ମାଟି କାମୁଡ଼ିଲା କଂଗ୍ରେସ୍‌, ବିଜେପିର ଭୋଟ୍ ହାର ବୃଦ୍ଧି : ଚିରଞ୍ଜୀବ ହାରିଲେ, ତିନି ନମ୍ବରରେ ଦାମ

ଜଗତ୍‌ସିଂହପୁର : ଏଥର ଜଗତସିଂହପୁର ଜିଲ୍ଲାର ଚାରିଟି ଯାକ ବିଧାନସଭା ଆସନକୁ ବିଜେଡି କବଜା କରିବାକୁ ସକ୍ଷମ ହୋଇଛି। ଅନ୍ୟପଟେ ବିରୋଧୀ କଂଗ୍ରେସର ସମସ୍ତ ପ୍ରାର୍ଥୀ ହାରି ଯାଇଥିବା ବେଳେ ବିଜେପିର ଭୋଟ୍ ହାରରେ ବୃଦ୍ଧି ଘଟିଛି।

ଜଗତସିଂହପୁର ବିଧାନସଭା ଆସନରେ ୨୦୧୪ରେ ବିଧାୟକ ହୋଇଥିବା କଂଗ୍ରେସର ହେଭିୱେଟ୍ ନେତା ଚିରଞ୍ଜୀବ ବିଶ୍ବାଳଙ୍କୁ ଏଥର ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ତାଙ୍କ ବିରୋଧରେ ବିଜେଡି ବାଲିକୁଦା–ଏରସମାର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଥିଲା। ଦଳର ଏହି ନିଷ୍ପତ୍ତିକୁ କିନ୍ତୁ ଜଗତସିଂହପୁରର ପୁରୁଣା ବିଜେଡି ନେତାମାନେ ପ୍ରଥମେ ତୀବ୍ର ବିରୋଧ କରିଥିଲେ। ଯାହାକି କଂଗ୍ରେସ କର୍ମୀମାନଙ୍କୁ ବେଶ୍ ଉତ୍ସାହିତ କରିଥିଲା। ମାତ୍ର ବିଜେଡି ଏହି ମତଭେଦକୁ ଦୂର କରିବାକୁ ସକ୍ଷମ ହୋଇଥିଲା। ଅନ୍ୟପଟେ ଏହି ଆସନରେ ବିଜେପି ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ର ତିନି ନମ୍ବରରେ ରହିଥିଲେ ମଧ୍ୟ ଏଠାରେ ବିଜେପିର ଭୋଟ୍ ହାରରେ ବୃଦ୍ଧି ଘଟିଛି। ୨୦୧୪ରେ ଏଠାରୁ ବିଜେପି ୭ ହଜାର ୫୮ ଖଣ୍ତ ଭୋଟ୍ ପାଇଥିବା ବେଳେ ଏଥର ୨୮ ହଜାରରୁ ଅଧିକ ଭୋଟ୍ ପାଇଛି। ସେହିପରି ବାଲିକୁଦା–ଏରସମାରୁ ବିଜେପି ପ୍ରାର୍ଥୀ ଡା. ଦାମୋଦର ରାଉତଙ୍କ ଉପରେ ସାରା ରାଜ୍ୟର ନଜର ଥିଲା। ମାତ୍ର ଦାମଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ରଘୁନନ୍ଦନ ଦାସଙ୍କୁ ବିଧାୟକ ପ୍ରାର୍ଥୀ କରି ଦଳ ଏକ ସ୍ବତନ୍ତ୍ର ଗେମ୍‌ପ୍ଲାନ୍ ପ୍ରସ୍ତୁତ କରିଥିଲା। ରଘୁନନ୍ଦନ ମଧ୍ୟ ଦଳକୁ ନିରାଶ ନ କରି ବିପୁଳ ଭୋଟ୍ ବ୍ୟବଧାନରେ ବିରୋଧୀମାନଙ୍କୁ ମାତ୍ ଦେଇଛନ୍ତି। ଏହି ଆସନରୁ ବିଜେଡି ପ୍ରାର୍ଥୀ ରଘୁନନ୍ଦନଙ୍କ ଲକ୍ଷେରୁ ଅଧିକ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କୁ ୪୯ ହଜାରରୁ ଅଧିକ ଏବଂ ଦାମଙ୍କୁ ୩୭ ହଜାର ଭୋଟ୍ ମିଳିଛି। ଅନ୍ୟପଟେ ତିର୍ତ୍ତୋଲ୍‌ ଭୋଟର ବରିଷ୍ଠ ତଥା ଅଭିଜ୍ଞ ବିଷ୍ଣୁ ଚରଣ ଦାସଙ୍କୁ ବିପୁଳ ସମର୍ଥନ ଦେଇଛନ୍ତି। ନିର୍ବାଚନ ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ବିଷ୍ଣୁ ଦୀର୍ଘଦିନ ଧରି ହସ୍‌ପିଟାଲରେ ରହିଥିଲେ। ଏଣୁ ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ତଳୀରେ ରହ‌ିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରିନଥିଲା। ତଥାପି ସେ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ୪୦୩୮୬ ଭୋଟରେ ହରାଇଥିଲେ।

ପାରାଦୀପ ନିର୍ବାଚନ ମଣ୍ତଳୀରେ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ସୁଯୋଗ ଦେଇଥିବା ବେଳେ କଂଗ୍ରେସରୁ ଅରିନ୍ଦମ ସର୍ଖେଲ୍‌ ଓ ବିଜେପିରୁ ସମ୍ପଦ ସ୍ବାଇଁ ମଇଦାନକୁ ଓହ୍ଲାଇଥିଲେ। ସମ୍ବିତ ଏହି ଆସନକୁ ୨୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ଜିତି ନେଇଛନ୍ତି। ମାତ୍ର ଏହି ଆସନରେ ଗତଥର ଦାମବାବୁ ଯେତିକି ଭୋଟ୍ ପାଇଥିଲେ ସମ୍ବିତ ଏହାଠାରୁ ୧୬ ହଜାର ଭୋଟ କମ୍ ପାଇଛନ୍ତି। ଅନ୍ୟପଟେ ଏଠାରେ ବିଜେପିର ଭୋଟ୍ ହାର ବୃଦ୍ଧି ପାଇଛି। ୨୦୧୪ରେ ବିଜେପି ପ୍ରାର୍ଥୀ ୫,୮୩୨ ଖଣ୍ତ ଭୋଟ୍ ପାଇଥିବା ବେଳେ ଏଥର ଦଳୀୟ ପ୍ରାର୍ଥୀ ସମ୍ପଦ ସ୍ବାଇଁ ୩୫ ହଜାରରୁ ଅଧିକ ଭୋଟ୍ ପାଇଛନ୍ତି।

ସମ୍ବନ୍ଧିତ ଖବର