ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଜାତୀୟସ୍ତରର ସ୍କଚ୍ ଆୱାର୍ଡ

ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଉତ୍ତମ ପ୍ରଶାସନ ପାଇଁ ସମ୍ମାନ, ଜିଲ୍ଲାପାଳଙ୍କୁ ଶୁଭେଚ୍ଛାର ସୂଅ

ଜଗତସିଂହପୁର ଟାଉନ୍ : ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଉତ୍ତମ ପ୍ରଶାସନ ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଜାତୀୟ ସ୍ତରର ସ୍କଚ୍ ଆୱାର୍ଡ-୨୦୨୦ ମିଳିଛି । ଅନ୍‌ଲାଇନ୍ ମାଧ୍ୟମରେ ଜିଲ୍ଲାପାଳ ସଂଗ୍ରାମ କିଶୋର ମହାପାତ୍ର ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି । ଯାହାକୁ ନେଇ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସମେତ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଏହାପରେ ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ ଶୁଭେଚ୍ଛାର ସୂଅ ଛୁଟିଛି ।

ବର୍ଷକ ତଳେ ଜଗତସିଂହପୁର ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ର ଦାୟତ୍ୱ ନେଇଥିଲେ । ନିଜ ଜନ୍ମସ୍ଥାନ ତିର୍ତ୍ତୋଲ ଶଙ୍ଖେଶ୍ୱର ହୋଇଥିବାରୁ ଜିଲ୍ଲାପାଳ ନୁହେଁ ଜିଲ୍ଲାର ପୁଅ ଭାବେ କାମ କରିବାକୁ ପ୍ରଥମରୁ ପଣ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ମିସନ ଜଗତସିଂହପୁର । ପ୍ରଥମତଃ ଓଡ଼ିଶା ସରକାରଙ୍କ ୫ଟିକୁ ଜିଲ୍ଲାସ୍ତରରେ ବାସ୍ତବତାରେ ପରିଣତ କରିବାକୁ ପ୍ରାଧାନ୍ୟ ଦେଇଥିଲେ । ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରି ଜିଲ୍ଲାର ପ୍ରତି ବିଭାଗ ଓ ସ୍ତରରେ ସ୍ୱଚ୍ଛତା ଆଣିବାକୁ ପ୍ରସ୍ତୁତି କରାଯାଇଥିଲା । ପ୍ରତି ସୋମବାର ହେଉଥିବା ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଲୋକଙ୍କ ଅଭିଯୋଗର ସମାଧାନ ତୁରନ୍ତ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ଜିଲ୍ଲାପାଳ ଶ୍ରୀ ମହାପାତ୍ର । ସମୟ କ୍ରମେ ୫୦ ଅଭିଯୋଗ ସ୍ଥାନରେ ୫ ଶହ ଅଭିଯୋଗ ଆସିଲା । ଏହାର ତୁରନ୍ତ ସମାଧାନ କରାଗଲା ସତ ହେଲେ ଏହାପରେ ଲୋକଙ୍କ ଅଭିଯୋଗ ଶୁଣିବାକୁ (ଜନ ସହଯୋଗ ଜେଏସ୍ପୁର ଡଟ୍ ଓଆର୍ଜି) ନାମରେ ଏକ ଅନ୍‌ଲାଇନ୍ ପୋର୍ଟାଲ ଖୋଲା ଗଲା । ଏଥିରେ ଲଗ୍ ଇନ୍ କରି ମତାମତ, ଅଭିଯୋଗ ଏବଂ ଅଭିଯୋଗର ସ୍ଥିତି ସହଜରେ ଜାଣି ହେଲା । ପୋର୍ଟାଲ‌ଟି ଓଡିଆରେ ହୋଇଥିବାରୁ ଅଭିଯୋଗକାରୀ ସହଯରେ ଏହାକୁ ବ୍ୟବହାର କରି ପାରୁଛନ୍ତି । ଏବେ କରୋନା ଯୋଗୁଁ ଜନ ଅଭିଯୋଗ ଶୁଣାଣି ବନ୍ଦ ଥିଲେ ହେଁ ଅନ୍‌ଲାଇନରେ ସାଧାରଣ ଲୋକ ଅଭିଯୋଗ କରି ସୁଫଳ ପାଇ ପାରୁଛନ୍ତି ।

