ରାଉରକେଲା: ରାସ୍ତାପାର୍ଶ୍ବର ହୋଟେଲ ବ୍ୟବସାୟୀ ମୁକ୍ତାମଞ୍ଜରୀ ସାମଲ। ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିଛନ୍ତି। ନିଜେ ରୋଜଗାରକ୍ଷମ ହେବାଲକ୍ଷ୍ୟ ରଖି ପରିବାର ସହ ଯାଜପୁର ଜିଲ୍ଲାର ରଣପୁରରୁ ଛୁଟି ଆସିଥିଲେ ସ୍ମାର୍ଟସିଟି ରାଉରକେଲାକୁ। ଏଠାରେ ଆରମ୍ଭ କରିଥିଲେ ଝୁମ୍ପୁଡ଼ି ହୋଟେଲ ‘କୌଶଲ୍ୟା’। ଖାଦ୍ୟର ସ୍ବାଦ ଓ ବ୍ୟବହାର ଯୋଗୁଁ ଏହି ହୋଟେଲ ସହରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏବେ ଝୁମ୍ପୁଡ଼ି ଛାଡ଼ି ଭଡ଼ାରେ ଘର ନେଇ ବଡ଼ ହୋଟେଲ କରିଛନ୍ତି। ଯେଉଁଠି ଦିନେ ମାତ୍ର ୪ଜଣ ମହିଳା କାମ କରୁଥିଲେ; ସେଠି ଏବେ ୩୫ରୁ ଅଧିକ ମହିଳା ରୋଜଗାରକ୍ଷମ ହୋଇଛନ୍ତି। ଭବିଷ୍ୟତରେ ୧୫୦ରୁ ଅଧିକ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କୁ ଏହି କାମରେ ତାଙ୍କର ସ୍ବାମୀ ଦୁଷ୍ମନ୍ତ ସାମଲ ଓ ପୁଅ ମଧ୍ୟ ସହାୟତା କରୁଛନ୍ତି।
୨୦୧୬ରେ ସ୍ବାମୀ ଦୁଷ୍ମନ୍ତଙ୍କ ସହ ଗାଁ ଛାଡ଼ି ରାଉରକେଲା ସହରକୁ ଆସିଥିଲେ ମୁକ୍ତାମଞ୍ଜରୀ। ଉଦିତ୍ନଗର ରାସ୍ତାପାର୍ଶ୍ବରେ ଝୁମ୍ପୁଡ଼ି ହୋଟେଲ ଆରମ୍ଭ କରିଥିଲେ। ପ୍ରଥମେ ୩ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ। ଗ୍ରାହକଙ୍କ ସଂଖ୍ୟା ବଢ଼ିବାରୁ ଝୁମ୍ପୁଡ଼ି ହୋଟେଲ ଛାଡ଼ି ଏସ୍ଟିଆଇ ଛକସ୍ଥ ଆର୍ସିଏମ୍ଏସ୍ କଂପ୍ଲେକ୍ସରେ ଏକ ବଡ଼ ଦୋକାନଗୃହ ଭଡ଼ା ସୂତ୍ରରେ ନେଇଥିଲେ। ଏବେ ୩୫ରୁ ଅଧିକ ମହିଳା କର୍ମଚାରୀ କାମ କରୁଛନ୍ତି। ରୋଷେଇଠୁ ଆରମ୍ଭ କରି ଗ୍ରାହକମାନଙ୍କୁ ଖାଦ୍ୟ ପରସିବା ଓ ଅର୍ଡର ଅନୁଯାୟୀ ବିଭିନ୍ନ ଅନୁଷ୍ଠାନରେ ଖାଦ୍ୟ ପହଞ୍ଚାଇବା କାମ ମହିଳାମାନେ କରୁଛନ୍ତି। ଦୈନିକ ପ୍ରାୟ ୪୦ରୁ ୫୦ ହଜାର ଟଙ୍କାର ବ୍ୟବସାୟ ହେଉଛି। ମହିଳା କର୍ମଚାରୀଙ୍କ ଦରମା, ଘରଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ଯାଇ ମାସକୁ ପ୍ରାୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ମୁକ୍ତାମଞ୍ଜରୀ କହିଛନ୍ତି, ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ କଠିନ ପରିଶ୍ରମ ଦରକାର। ଗର୍ବ ଓ ଅହଂକାର ଛାଡ଼ିଲେ ସଫଳତାର ଶୀର୍ଷରେ ପହଞ୍ଚି ହେବ। ହୋଟେଲରେ କାମ କରୁଥିବା ସୁନୀତା ନାୟକ, ରୀତା କର୍ମକାର ଓ ବନଲତା ପାତ୍ର କହିଛନ୍ତି, ମୁକ୍ତାମଞ୍ଜରୀ ଜଣେ କର୍ମଠ ମହିଳା। ଆମେ ତାଙ୍କ ହୋଟେଲରେ କାମ କରି ମାସକୁ ଭଲ ଦି’ ପଇସା ପାଉଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/24/iJSVRQxyQkWJrRL0clSx.jpg)