କରୋନା ପାଇଁ ଫସର ଫାଟିଲା କଲ୍ଲୋଳ : ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ

ସରକାରଙ୍କ ନିଷ୍ପତ୍ତି ଅନୁସାରେ ପାଳନ ହେବ ଉତ୍କଳ ଦିବସ

ଜଗତସିଂହପୁର ଟାଉନ୍ : କରୋନା ପାଇଁ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି । ଗତ ବର୍ଷ ନିର୍ବାଚନ ଥିବାରୁ କଲ୍ଲୋଳକୁ ବନ୍ଦ କରାଯାଇଥିଲା। ଏବର୍ଷ ଧୁମ୍ ଧାମ୍‌ରେ ମହୋତ୍ସବକୁ ପାଳନ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ ପ୍ରତିବନ୍ଧକ ସାଜିଲା କରୋନା । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ପାଇବା ପରେ ଉତ୍କଳ ଦିବସ ପାଳନ କରାଯିବ ବୋଲି ଆଜି କଲ୍ଲୋଳ ନିମନ୍ତେ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ହୋଇଥିବା ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତ । ଅପ୍ରେଲ ୧ରୁ ୫ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା କଲ୍ଲୋଳ ମହୋତ୍ସବରେ ୧ ଅପ୍ରେଲରେ ଉତ୍କଳ ଦିବସ, ୩ ଅପ୍ରେଲରେ ଜିଲ୍ଲାର ଆନୁଷ୍ଠାନିକ ପ୍ରତିଷ୍ଠା ଦିବସ ଓ ୫ ଅପ୍ରେଲରେ ଉଦ୍‌ଯାପନୀ ସନ୍ଧ୍ୟାରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ଥିର ହୋଇଥିଲା । ମାତ୍ର ୨ ଅପ୍ରେଲ ଓ ୪ ଅପ୍ରେଲ ଦୁଇଦିନ କୌଣସି ସଭା କରାନଯାଇ କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ କୁହାଯାଇଥିଲା। ଏଥର କଲ୍ଲୋଳକୁ ସରସ ସୁନ୍ଦର କରିବା ପାଇଁ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ମଧ୍ୟ ଉତ୍ସାହ ଦେଖାଇଥିଲେ । ୧ ଅପ୍ରେଲରେ ଆୟୋଜିତ ସାଂସ୍କୃତିକ ମହୋତ୍ସବରେ ଜିଲ୍ଲାର ସମସ୍ତ ୮ଟି ଯାକ ବ୍ଲକରୁ ୭/୮ଟି ସାଂସ୍କୃତିକ ଦଳକୁ ନେଇ ପ୍ରଜ୍ଞାପନ ମେଢ ସହିତ ବିରାଟ ସାଂସ୍କୃତିକ ମହୋତ୍ସବ ଆୟୋଜନ ପାଇଁ ଅଣ୍ଟାଭିଡ଼ିଥିଲେ । ହେଲେ କରୋନା ପାଇଁ ସବୁ କିଛି ଠପ୍ ହୋଇ ଯାଇଛି ।

ସମ୍ବନ୍ଧିତ ଖବର