ଜଗତସିଂହପୁର : ନଈନାଳ ଘେରା ଜିଲ୍ଲା ଜଗତସିଂହପୁର। ୧୦ଟି ନଈ, ତାଳଦଣ୍ଡା କେନାଲ, ମାଛ ଗାଁ କେନାଲ ଭଳି ବଡ କେନାଲ ଏହି ଜିଲ୍ଲାରେ ଶରୀରର ଶିରାପ୍ରଶିରା ଭଳି ବ୍ୟାପି ରହିଛି। କିନ୍ତୁ ବର୍ତ୍ତମାନର ସ୍ଥିତି ଯାହା ସେଥିରେ ଜଗତସିଂହପୁର ହୁଏତ ଆଉ କିଛି ବର୍ଷ ପରେ ନଈ ଥାଇ ବି ନଈ ଶୂନ୍ୟ ହୋଇଯିବ। ବିଭିନ୍ନ ସ୍ଥାନରେ ଜବରଦଖଲ ସହ ଅନ୍ୟ ଭୌଗୋଳିକ ତଥା ପରିବେଶ ପ୍ରଭାବ କାରଣରୁ ଏଭଳି ଆଶଙ୍କା ଦେଖା ଦେଇଛି। ମାତ୍ର ଏ କ୍ଷେତ୍ରରେ ପ୍ରଶାସନର ଉଦାସୀନତା ଜିଲ୍ଲା ପାଇଁ ସଂଗିନ ସ୍ଥିତିକୁ ଡାକି ଆଣୁଛି।
ଜିଲ୍ଲାରେ ମହାନଦୀ, ଦେବୀ, ଚିତ୍ରୋତ୍ପଳା ଓ ପାଇକା ନଈକୁ ଜଗତସିଂହପୁର ଜିଲ୍ଲାର ଜୀବନରେଖା ବୋଲି କୁହାଯାଏ। କିନ୍ତୁ କିଛି ବର୍ଷ ହେଲା କେବଳ ବର୍ଷା ଋତୁରେ ଦୁଇ–ତିନି ମାସ ଏଥିରେ ପାଣି ରୁହେ। କିନ୍ତୁ ଗ୍ରୀଷ୍ମ ଓ ଶୀତ ଋତୁରେ ଏହି ନଦୀ ଗୁଡ଼ିକରେ କ୍ରମାଗତ ଭାବେ ଜଳସ୍ତର ହ୍ରାସ ପାଇ ଚାଲିଛି। ଏଣୁ ଜିଲ୍ଲାର ଜନଜୀବନ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଛି। କୃଷି ପାଇଁ ଜଳସେଚନ ପ୍ରଭାବିତ ହେଉଥିବାବେଳେ ମାଛ ଧରି ପରିବାର ପୋଷୁଥିବା ମତ୍ସ୍ୟଜୀବୀମାନେ ବି ଗୁଜୁରାଣ ମେଣ୍ଟାଇବାରେ ସମସ୍ୟାରେ ପଡୁଛନ୍ତି। ଜିଲ୍ଲାରେ ପ୍ରବାହିତ ହେଉଥିବା ହଂସୁଆ, ଅଳକା, ଧନୁଆ, ଗୋବରୀ, ବୁଡ଼ା ଓ ବାଲିଆ ନଦୀକୁ ଏକପ୍ରକାର ମୃତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ନଦୀ ଗୁଡ଼ିକର ପଠାକୁ ଜବରଦଖଲ କରି ଲୋକେ ସେଥିରେ ଘର କରି ରହିବା ଆରମ୍ଭ କଲେଣି।
/sambad/media/post_attachments/wp-content/uploads/2021/01/devi-river.jpg)
୨୦୧୮ରେ ସାମାଜିକ କର୍ମୀ ରତ୍ନାକର ନାୟକ ବିରିଡ଼ି ବ୍ଲକର ବୀରବରପାଟଣାରୁ ଏରସମା ପର୍ଯ୍ୟନ୍ତ ଅଳକା ନଦୀରୁ ଜବରଦଖଲ ହଟାଇବା ପାଇଁ ଦାବି କରିଥିଲେ। ପରେ ସେଂଟ୍ରାଲ ଇନଲାଣ୍ତ ଫିସରିଜ୍ ରିସର୍ଚ ଇନଷ୍ଟିଚ୍ୟୁଟର ଛଅ ଜଣ ବରିଷ୍ଠ ଗବେଷକ ଜଗତସିଂହପୁର ଜିଲ୍ଲାକୁ ଆସିଥିଲେ। ବରିଷ୍ଠ ଗବେଷକ ଏସ୍.