ଏଥିସହ ଗତ ଜାନୁଆାରୀ ମାସରୁ ଇ-ଅଫିସକୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଲାଗୁ କରି ସାରା ଭାରତ ବର୍ଷରେ ପ୍ରଥମ ଜିଲ୍ଲା ଭାବେ ପରିଗଣିତ ହୋଇ ପାରିଛନ୍ତି । ଇ-ଅଫିସ ଜରିଆରେ ଜିଲ୍ଲାପାଳଙ୍କ ଅଫିସ ସହ ସମସ୍ତ ୮ଟି ବ୍ଲକ୍, ତହସିଲ୍, ପାରାଦୀପ ଓ ଜଗତସିଂହପୁରର ଦୁଇଟି ପୌରପରିଷଦ, ଶ୍ରମ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ସାମିଲ କରାଯାଇଛି । ତିର୍ତ୍ତୋଲ, ରଘୁନାଥପୁର ଓ ବାଲିକୁଦା ବ୍ଳକ୍‌ର ଆର୍‌ଆଇ ଅଫିସ ଗୁଡ଼ିକ ଇ-ଅଫିସରେ ସଂଯୋଗ କରାଯାଇଛି । ପଞ୍ଚାୟତ ସ୍ତରରେ ଇ-ଅଫିସ ଲାଗୁ କରାଯିବାକୁ କାମ ଚାଲୁ ରହିଛି । ତେବେ ଇ-ଅଫିସ ହେବା ଦ୍ୱାରା ଅନ୍ଲାଇନ୍ରେ ଜିଲ୍ଲାର ସମସ୍ତ କାର୍ଯ୍ୟ କରାଯାଉଛି । ଜିଲ୍ଲାର ସମସ୍ତ ସରକାରୀ ତଥ୍ୟ ସ୍କାନ୍ କରାଯାଇ ଇ-ଅଫିସରେ ରଖାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନ୍‌ଲାଇନ୍‌ରେ ସମସ୍ତ କାମ କରାଯାଉଥିବାରୁ ଏହା ଷ୍ଟୋର ହୋଇ ରହୁଛି ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟରେ ବସି ମଧ୍ୟ ସମସ୍ତ ଅଫିସର କାର୍ଯ୍ୟ ଉପରେ ନଜର ରଖି ପାରୁଛନ୍ତି । ଯାହା ଦ୍ୱାରା ଅଧିକାରୀଙ୍କ ମଧ୍ୟରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି । ଜିଲ୍ଲାର କିଛି ବ୍ଲକ୍ ଓ ତହସିଲର ଅଧିକାରୀ ଇ-ଅଫିସ କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରିଥିବା ଯୋଗୁଁ ଦରମା ବନ୍ଦ କରିଥିଲେ ଜିଲ୍ଲାପାଳ । ଏହା ପରେ ସବୁ କିଛି ଠିକ୍ ଠାକ୍ ଚାଲିଛି । ଅନ୍ୟ ଏକ ଗୁରୁତ୍ୱୂପର୍ଣ୍ଣ ଦିଗ ହେଉଛି କରୋନା ସମୟରେ ଇ-ଅଫିସ ବରଦାନ ସଦୃଶ୍ୟ ହୋଇଥିଲା । କରୋନା ପାଇଁ ଅଧିକାରୀ ମାନେ ଘରେ ରହି ଇ-ଅଫିସ ଜରିଆରେ କାମ କରିଥିଲେ। କରୋନା ସମୟରେ ଇ-ଅଫିସ ଥିବା ଯୋଗୁଁ ଅନ୍ୟ ଜିଲ୍ଲା ତୁଳନରେ କରୋନା ମୁକାବିଲା ସଠିକ୍ ଭାବେ ଜିଲ୍ଲାପ୍ରଶାସନ କରି ପାରିଥିଲା । ସେହିପରି କୋଭିଡ୍ ମୁକାବିଲା ପାଇଁ ଟିଏମ୍‌ସି ବାବଦ ଖର୍ଚ୍ଚ ପ୍ରତି ପଂଚାୟତା ୫ ଲକ୍ଷ ସରକାର ଘୋଷଣା କରିଥିବା ବେଳେ ଅନେକ ପଂଚାୟତରେ ଏହାର ଫାଇଦା ଉଠାଇଥିଲେ ସରପଞ୍ଚ । କେବଳ ଇ-ଅଫିସ ଯୋଗୁଁ ଜିଲ୍ଲାପାଳ ବେଆଇନ ଭାବେ ଅତ୍ୟଧିକ ଖର୍ଚ୍ଚକୁ ରୋକି ପାରିଥିଲେ । ଉଦାହରଣ ସ୍ୱରୂପ ତିର୍ତ୍ତୋଲ ବ୍ଲକ୍ ୧୭ ଲକ୍ଷ ଖର୍ଚ୍ଚ ଦର୍ଶାଇ ଟଙ୍କା ହଡ଼ପ କରିବାକୁ ଚେଷ୍ଟା କରୁଥିବା ବେଳେ ଜିଲ୍ଲାପାଳ ଏହା ଉପରେ ତଦନ୍ତ କରିବାରୁ ଏହି ଖର୍ଚ୍ଚ ମାତ୍ର ୫୦ ହଜାର ହୋଇଥିଲା । ଇ-ଅଫିସ ଦ୍ୱାରା ସରକାରୀ ସ୍ତରରେ କିପରି ପରିବର୍ତ୍ତନ ହୋଇଛି ।

