ଜଗତସିଂହପୁର ଓଡ଼ିଶା ବିକାଶର ମୁଖ୍ୟଦ୍ବାର: ମୁଖ୍ୟମନ୍ତ୍ରୀ

୨୧୫ କୋଟିର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ
୧୧ଟି ଉଦ୍‌ଘାଟନ ଏବଂ ୧୮ଟି ପ୍ରକଳ୍ପର ଶିଳାନ୍ୟାସ

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଓଡ଼ିଶାର ଆଗୁଆ ଜିଲ୍ଲା ଭାବେ ପରିଗଣିତ ହେଉଛି। ଶିଳ୍ପ, କୃଷି, ଶିକ୍ଷା ସବୁଥିରେ ଜଗତସିଂହପୁର ଜିଲ୍ଲାର ସୁନାମ ରହିଛି। ଜଗତସିଂହପୁରରୁ ହିଁ ବିଜୁବାବୁ ଓଡ଼ିଶାର ବିକାଶ ଯାତ୍ରା ଆରମ୍ଭ କରିଥିଲେ। ପାରାଦୀପ ବନ୍ଦର ଆଜି ଦେଶର ମୁଖ୍ୟବନ୍ଦର ଭାବେ ସ୍ଥାନ ପାଇବା ସହ ଶିଳ୍ପ ନଗରୀର ଗୁରୁତ୍ବ ବଢ଼ିଛି। ଆଜି ଜିଲ୍ଲା ପାଇଁ ୨୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁକ୍ରବାର ଭିଡିଓ କନଫରେନ୍‌ସିଂ ଜରିଆରେ ଜଗତସିଂହପୁର, ତିର୍ତ୍ତୋଲ ଏବଂ ଏରସମା; ତିନୋଟି ସ୍ଥାନରେ ଜିଲ୍ଲାବାସୀଙ୍କ ପାଇଁ ୧୧ଟି ଉଦ୍‌ଘାଟନ ଏବଂ ୧୮ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଭିଡିଓ କନ୍‌‌େଫରେନ୍ସିଂ କାର୍ଯ୍ୟକ୍ରମକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ସଂଚାଳନ କରିଥିଲେ।

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଉପସ୍ଥିତ ରହି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ, ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଜିଲ୍ଲାକୁ ଭଲ ପାଆନ୍ତି ଓ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ରହିଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସ୍ବାଗତ ଭାଷଣ ଦେଇଥିଲେ। ସାଂସଦ ଡ. ରାଜଶ୍ରୀ ମଲ୍ଲିକ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଆଜି ପୂରଣ ହୋଇଥିବା କହିଥିଲେ। ସେହିପରି, ଏରସମାରେ ବାଲିକୁଦା-ଏରସମା ବିଧାୟକ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଉପସ୍ଥିତ ରହି ଜିଲ୍ଲା ପାଇଁ ଏହା ଏକ ଗୌରବର ଦିନ ବୋଲି କହିଥିଲେ। ତିର୍ତ୍ତୋଲରେ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଉପସ୍ଥିତ ଥିଲେ। ଶେଷରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର