କଟକ : ଜଗତସିଂହପୁର ‌ଲୋକସଭା ଆସନ ଭିତରେ ରହିଛି ଜଗତସିଂହପୁର ଜିଲ୍ଲାର ୪, ପୁରୀ ଜିଲ୍ଲାର ୨ ଏବଂ କଟକ ଜିଲ୍ଲାର ଗୋଟିଏ ବିଧାନସଭା ଆସନ। ବର୍ତ୍ତମାନ ସ୍ଥିତିରେ ଏହି ୭ଟି ନିର୍ବାଚନ ମଣ୍ଡଳୀରେ ଯେଭଳି ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି, ସେଥିରେ ଜଗତସିଂହପୁର ଲୋକସଭା ଆସନର ସମୀକରଣ ଦିନକୁ ଦିନ ଜଟିଳ ହେବାରେ ଲାଗିଛି।

Advertisment

ଜଗତସିଂହପୁର ସାଂସଦ ଡାକ୍ତର କୁଳମଣି ସାମଲଙ୍କୁ ଏଥର ବିଜେଡି ଟିକେଟ ନଦେଇ ତିର୍ତ୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବା ବେଳେ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ ଏଥର ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ଝିଅ ପ୍ରତିମା ମଲ୍ଲିକ। ୩ଟି ଜିଲ୍ଲାର ନିର୍ବାଚନ ମଣ୍ଡଳୀକୁ ନେଇ ଜଗତସିଂହପୁର ଲୋକସଭା ଗଠନ ହୋଇଥିବାରୁ ସମସ୍ତଙ୍କ ସହ ସମନ୍ବୟ ରଖି ନିର୍ବାଚନ ପରିଚାଳନା କରିବା ସବୁ ଦଳର ପ୍ରାର୍ଥୀଙ୍କ ପାଇଁ ସମସ୍ୟା କରୁଛି।

ଜଗତସିଂହପୁର ଲୋକସଭା ଆସନ ଭିତରେ ରହିଛି ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର, ବାଲିକୁଦା-ଏରସମା, ପାରାଦୀପ ଏବଂ ତିର୍ତ୍ତୋଲ। ସେହିଭଳି କଟକ ଜିଲ୍ଲାର ନିଆଳି ଏବଂ ପୁରୀ ଜିଲ୍ଲାର କାକଟପୁର ଓ ନିମାପଡା ରହିଛି ଜଗତସିଂହପୁର ଲୋକସଭା ଆସନ ଭିତରେ। ନିମାପଡାରେ ୨୦୧୪ ନିର୍ବାଚନରୁ ବିଜେପି ତାର ପ୍ରଭାବ ଦେଖାଇ ଆସିଛି। ବିଜେପି ସାଂସଦ ପ୍ରାର୍ଥୀ ବାଇଧର ମଲ୍ଲିକ ୫୨ ହଜାରରୁ ଅଧିକ ଭୋଟ ପାଇ ନିମାପଡା ଆସନରେ ୨୦୧୪ରେ ଦ୍ବିତୀୟ ସ୍ଥାନରେ ଥିଲେ। ଅବଶ୍ୟ ଅନ୍ୟ ୬ଟି ଯାକ ଆସନରେ ବିଜେପି ତୃତୀୟ ସ୍ଥାନରେ ରହିଥିଲା। ଅନ୍ୟପଟେ ଜଗତସିଂହପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଚିରଂଜୀବ ବିଶ୍ବାଳ ବିଜୟୀ ହୋଇଥିଲେ ବି ଚିରଂଜୀବଙ୍କ ଭୋଟଠାରୁ ବିଜେଡି ଲୋକସଭା ପ୍ରାର୍ଥୀ କୁଳମଣି ସାମଲ ସେଠାରେ ଅଧିକ ଭୋଟ ପାଇଥିଲେ। ଲୋକସଭା ଭୋଟରେ ବିଜେଡି ୭ଟି ଯାକ ବିଧାନସଭା କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ଥିଲା।

ଏଥର ଜଗତସିଂହପୁରରେ ଚିରଂଜୀବ ପୁଣି କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। କିନ୍ତୁ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଏବେ ବାଲିକୁଦା-ଏରସମାରୁ ବିଜେପି ପ୍ରାର୍ଥୀ। ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଏବେ ଜଗତସିଂହପୁରରରୁ ବିଜେଡି ପ୍ରାର୍ଥୀ। ବାଲିକୁଦା-ଏରସମାର ସ୍ବାଧୀନ ପ୍ରାର୍ଥୀ ରଘୁନନ୍ଦନ ଦାସ ଏବେ ବିଜେଡି ପ୍ରାର୍ଥୀ। ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଲୋକସଭା ନିର୍ବାଚନ ଲଢୁଥିବା ବେଳେ ସେଠି ବିଷ୍ଣୁ ଦାସ ହେଇଛନ୍ତି ବିଜେଡି ପ୍ରାର୍ଥୀ। ନିଆଳିରେ ଗତଥରର କଂଗ୍ରେସ ପ୍ରାର୍ଥୀ ଛବି ମଲ୍ଲିକ ଏଥର ବିଜେପି ପ୍ରାର୍ଥୀ। ଏକପ୍ରକାର ଚିତ୍ର ବଦଳି ଯାଇଛି ଜଗତସିଂହପୁର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରର। ଏହାର ପ୍ରଭାବ ଲୋକସଭା ନିର୍ବାଚନ ଫଳାଫଳ ଉପରେ କ’ଣ ରହିବ, ତାହା ଆକଳନ କରିବା ଏତେଟା ସହଜ ହେଉ ନଥିବା ବେଳେ ନିର୍ବାଚନ ଯେତିକି ନିକଟତର ହେଉଛି, ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ରାଜନୈତିକ ସମୀକରଣ ସେତିକି ଜଟିଳ ହେବାରେ ଲାଗିଛି।