ପାଇଭ୍‌ ଟିକୁ ଅନୂପାଳନ କରି ଦୁର୍ନୀତି କରୁଥିବା ଅଧିକାରୀଙ୍କ ବିରୋଧରେ ଜିଲ୍ଲାପାଳ କଡ଼ା ଆଭିମୁଖ୍ୟ ଦେଖାଇଥିଲେ । ଗୋଟିଏ ବର୍ଷରେ ୬୦ରୁ ଅଧିକ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋରେ କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କରିଛନ୍ତି । ଯାହା ପୂର୍ବରୁ କେବେ ହୋଇ ନଥିବା କୁହାଯାଉଛି । ଏଥିରେ ତିର୍ତ୍ତୋଲ ବିଡ଼ିଓ, କୁଜଙ୍ଗ ତହସିଲଦାରଙ୍କ ଭଳି ବଡ଼ ମୁଣ୍ଡ ରହିଛନ୍ତି । ଦୁଇ ପୌରପରିଷଦରେ ଉନ୍ନୟନ କାର୍ଯ୍ୟର ଅଗ୍ରଗତି, ବ୍ଲକ୍ ଗୁଡ଼ିକରେ ଅଟକି ରହିଥିବା ପ୍ରକଳ୍ପ କାମକୁ ଆଗେଇ ନେବା ବିଶେଷ କରି ସାଧାରଣ ଲୋକଙ୍କ ପ୍ରାଧାନ୍ୟ ଦେଇ କାମ କରିବା ଯୋଗୁଁ ଖୁବ୍ କମ୍ ସମୟରେ ଜିଲ୍ଲାପାଳ ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି । ଜାତୀୟ ସ୍ତରର ସ୍କଚ୍ ଆୱାର୍ଡ ମିଳିବା ପରେ ଜିଲ୍ଲାବାସୀଙ୍କର ଶୁଭେଚ୍ଛା ସୂଅ ଛୁଟିଛି । ଅଧିକାରୀମାନେ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ବଧେଇ ଜଣାଇଛନ୍ତି । ରାଜ୍ୟ ସଭା ସାଂସଦ ଡ.ଅମର ପଟ୍ଟନାୟକ, ବିଜୁ ଜନତା ଦଳ ଓଡ଼ିଶା ଶୁଭେଚ୍ଚା ଜଣାଇଛନ୍ତି ।

ଜିଲ୍ଲାବାସୀଙ୍କ ବିଶ୍ୱାସ ସବୁଠାରୁ ବଡ଼ ଉପଲବ୍ଧି
ଜିଲ୍ଲା ପ୍ରଶାସନ ପ୍ରତି ଜିଲ୍ଲାବାସୀଙ୍କ ବିଶ୍ୱାସ ବଢ଼ିଛି । ସାଧାରଣ ଲୋକ ପ୍ରଶାସନ ଉପରେ ଆସ୍ଥା ପ୍ରକଟ କରୁଛନ୍ତି । ସେମାନଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ରଖୁଛନ୍ତି ସଫଳତା ପାଉଛନ୍ତି । ଲୋକମାନେ ସଜାଗ ଓ ସଶକ୍ତ ହୋଇଛନ୍ତି । କାମ ନକଲେ ଜିଳ୍ଲାପାଳଙ୍କୁ ଜଣାଇବୁ ବୋଲି ଲୋକ ଅନ୍ୟ ଅଧିକାରୀଙ୍କୁ କହୁଛନ୍ତି । ୟା ଠାରୁ ଆଉ ବଡ଼ ଉପଲବ୍ଧି କଣ ବା ହୋଇ ପାରେ । ଜିଲ୍ଲାରେ ଦୁର୍ନୀତି କମିଛି । ପ୍ରଶାସନ ପ୍ରତି ଭୟ, ସମ୍ମାନ ଓ ଭଲ ପାଇବା ରହିଛି । ତେବେ ଏହି ପୁରସ୍କାର ପାଇଁ ସରକାର ତଥା ମୁଖ୍ୟମନ୍ତ୍ରୀ, ୫ଟିର ପ୍ରୋତ୍ସାହନ ଥିଲା । ସରକାର ଇ-ଅଫିସକୁ ଅଗ୍ରାଧିକାରୀ ଦେଇଥିଲେ । ସରକାର ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିଥିଲେ । ଜିଲ୍ଲାବାସୀଙ୍କ ଆଶୀର୍ବାଦ, ଅଧିକାରୀମାନଙ୍କ ସହଯୋଗ ଭାରତରେ ଏକମାତ୍ରା ଜିଲ୍ଲା ଭାବେ ଜଗତସିଂହପୁରକୁ ଛିଡ଼ା କରିଛି । ଆଗକୁ ଡିଜିଟାଲ ଜଗତସିଂହପୁର ଆହ୍ୱାନ ନେଇ କାମ ଜାରି ରଖିଛୁ ।
ସଂଗ୍ରାମ କେଶରୀ ମହାପାତ୍ର, ଜିଲ୍ଲାପାଳ, ଜଗତସିଂହପୁର

ସମ୍ବନ୍ଧିତ ଖବର