ ମାଗିଥିବା ଜଣାପଡ଼ିଛି। ତଦନ୍ତ ଶେଷ ହୋଇଥିବା ବେଳେ ଆସନ୍ତାକାଲି ଏହି ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହେବ ବୋଲି ଜଣାପଡ଼ିଛି। 

Advertisment

ଉତ୍ତେଜନା, ଭଙ୍ଗାରୁଜା: ଗାଡ଼ି ଛାଡ଼ି ପଳାଇଲେ ଡ୍ରାଇଭର
ପରିବହନ ଓ ସ୍ବାସ୍ଥ୍ୟ ବିଭାଗ ଭୂମିକା ନେଇ ପ୍ରଶ୍ନ
ଜିଲ୍ଲାପାଳ ମାଗିଲେ ରିପୋର୍ଟ

ମୃତ ମହିଳା ରୋଗୀ ହେଲେ ଜଗତସିଂହପୁର ବ୍ଲକ୍‌ ଅଳା ପଞ୍ଚାୟତ ବ୍ରାହ୍ମଣଖଣ୍ଡ ଅଞ୍ଚଳର ଆଇନଜୀବୀ ପୀତାମ୍ବର ପଣ୍ଡାଙ୍କ ପତ୍ନୀ କମଳା ପଣ୍ଡା। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହୃଦ୍‌ଘାତ ହୋଇଥିବା ଆଶଙ୍କା କରି ଡାକ୍ତର ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେତେବେଳେ ସରକାରୀ ଆମ୍ବୁଲାନ୍ସ ନଥିଲା। ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିବା ବେଳେ ୪୦ ମିନିଟ୍‌ ବିଳମ୍ବରେ ପହଞ୍ଚିବ ବୋଲି ସୂଚନା ପାଇଥିଲେ। ଫଳରେ ଏକ ଘରୋଇ ଆମ୍ବୁଲାନ୍ସରେ ପରିବାର ଲୋକ ମହିଳାଙ୍କୁ ନେଇ କଟକ ବଡ଼ଡାକ୍ତରଖାନାକୁ ଯାଉଥିଲେ। ମାତ୍ର ଦୁଇ କିଲୋମିଟର ଯିବା ପରେ ଗୋପାଳସାଗର ନିକଟରେ ଆମ୍ବୁଲାନ୍ସରୁ ଅକ୍ସିଜେନ୍ ସରିଯିବାରୁ ସେଠାରେ ହିଁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆମ୍ବୁଲାନ୍ସ ଭଙ୍ଗାରୁଜା କରାଯାଇଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଖସି ପଳାଇଥିଲେ।

କାହିଁକି ସରକାରୀ ଆମ୍ବୁଲାନ୍ସ ମିଳି ନ ଥିଲା ଓ ଘରୋଇ ଆମ୍ବୁଲାନ୍ସରୁ ଅକ୍ସିଜେନ୍ ସରିଗଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ଗତକାଲି ରାତିରେ ଉପସ୍ଥିତ ଥିବା ଡାକ୍ତରଙ୍କୁ ଆଜି ଏକ ଟିମ୍‌ ପଚରାଉଚରା କରିଛନ୍ତି। ଅନ୍ୟପକ୍ଷରେ ଘରୋଇ ଆମ୍ବୁଲାନ୍ସର ଯାଞ୍ଚ କରିବା ଦାୟିତ୍ବ ପରିବହନ କାର୍ଯ୍ୟାଳୟର। ଆମ୍ବୁଲାନ୍ସକୁ ଲାଇସେନ୍ସ ଦିଆଯିବା ସମୟରେ ସେଥିରେ ଆବଶ୍ୟକ ଉପକରଣ ଅଛି କି ନାହିଁ, ରୋଗୀ ନେବା ପାଇଁ ଉପଯୁକ୍ତ କି ନୁହେଁ, ସେ ସବୁ ଯାଞ୍ଚ ହେବା ଆବଶ୍ୟକ। ସେହିପରି ରୋଗୀ ସେବାରେ ନିୟୋଜିତ ଆମ୍ବୁଲାନ୍ସକୁ ମଧ୍ୟ ଆର୍‌ଟିଓ ଓ ଏମ୍‌ଭିଆଇ ନିୟମିତ ଯାଞ୍ଚ କରିବାର ନିୟମ ରହିଛି। ସ୍ବାସ୍ଥ୍ୟ ବିଭାଗ ମଧ୍ୟ ପରିବହନ ବିଭାଗ ସହ ମିଳିତ ଭାବେ ଘରୋଇ ଆମ୍ବୁଲାନ୍ସକୁ ଯାଞ୍ଚ କରିବା କଥା ବୋଲି ଆର୍‌ଟିଓ ଦୀପକ କୁମାର ସେଠୀ କହିଛନ୍ତି।