ଜଗତସିଂହପୁର : ଆସନ୍ତାକାଲି ଭୋଟ୍‌; ରଣାଙ୍ଗନରେ ବହୁ ପ୍ରଭାବଶାଳୀ ନେତା

ଭୁବନେଶ୍ୱର (ସୁବ୍ରତ ଦାସ) : ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଏଥର ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ଜୋର୍‌ଦାର ଲଢ଼େଇ ଚାଲିଛି। ଆଜି ରାତି ପାହିଲେ ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ସେଥିପାଇଁ ପ୍ରଚାର ଶେଷ ହେବା ପରେ ମଧ୍ୟ ଭୋଟରଙ୍କୁ କିପରି ଆକର୍ଷିତ କରିହେବ ପ୍ରାର୍ଥୀ ଓ ଜନତାମାନଙ୍କ ପକ୍ଷରୁ ଗୋପନୀୟ ଉଦ୍ୟମ ଚାଲିଛି।

ଗତଥର ଏହି ଲୋକସଭା ଆସନକୁ ବିଜୁ ଜନତା ଦଳ ଜିତିଥିଲେ ମଧ୍ୟ ଏଥର ପ୍ରାର୍ଥୀ ବଦଳାଇ ଦେଇଛି। ତିର୍ତ୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଦଳ ଏଥର ପ୍ରାର୍ଥୀ କରିଥିବା ବେଳେ ସିପିଆଇରୁ କଂଗ୍ରେସ ଦେଇ ନିକଟରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା ବିଭୁ ପ୍ରସାଦ ତରାଇ ଏହି ଦଳ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। କଂଗ୍ରେସ ପକ୍ଷରୁ ଗତଥର ପ୍ରାର୍ଥୀ ହୋଇଥିବା ଶ୍ରୀ ତରାଇ ଦଳ ଛାଡ଼ି ଦେଇଥିବାରୁ ତାଙ୍କ ବଦଳରେ ପ୍ରତିମା ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ଶ୍ରୀମତୀ ମଲ୍ଲିକ ବରିଷ୍ଠ କଂଗ୍ରେସ ନେତା ତଥା ଦୁଇ ଦୁଇ ଥର ଜଗତସିଂହପୁର ସାଂସଦ ହୋଇଥିବା ଲକ୍ଷ୍ମଣ ମଲ୍ଲିକଙ୍କର କନ୍ୟା। ପୂର୍ବତନ ମନ୍ତ୍ରୀ ଲକ୍ଷ୍ମଣ ବାବୁଙ୍କର ଏହି ଲୋକସଭା ନିର୍ବାଚନ ମଣ୍ଡଳୀରେ ଯଥେଷ୍ଟ ପ୍ରଭାବ ଥିଲା। ତାଙ୍କର ପୁଅ ଦେବୀ ପ୍ରସାଦ ମଲ୍ଲିକ ମଧ୍ୟ ତିର୍ତ୍ତୋଲ ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ କୁଳମଣି ସାମଲ ୬.୨୪ ଲକ୍ଷ ଭୋଟ ପାଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ପୂର୍ବତନ ସାଂସଦ ତଥା କଂଗ୍ରେସ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇଙ୍କୁ ୨.୭୬ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ହରାଇଥିଲେ। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ନିମାପଡ଼ା ବିଧାୟକ ବାଇଧର ମଲ୍ଲିକ ୧.୧୭ ଲକ୍ଷ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ତେବେ ଏହି ତିନୋଟିଯାକ ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ବଦଳାଇ ଦେଇଛନ୍ତି।

ଏଥର ନିର୍ବାଚନରେ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକରେ ବହୁ ଓଲଟପାଲଟ ହୋଇଯାଇଛି। ସବୁଠାରୁ ମଜାଦାର କଥା ହେଉଛି ବହୁ ଚର୍ଚ୍ଚିତ ରାଜନେତା ଦାମୋଦର ରାଉତ ବିଜୁ ଜନତା ଦଳରୁ ବହିଷ୍କୃତ ହେବା ପରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ସେହି ଦଳର ପ୍ରାର୍ଥୀ ହୋଇଛନ୍ତି। ତେବେ ପାରାଦୀପ ବିଧାନସଭା ଆସନରୁ ନୁହେଁ ତାଙ୍କର ପୁରୁଣା ବାଲିକୁଦା-ଏରସମା ଆସନରୁ ଏଥର ପ୍ରତିଦ୍ୱନ୍ଦିତା କରୁଛନ୍ତି। ପାରାଦୀପ ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି ତାଙ୍କର ପୁତ୍ର ସମ୍ବିତ ରାଉତରାୟ।

ଡାକ୍ତର ରାଉତ ଅନ୍ୟ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ପାରାଦୀପଠାରେ ତାଙ୍କୁ ଦେଖିବାକୁ ମିଳିନାହିଁ।

ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଡାକ୍ତର ରାଉତଙ୍କ ବିପକ୍ଷରେ ଲଢୁଛନ୍ତି ତାଙ୍କର ଦୁଇଜଣ ପୁରୁଣା ପ୍ରତିଦ୍ୱନ୍ଦୀ। ନିକଟରେ ବିଜୁ ଜନତା ଦଳରେ ଯୋଗଦେଇଥିବା ରଘୁନନ୍ଦନ ଦାସ ଏବଂ କଂଗ୍ରେସର ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର।

ଡାକ୍ତର ରାଉତଙ୍କର ପୁରୁଣା ରାଜନୈତିକ ଶତ୍ରୁ ବିଷ୍ଣୁ ଚରଣ ଦାସ ଏଥର ଜଗତସିଂହପୁର ଆସନ ବଦଳରେ ତିର୍ତ୍ତୋଲରୁ ଲଢୁଛନ୍ତି। ଜଗତସିଂହପୁର ଆସନରେ ଦଳୀୟ ପ୍ରାର୍ଥୀ ହୋଇଛନ୍ତି ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି। ତେବେ ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ଏବଂ ନିମାପଡ଼ା ବିଧାୟକ ସମୀର ରଂଜନ ଦାଶଙ୍କୁ ପୁଣି ପ୍ରାର୍ଥୀ କରାଯାଇଥିବା ବେଳେ କାକଟପୁରରେ ବିଧାୟକ ଥିବା ସୁରେନ୍ଦ୍ର ସେଠୀଙ୍କୁ ବଦଳାଇ ଭାରତୀୟ ଜନତା ପାର୍ଟିରୁ ଆସି ଦଳରେ ଯୋଗଦେଇଥିବା ତୁଷାର ରଂଜନ ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି।

ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ତଥା ଜଗତସିଂହପୁର ବିଧାୟକ ଥିବା ଚିରଞ୍ଜିବୀ ବିଶ୍ୱାଳ ପୁଣି ଥରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେହିପରି ପାରାଦୀପରୁ ଅରିନ୍ଦମ ସର୍ଖେଲ (ବାପି) ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି।

ସମ୍ବନ୍ଧିତ ଖବର