ଜଗତସିଂହପୁର/ସଦର : କେବଳ କବିତା ଓ ଗପ ଲେଖିବା ଜଣେ ସାହିତ୍ୟିକର ଦାୟିତ୍ବ କି କର୍ତବ୍ୟ ନୁହେଁ। ସମାଜ ତଥା ଗଣତନ୍ତ୍ରରେ ସଂସ୍କାର ଆଣିବା ଦିଗରେ ସାହିତ୍ୟିକମାନଙ୍କର ଭୂମିକା ଓ ଦାୟିତ୍ବ ବେଶ୍ ଅଧିକ। ଗଣତନ୍ତ୍ର ସହ ଗଣସାହିତ୍ୟ ଯୋଡ଼ି ହୋଇପାରିଲେ ସମାଜରେ ମୂଲ୍ୟବୋଧର ଅବକ୍ଷୟକୁ ରୋକି ହେବ। ନଚେତ୍ ସମସ୍ତଙ୍କ ସାମ୍ନାରେ ଏହି ସମାଜ ଧୀରେ ଧୀରେ ଧ୍ବଂସ ପାଇଯିବ। ରବିବାର ଦିନ ଜଗତସିଂହପୁର ‘ସମ୍ବାଦ ସାହିତ୍ୟଘର ଚତୁର୍ଥ ବାର୍ଷିକୋତ୍ସବରେ ଯୋଗଦେଇ ‘ସମ୍ବାଦ’ର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ସେ କହିଛନ୍ତି ଯେ ଆଜି ସମସ୍ତଙ୍କ ମନରେ ନିଜ ନିଜ ଦାୟିତ୍ବ ତୁଲାଇବାକୁ ନେଇ ଦ୍ବନ୍ଦ୍ବ ପ୍ରକାଶ ପାଉଛି। କେବଳ ସାହିତ୍ୟ ଦ୍ବାରା ହିଁ ଏହି ଦ୍ବନ୍ଦ୍ବକୁ ଦୂର କରିହେବ। ପୂର୍ବରୁ ଭାଷା ଓ ଭାବକୁ ନେଇ ସାହିତ୍ୟ ରଚନା କରାଯାଉଥିଲା। ମାତ୍ର ବର୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ଦେଶରେ ଆଉ ଭାବ ଥିବା ପରି ମନେ ହେଉ ନାହିଁ। ସମାଜରେ ଘଟୁଥିବା ଏକାଧିକ ଘଟଣା ଆଜି ଏହାର ଉଦାହରଣ ପାଲଟିଛି। ମୌଳିକ ମୂଲ୍ୟବୋଧକୁ ଗ୍ରହଣ କରିବା ସାହିତ୍ୟ ପାଇଁ ଆଜି ବଡ଼ ସଙ୍କଟ ପାଲଟିଛି। ସମସ୍ତେ ଜଣେ ଜଣେ ସାହିତ୍ୟିକ ହୋଇପାରିବେନି ସତ, ମାତ୍ର ପ୍ରତ୍ୟେକ ବ୍ୟକ୍ତି ସାହିତ୍ୟକୁ ଉପଭୋଗ କରିବା ଆବଶ୍ୟକ। ଏହାଦ୍ବାରା ସାହିତ୍ୟ ବଞ୍ଚି ପାରିବ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଲାଗି ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହାକୁ ଦିଲ୍ଳୀ ଦରବାରରେ ପହଞ୍ଚାଇବା ସହିତ ଏହି ଦାବି ହାସଲ କରିବା ଲାଗି ତାଙ୍କୁ ଦାୟିତ୍ବ ଦିଆଯାଇଛି। ଏହାକୁ ଆପଣମାନେ ସମର୍ଥନ କରୁଛନ୍ତି କି? ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିବାରୁ ସଭାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଏକସ୍ବରରେ ସମର୍ଥନ ଜଣାଇଥିଲେ।
ମଧୁବାବୁଙ୍କୁ ଭାରତରତ୍ନ ପାଇଁ ଅଭିଯାନକୁ ସମର୍ଥନ
