ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ କଲ୍ୟାଣପୁରର ଜଗଦୀଶ ଚୌହାନ ନୂଆପଡ଼ା ତହସିଲ୍ ଅଫିସ ଆଗରେ ଆତ୍ମାହୁତି ଦେବା ଘଟଣା ଆଜିକୁ ଏକ ମାସ ବତିଯାଇଥିଲେ ମଧ୍ୟ ମୃତଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ କ୍ଷତିପୂରଣ ଦିଆଯାଇନାହିଁ। ଏହାକୁ ନେଇ ଆଜି ନୂଆପଡ଼ା ଜିଲ୍ଲା ଗରିବସେନା ପକ୍ଷରୁ ସଭାପତି ରବି ମଙ୍ଗରାଜଙ୍କ ନେତୃତ୍ବରେଏକ ଘଣ୍ଟା ଧରି ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ପ୍ରାୟ ଏକ ଘଣ୍ଟା ଧରି ରସ୍ତା ଅବରୋଧ ପରେ ଘଟଣାସ୍ଥଳକୁ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ସହକାରୀ ଜିଲ୍ଲାପାଳ ଚନ୍ଦନ ସତପଥୀ, ନୂଆପଡ଼ା ଥାନା ଅଧିକାରୀ ନିର୍ମଳ ପାଣିଗ୍ରାହୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ।
ଆଲୋଚନା ପରେ ଗରିବ ସେନା ପକ୍ଷରୁ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ପ୍ରକାଶ ଯେ କଲ୍ୟାଣପୁର ଗ୍ରାମର ଜଗଦୀଶ ଚୌହାନ ନାମରେ ଏକ ଋଣ ରହିଥିବାରୁ ପୈତୃକ ଜମିକୁ ବିକ୍ର କରିବା ପାଇଁ ଏକ ବର୍ଷ ହେଲା ନୂଆପଡ଼ା ଉପଜିଲ୍ଲାପାଳଙ୍କଠାରେ ଆବେଦନ କରିଥିଲେ। ହେଲେ ଏହା ଉପରେ ତଦନ୍ତ କରିବା ପାଇଁ ନୂଆପଡ଼ା ତହସିଲଦାରଙ୍କୁ ଦାୟିତ୍ବ ଦିଆଯାଇଥିଲା। ହେଲେ ତହସିଲଦାର ବିଳମ୍ବ କରିବା ସହ ଅଭିଯୋଗକାରୀଙ୍କ କଥାକୁ କର୍ଣ୍ଣପାତ କରୁନଥିଲେ। ଶେଷରେ ଗଜଦୀଶ ଚୌହାନ ନିରାଶ ହୋଇ ମାର୍ଚ୍ଚ ୧୬ ତାରିଖ ତହସିଲଦାର ଅଫିସ ଆଗରେ ଆତ୍ମାହୁତି ଦେଇଥିଲେ।