ଜଗତସିଂହପୁର: ନିର୍ବାଚନ ଶେଷ ହେବାର ପ୍ରାୟ ୧୦ ମାସ ହେବାକୁ ଯାଉଥିବା ବେଳେ ଜଗତସିଂହପୁର ଜିଲ୍ଲା ରାଜନୀତିରେ କିନ୍ତୁ ଗୋଳିଆ ସ୍ଥିତି ଜାରି ରହିଛି। ପାରାଦୀପରେ ବିଜେଡି କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଥିବା ବେଳେ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ବିଜେପି ଭିତରେ ଦ୍ବନ୍ଦ୍ବ ବଢ଼ି ଚାଲିଛି। ରୋଚକ କଥା ହେଲା ବରିଷ୍ଠ ନେତା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କର ସବୁଠାରୁ ଖାସ୍ ଅନୁଗତ ତଥା ପୌରାଞ୍ଚଳର ଦକ୍ଷ ସଂଗଠକ ଏବେ ବିଜେପି ଶରଣରେ ଅଛନ୍ତି। ଚିରଞ୍ଜୀବ ବିଜେଡିରେ ମିଶିବା ପରେ ଉକ୍ତ ଦକ୍ଷ ସଂଗଠକ ମଧ୍ୟ ମିଶିଥିଲେ। ତାଙ୍କର ପତ୍ନୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ପଦବିରେ ଅଛନ୍ତି। ବିଜେପି ସରକାର ଆସିବା ପରେ ସମ୍ପୃକ୍ତ ସଂଗଠକ ଏବେ ପଟ୍ଟ ପରିବର୍ତ୍ତନ କରି ବିଧାୟକଙ୍କ ଶରଣରେ ପଶିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ବେଳକୁ ପୌର ପରିଷଦକୁ ପ୍ରାୟ ଅଢ଼େଇ ବର୍ଷ ହୋଇଥିଲା। ଆହୁରି ଅଢ଼େଇ ବର୍ଷ ବାକି ଥିଲା। ସେହିପରି ସରକାରଙ୍କ ସହଯୋଗ, ଉନ୍ନୟନମୂଳକ କାମ ପାଇଁ ସମ୍ପୃକ୍ତ ସଂଗଠକ ବିଧାୟକଙ୍କ ସହ ଅଘୋଷିତ ମେଣ୍ଟ କରିଛନ୍ତି। ପୂର୍ବରୁ ବିଧାୟକଙ୍କ ସହ ଅହିନକୁଳ ସମ୍ପର୍କ ଥିବା ସଂଗଠକ କିନ୍ତୁ ଏବେ ପୂରା ଖାସ୍ ହୋଇଯାଇଛନ୍ତି। ଏ କଥା ଚିରଞ୍ଜୀବଙ୍କୁ ଅଛପା ନାହିଁ। ସେ ଚିରଞ୍ଜୀବଙ୍କ ଖାସ୍ ଅନୁଗତ ହୋଇଥିବାରୁ ହୁଏତ ତାଙ୍କ ଅନୁମତି ନେଇଥିବେ ବୋଲି ଚର୍ଚ୍ଚା ହେଉଛି।
କର୍ମୀଙ୍କୁ ଭରସା କରିପାରୁ ନାହାନ୍ତି ନେତା
ଏଭଳି ସ୍ଥିତିରେ ଅନେକ ବିଜେଡି ନେତାଙ୍କ ବିଜେପି ସହ ଅଘୋଷିତ ବୁଝାମଣାକୁ ଅତ୍ୟନ୍ତ ଗୁପ୍ତ ରଖାଯାଉଛି। ପୌରାଞ୍ଚଳ ସମ୍ପର୍କରେ ଯାହା କିଛି ନିଷ୍ପତ୍ତି ଭୁବନେଶ୍ବରରେ ନିଆଯାଉଛି। ସେଠାରେ ବିଧାୟକଙ୍କ ହାତଗଣତି ସହଯୋଗୀ ଉପସ୍ଥିତ ରହୁଛନ୍ତି। ଏଭଳି ସ୍ଥିତିରେ ଜଗତସିଂହପୁର ଜିଲ୍ଲାର ବିଜେପି ଓ ବିଜେଡି ରାଜନୀତି ଅଧିକ ଗୋଳମାଳିଆ ହେବାରେ ଲାଗିଛି। ୨୦୨୪ ନିର୍ବାଚନରେ କଂଗ୍ରେସ ଓ ବିଜେଡିଠାରୁ ଦୂରେଇ ଯାଇ ଯେଉଁମାନେ ବିଜେପିକୁ ଭୋଟ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବିଧାୟକ ବିଶ୍ବାସକୁ ନେଇ ପାରୁନାହାନ୍ତି। ସେହିପରି ଦଳ ଠାରୁ ଦୂରେଇ ଯାଇଥିବା କର୍ମୀମାନେ ମଧ୍ୟ ବିଜେଡି ଓ କଂଗ୍ରେସର ବିଶ୍ବାସଭାଜନ ହୋଇପାରୁ ନାହାନ୍ତି। ଅସନ୍ତୁଷ୍ଟ ବିଜେପି କର୍ମୀ ଭିତିରିଆ ବିଜେଡିକୁ ସହଯୋଗ କରିଥିଲେ ମଧ୍ୟ ସେମାନେ ମଝି ରାସ୍ତାରେ ରହି ଯାଇଛନ୍ତି। ବିଧାୟକ ଅମରେନ୍ଦ୍ର ଦାସ ତାଙ୍କ ପୁରୁଣା ନିଜସ୍ବ ସଂଗଠନକୁ ସକ୍ରିୟ ରଖିଥିବା ବେଳେ ଯେଉଁ ବିଜେପି କର୍ମୀ ଦିନରାତି ଏକ କରି ଲଢ଼ିଥିଲେ ସେମାନେ ମଧ୍ୟ ସାମିଲ ଅଛନ୍ତି। ଏଭଳି ସ୍ଥିତିରେ ଆଗକୁ ଏକ ନୂଆ ସମୀକରଣ ହେବ ବୋଲି କୁହାଯାଉଛି। କେଉଁମାନେ ବିଜେପି ସହ ରହିବେ ଓ କେଉଁମାନେ କଂଗ୍ରେସ ସହ ରହିବେ ୨୦୨୭ ପଞ୍ଚାୟତ ନିର୍ବାଚନ ବେଳକୁ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚିରଞ୍ଜୀବ ବିଜେଡିରେ ମିଶିବା ପରେ ଜଗତସିଂହପୁର ପୌରାଧ୍ୟକ୍ଷ ଅର୍ଚ୍ଚନା ସିଂହଙ୍କ ସ୍ବାମୀ ସଂଗଠକ ଦିଲୀପ ସିଂହ, କାଉନସିଲର, ସରପଞ୍ଚ, ସମିତିସଭ୍ୟ, ତୃଣମୂଳ କର୍ମୀ ଓ ସଂଗଠକ ଯୋଗ ଦେଇଥିଲେ। କିନ୍ତୁ ଅନେକ ସଂଗଠକ, ଜନପ୍ରତିନିଧି ମିଶି ନ ଥିଲେ। ଫଳସ୍ବରୂପ କଂଗ୍ରେସ ଭୋଟ ବିଜେପି ଖାତାକୁ ଯିବାରୁ ବିଜେପିର ବିଜୟ ସହଜ ହୋଇଥିଲା।