କେ ଦାସଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍ ବିରିଡ଼ି ବ୍ଲକର ବିଭିନ୍ନ ଅଂଚଳ ବୁଲିବା ସହ ମୃତ ଅଳକା ନଦୀର ନବୀକରଣ ନିମନ୍ତେ ଯୋଜନା ପ୍ର୍ରସ୍ତୁତ କରିଥିଲେ। ସେମାନେ ଏହାର ରିପୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦେଇଥିଲେ। କେବଳ ସେତିକି ନୁହେଁ ୨୦୧୯ରେ ମଧ୍ୟ ମତ୍ସ୍ୟ ବିଭାଗ ମୃତ ନଦୀ ଗୁଡ଼ିକର ପୁନରୁଦ୍ଧାର ପାଇଁ ଡିଟେଲଡ୍ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବା ପାଇଁ ଯୋଜନା କରିଥିଲା। ମାତ୍ର ତାହା ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ ହେଇପାରିଲା ନାହିଁ କି କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ଯାଇପାରିଲା ନାହିଁ।
ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ ମଧ୍ୟ ମୃତ ନଦୀ ଗୁଡ଼ିକୁ ଜିଲ୍ଲାରେ ପ୍ରବାହିତ ନଦୀ ଗୁଡ଼ିକ ସହିତ ଯୋଡ଼ିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାଦ୍ବାରା ମୃତ ନଦୀରେ ଜଳ ସଂରକ୍ଷିତ ରଖାଯାଇ ଚାଷ, ମାଛ ଧରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଇ ପାରିବ ବୋଲି ଶ୍ରୀ ତରାଇ କହିଥିଲେ। ମାତ୍ର ରାଜ୍ୟ ସରକାର ଏ ଦିଗରେ ମଧ୍ୟ କୌଣସି ପଦକ୍ଷେପ ନେଇନାହାନ୍ତି। ଜିଲ୍ଲା ମତ୍ସ୍ୟ ବିଭାଗ ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଏକ ଚିଠି ଲେଖି ଏମଜିଏନ୍ଆରଇଜିଏସ୍ ଯୋଜନାରେ ନଦୀ ଅବବାହିକାକୁ ଖୋଳିବା ପାଇଁ ଏକ ପ୍ରସ୍ତାବ ରଖିଥିଲେ। ଏତେ ଅଭିଯୋଗ ଓ ଦାବି ସତ୍ତ୍ବେ ରାଜ୍ୟ ସରକାର ଚୁପ୍ ରହିବା ଯୋଗୁଁ ସମସ୍ୟା ବଢିବାରେ ଲାଗିଛି। ଅନ୍ୟପଟେ ତାଳଦଣ୍ଡା କେନାଲ ଓ ମାଛ ଗାଁ କେନାଲର ବି ରକ୍ଷଣାବେକ୍ଷଣ ଅଭାବରୁ ଜଳସେଚନ ଗୁରୁତର ଭାବେ ପ୍ରଭାବିତ ହେଉଛି। ଏ ଦିଗରେ ସରକାର ନିର୍ଦ୍ଦିଷ୍ଟ ଯୋଜନା ପ୍ରଣୟନ କରି ତୁରନ୍ତ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।