ବୋର୍ଡର ପ୍ରଥମ ମହିଳା ସଭାପତି ଜାହାଁନାରା ବେଗମ୍‌ଙ୍କ ଦାୟିତ୍ୱ ଗ୍ରହଣ

କଟକ : ପ୍ରଫେସର ଡକ୍ଟର ଜାହାଁନାରା ବେଗମ୍‌ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ପ୍ରଥମ ମହିଳା ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ବୋର୍ଡର ୫୨ତମ ସଭାପତି ହୋଇଛନ୍ତି। ଆଜି ଅପରାହ୍‌ଣରେ ସେ ବୋର୍ଡ କାର୍ଯ୍ୟାଳୟରେ ସଂପାଦକ ରାମାଶିଷ ହାଜିରାଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏଥିସହ ମୁଖ୍ୟ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସଂପାଦକ ଶ୍ରୀ ହାଜିରାଙ୍କ ସମେତ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି, ବିତ୍ତ ଅଧିକାରୀ ରମେଶ ଚନ୍ଦ୍ର ଘଡେଇ, ଗୋପନୀୟ ବିଭାଗ ଅଧିକାରୀ ଅକ୍ଷୟ କୁମାର ପରିଡ଼ା, ସଂସ୍ଥା ଅଧିକାରୀ ବାସୁଦେବ ସେଠୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ଏଥିସହ ପ୍ରଫେସର ବେଗମ୍‌ କହିଛନ୍ତି ଯେ, ସରକାର ଦେଇଥିବା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ସୁଚାରୁରୂପେ ସଂପାଦନ ପାଇଁ ସେ ଉଦ୍ୟମ କରିବେ। ଆସନ୍ତା ମାଟ୍ରିକ୍‌ ପରୀକ୍ଷା ସମେତ ଅନ୍ୟ ପରୀକ୍ଷାଗୁଡ଼ିକ କିପରି ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ପରିଚାଳନା କରାଯିବ ସେଦିଗରେ ପଦକ୍ଷେପ ଗ୍ରହଣ କରାଯିବ।

ଏଠାରେ ସୂଚନା ଯୋଗ୍ୟ କି, ପ୍ରଫେସର ବେଗମ୍‌ ରେଭେନ୍‌ସା କଲେଜରୁ ମନସ୍ତତ୍ତ୍ୱ ବିଭାଗ ଅଧ୍ୟାପିକା ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ପରେ ରମାଦେବୀ, ଶୈଳବାଳା, ବିଜେବି, ଏସ୍‌ସିଏସ୍‌ ଆଦି କଲେଜରେ ଅଧ୍ୟାପନା କରିଛନ୍ତି। ପରେ ସେ ବାଲେଶ୍ୱର କୁନ୍ତଳା କୁମାରୀ ମହିଳା କଲେଜ ଓ ଭୁବନେଶ୍ୱର ରାଜଧାନୀ କଲେଜ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର