ଜଗତସିଂହପୁର: ଜଗତସିଂହପୁର ଥାନାରେ ପହଞ୍ଚି ଆଜି ପୁଲିସ ଉପରେ ଅନର୍ଗଳ ବର୍ଷିଛନ୍ତି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ଉପସ୍ଥିତ ପୁଲିସ ଅଧିକାରୀ ବାହାରୁ କାଗଜ ଆଣି ଏତଲା ଲେଖିବା ପାଇଁ କହିବା ଘଟଣାକୁ କେନ୍ଦ୍ର କରି ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏ ସଂପର୍କରେ ଖବର ପାଇବା ପରେ ବିଧାୟକ ଅମରେନ୍ଦ୍ର ୪ ପ୍ୟାକେଟ୍ କାଗଜ ଓ ୨୦ଟି କଲମ ଧରି ଥାନାରେ ପହଞ୍ଚିଥିଲେ। ଏତଲା ଲେଖିବା ପାଇଁ ଏହି କାଗଜ ଓ କଲମ ଅଭିଯୋଗକାରୀଙ୍କୁ ଯୋଗାଇ ଦେବାକୁ ଥାନା ଅଧିକାରୀଙ୍କୁ କହିଥିଲେ। ଅଭିଯୋଗକାରୀଙ୍କ ପାଇଁ ଯଦି ପ୍ରକୋଷ୍ଠର ଆବଶ୍ୟକ ବୋଲି ପୁଲିସ ଅନୁରୋଧ କରେ ତାହେଲେ ତାହା ବି ତିଆରି କରିବାକୁ ପଦକ୍ଷେପ ନେବେ ବୋଲି ବିଧାୟକ କହିବା ସହିତ ଥାନାକୁ ଆସୁଥିବା ସବୁ ଲୋକଙ୍କୁ ଭଲ ବ୍ୟବହାର କରିବା ଓ ନିରକ୍ଷର ଲୋକଙ୍କର ଏତଲା ଲେଖିଦେବା ପାଇଁ ପରାମର୍ଶ ଦେଇଛନ୍ତି। ବିଧାୟକ ପୁଲିସକୁ ତାଗିଦ୍ କରୁଥିବା ସମୟର ଏହି ଭିଡିଓ ସର୍ବସାଧାରଣରେ ଭାଇରାଲ୍ ହେବା ପରେ ଜିଲ୍ଲା ପୁଲିସ ମହଲରେ ଛନକା ପଶିଛି। ଥାନାକୁ ଆସିଥିବା ଅଭିଯୋଗକାରୀଙ୍କୁ ଉପସ୍ଥିତ ଅଧିକାରୀ କଣ କହିଥିଲେ ସେ ସମ୍ପର୍କରେ ତଦନ୍ତ କରିବା ପାଇଁ ଏସପି ରାହୁଲ ପି.ଆର୍ ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ବିଧାୟକ ଅମରେନ୍ଦ୍ର ଦାସ ନିର୍ବାଚନ ପୂର୍ବରୁ ଥାନାରେ ଦାଖଲ କରିଥିବା ନିଜର ଲାଇସେନ୍ସ ବନ୍ଧୁକ ଆଣିବାକୁ ଯାଇଥିଲେ। ଏହି ଘଟଣାର ପୂର୍ବଦିନ ଜଣେ ମହିଳା ଓ ତାଙ୍କ ସ୍ବାମୀ ଜଣେ ସମ୍ପର୍କୀୟଙ୍କ ନାଁରେ ଏତଲା ଦେବା ପାଇଁ ଥାନାକୁ ଯାଇଥିଲେ। ଏତଲା ଲେଖିବାକୁ ସେ କାଗଜ ମାଗିଥିଲା ବେଳେ ତାଙ୍କୁ ଉପସ୍ଥିତ ଅଧିକାରୀ ବାହାରୁ କାଗଜ ଆଣି ଏତଲା ଲେଖିବାକୁ କହିଥିଲେ। ଏ କଥା ସେ ବିଧାୟକଙ୍କୁ ଜଣାଇବେ ବୋଲି ଅଭିଯୋଗକାରୀ ପୁଲିସ ଅଧିକାରୀଙ୍କୁ କହିବାରୁ ଅଧିକାରୀ ଜଣକ ବିଧାୟକଙ୍କ ଠାରୁ କାଗଜ କଲମ ଆଣି ଏତଲା ଲେଖ ବୋଲି କହିଥିଲେ।

ଗତାକଲି ବିଧାୟକ ଶ୍ରୀ ଦାସ ଥାନାକୁ ବନ୍ଧୁକ ଆଣିବାକୁ ଯାଇଥିବା ବେଳେ ଅଭିଯୋଗକାରୀ ମଧ୍ୟ ସେଠାରେ ଥିଲେ। ପୂର୍ବରୁ ଅଭିଯୋଗକାରୀ ଏ କଥା ବିଧାୟକଙ୍କୁ ଜଣାଇଥିଲେ। ବିଧାୟକ ସାଙ୍ଗରେ ୪ ପ୍ୟାକେଟ କାଗଜ ଓ ୨୦ଟି କଲମ ନେଇ ଥାନାରେ ପହଞ୍ଚିବା ସହ ବାରଣ୍ଡାରେ ପଡ଼ିଥିବା ଚେୟାରରେ ବସିଥିଲେ। ବିଧାୟକଙ୍କ ସହ ଆସିଥିବା ଯୁବକ କାଗଜ ଓ କଲମ ନେଇ ପୁଲିସ ଅଧିକାରୀଙ୍କୁ ଦେଇଥିଲେ। ଯେତେବେଳେ ଅଧିକାରୀମାନେ ବାହାରକୁ ଆସିଲେ ସେତେବେଳେ ବିଧାୟକ ଶ୍ରୀ ଦାସ ତାଙ୍କ ଉପରେ ବର୍ଷିଥିଲେ। ସାଧାରଣ ଲୋକଙ୍କୁ କାହିଁକି ହଇରାଣ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ଅଭିଯୋଗକାରୀ ଏତଲା ଲେଖିବା ପାଇଁ ଯେତେ କାଗଜ କଲମ ଦରକାର ସେ ଯୋଗାଇ ଦେବେ ବୋଲି କହିଥିଲେ। ଖବର ପାଇ ଏସଡିପିଓ ରଶ୍ମି ରଞ୍ଜନ ସାହୁ ଥାନାରେ ପହଞ୍ଚି ଯାଇଥିଲେ। ବାରଣ୍ଡାରେ ବସିଥିବା ବିଧାୟକଙ୍କୁ ଭିତରକୁ ଯିବା ପାଇଁ ଡାକିଥିଲେ ମଧ୍ୟ ଅଭିଯୋଗକାରୀଙ୍କ ସମସ୍ୟାର ସମାଧାନ ନ ହେବା ଯାଏଁ ସେ ଭିତରକୁ ଯିବେ ନାହିଁ ବୋଲି କହିଥିଲେ। ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ସରକାର କାମ କରୁଛି। ତେଣୁ ଲୋକଙ୍କୁ ଉତ୍ତମ ବ୍ୟବହାର ସହ ସେମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ପୁଲିସକୁ ପରାମର୍ଶ ଦେବା ସହ ନିଜର ଲାଇସେନ୍ସପ୍ରାପ୍ତ ବନ୍ଧୁକ ନେଇ ବିଧାୟକ ଥାନାରୁ ଯାଇଥିଲେ। ଏ ସମ୍ପର୍କରେ ଏସପି ରାହୁଲ ପି.ଆର କହିଛନ୍ତି ଅଭିଯୋଗକାରୀଙ୍କ ସହ କଣ ଘଟିଥିଲା ସେ ସମ୍ପର୍କରେ ଏସଡିପିଓଙ୍କୁ ତଦନ୍ତ କରିବା ପାଇଁ କୁହାଯାଇଛି।