ଉତ୍ସବରେ ମୁଖ୍ୟବକ୍ତା ‘ସମ୍ବାଦ ସାହିତ୍ୟଘର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା କହିଲେ, ‘ସମ୍ବାଦ ସାହିତ୍ୟଘର ଅନୁଷ୍ଠାନ କେବଳ ସାହିତ୍ୟରେ ସୀମିତ ନାହିଁ। ସମାଜରେ ସଂସ୍କାର, ପରିବେଶ ସୁରକ୍ଷା ଓ କୋଭିଡ୍ କଟକଣା ସମୟରେ ଲୋକମାନଙ୍କୁ ସହାୟତା କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପ୍ରତ୍ୟେକ ବ୍ୟକ୍ତି ଭାଷା ଓ ସାହିତ୍ୟ ପ୍ରତି ଅଙ୍ଗୀକାରବଦ୍ଧତାକୁ ପ୍ରସାର କରାଇବା ଆବଶ୍ୟକ। ସାହିତ୍ୟ ପୃଷ୍ଠାରେ ସମାଜର ମୁହଁ ଦେଖାଯାଉଥିବାରୁ ପ୍ରତ୍ୟେକ ବ୍ୟକ୍ତି ସାହିତ୍ୟକୁ ଏକ ଉତ୍ସବ ରୂପେ ଗ୍ରହଣ କରିବା ଆବଶ୍ୟକ। ସମ୍ମାନିତ ଅତିଥି ବରିଷ୍ଠ ସମାଜସେବୀ ଗୌରାଙ୍ଗ ଚରଣ ହୋତା ଓଡ଼ିଆ ଭାଷାର ପ୍ରସାର ପ୍ରଚାରରେ ‘ସମ୍ବାଦ ସାହିତ୍ୟଘରର ଭୂମିକାର ଉଚ୍ଚ ପ୍ରଶଂସା କରିବା ସହ ଏହାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ବଳିଷ୍ଠ ଭୂମିକାକୁ ଏ ଜାତି କେବେ ଭୁଲିବ ନାହିଁ ବୋଲି କହିଥିଲେ। ଉତ୍ତରପିଢ଼ିର ସାହିତ୍ୟିକମାନେ ଉଚ୍ଚମାନର ଲେଖା ଲେଖିଲେ ତାହା କାଳଜୟୀ ହୋଇପାରିବ ବୋଲି କହିଥିଲେ। ‘ସମ୍ବାଦ ସାହିତ୍ୟଘର ଜଗତସିଂହପୁର ଶାଖା ସଭାପତି ହିମାଂଶୁ ଆଚାର୍ଯ୍ୟ ସଭାପତିତ୍ବ ଅଭିଭାଷଣରେ କହିଥିଲେ ଯେ ଅଧିକରୁ ଅଧିକ ଭାଷା ଶିକ୍ଷା କରିବାରେ କିଛି ସମସ୍ୟା ନାହିଁ। ମାତ୍ର ନିଜ ମାତୃଭାଷାର ମୂଲ୍ୟବୋଧକୁ ବୁଝିବା ସହ ଏହାର ଟେକ ରଖିବାକୁ ସମସ୍ତେ ଉଦ୍ୟମ କରିବା ଉଚିତ୍। ସାହିତ୍ୟଘର ସମ୍ପାଦକ ଅଲେଖ ଚନ୍ଦ୍ର ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ‘ସମ୍ବାଦ ସାହିତ୍ୟଘରର ବାର୍ଷିକ ମୁଖପତ୍ର ‘ବର୍ଣ୍ଣବିଭା’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିବା ବେଳେ ସନ୍ଧ୍ୟାରାଣୀ ଦାଶଙ୍କ ‘ବିଲେଇ ନାନିର ଭାଓଲିନ୍ ଉନ୍ମୋଚିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/WhatsApp-Image-2022-07-04-at-12.41.jpg)