ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ହେବ ୧୦୦ଶଯ୍ୟା ଏମ୍‌ସିଏଚ୍‌

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ହେବ ୧୦୦ଶଯ୍ୟା ବିଶିଷ୍ଟ ଏମ୍‌ସିଏଚ୍‌ ଗୃହ। ଏହା ସହିତ ଟେଲି ରେଡିଓଲୋଜି, ଡାଏଲିସିସ୍‌ ଓ କେମୋଥେରାପି ସେବା ଉପଲବ୍ଧ ହେବ।

ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମସ୍ୟା ନେଇ ଆଜି ସଚିବାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ସହିତ ଜନସାଧାରଣଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜଗତସିଂହପୁର ଡିଏଚ୍‌ଏଚ୍‌ ପରିସରରେ ୧୦୦ଶଯ୍ୟା ବିଶିଷ୍ଟ ଏମ୍‌ସିଏଚ୍‌ ଗୃହ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହ ହାଇ ଏଣ୍ଡ ପାଥୋଲୋଜି ସହିତ ନିରାମୟ ଯୋଜନାରେ ସମସ୍ତଙ୍କୁ ବିନା ମୂଲ୍ୟରେ ଔଷଧ ଯୋଗାଇବା ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟରତ ସମସ୍ତ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ନିୟମିତ ନିଷ୍ଠାର ସହିତ ଦାୟିତ୍ୱ ତୁଲାଇବାକୁ ନିର୍ଦେଶ ଦିଆଯାଇଛି। ଏ କ୍ଷେତ୍ରରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ତେଣୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଶ୍ରୀ ଜେନା ନିର୍ଦେଶ ଦେଇଛନ୍ତି।

ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, ସ୍ୱତନ୍ତ୍ର ସଚିବ ଡା.କୈଳାସ ଚନ୍ଦ୍ର ଦାଶ, ଡା.ବିନୋଦ ମିଶ୍ର, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶକ ଆରପି ସିଂହ, ଜଗତସିଂହପୁର ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀ, ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବି.କେ ବ୍ରହ୍ମା, ପରିବାର କଲ୍ୟାଣ ନିର୍ଦେଶକ ଡା.ଶରତ ସାହୁ, ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା.ଜେ.କେ ତ୍ରିପାଠୀ, ଅତିରିକ୍ତ ସଚିବ ଡା.ଅଜିତ କୁମାର ମିଶ୍ର, ସିଡିଏମ୍‌ଓ, ଏଡିଏମ୍‌ଓ ଏବଂ ଡିପିଏମ୍‌ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର