ଭୁବନେଶ୍ୱର: ନୂଆପଡ଼ା ରାଜନୀତିରେ ଆଜି ବଡ଼ ହଟଚମଟ ଦେଖିବାକୁ ମିଳିଛି। ଗତ କିଛି ଦିନ ହେଲା ନୂଆପଡ଼ା ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବାକୁ ଅାଶା ବାନ୍ଧି ପ୍ରଚାର କରୁଥିବା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଆଜି ସମସ୍ତଙ୍କୁ ବିସ୍ମିତ କରି ବିଜେପିରେ ଯୋଗ ଦେଇଛନ୍ତି। ନୂଆପଡ଼ା ଉପନିର୍ବାଚନରେ ଜୟଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଏକପ୍ରକାର ନିଶ୍ଚିତ କରିଥିଲା ଓ କେବଳ ଘୋଷଣା ବାକି ଥିଲା। କିନ୍ତୁ ଜୟ ଶଙ୍ଖ ଶିବିର ଛାଡ଼ି ପଦ୍ମ ଧରିଛନ୍ତି। ଏପରିକି ଖୁବ୍ଶୀଘ୍ର ବିଜେପି ଜୟ ଢୋଲକିଆଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଥିବାବେଳେ ଏବେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କର ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି।
ବିଜେପି କ୍ଷମତାକୁ ଆସିବା ପରେ ନୂଆପଡ଼ାରେ ପ୍ରଥମ ଉପନିର୍ବାଚନ ସାମନା କରିବାକୁ ଯାଉଛି। ତେଣୁ ଦଳ ନିଶ୍ଚିତ ବିଜୟ ଆଶାରେ ଏହି ବଡ଼ ଚାଲ୍ ଖେଳିଥିବା କୁହାଯାଉଛି। ଏପରିକି ଗତ ସାଧାରଣ ନିର୍ବାଚନରେ ବିଜେପିର ଗୋଷ୍ଠୀ କନ୍ଦଳ ଯୋଗୁ ଦଳୀୟ ପ୍ରାର୍ଥୀ ସେଠାରେ ତୃତୀୟ ସ୍ଥାନରେ ଥିବାବେଳେ ଏଥର ଯେପରି ସେହି ଭୁଲ୍ ନ ହେବ, ସେ ନେଇ ମଧ୍ୟ ଦଳ ତରଫରୁ ରଣନୀତି ପ୍ରସ୍ତୁତ ହୋଇଛି। ଯେଉଁଥିପାଇଁ ନୂଆପଡ଼ାରେ ବିଜେପିରୁ ଟିକେଟ ଆଶାୟୀ ଥିବା ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ବୁଝାସୁଝା କରିବା ସହ ଆଜିର ମିଶ୍ରଣ ପର୍ବରେ ବସନ୍ତ ପଣ୍ଡାଙ୍କ ଉପସ୍ଥିତି ମଞ୍ଚରେ ଦେଖିବାକୁ ମିଳିଥିଲା।
ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇପାରନ୍ତି
ନୂଆପଡ଼ା ଜିଲ୍ଲାବାସୀଙ୍କ ଦାୟିତ୍ୱ ମୁଁ ନେବି: ମୁଖ୍ୟମନ୍ତ୍ରୀ
୨୦୧୮ ବିଜେପୁର ଘଟଣାର ପୁନରାବୃତ୍ତି
ଜୟଙ୍କ ଯୋଗଦାନ ନୂଆପଡ଼ାରେ ବିଜେପିକୁ ଅଧିକ ଶକ୍ତିଶାଳୀ କରିବ: ମନମୋହନ
ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବି: ଜୟ
ବିଜେପିରେ ଜୟ ଢୋଲକିଆ ମିଶିବା ପରେ ୨୦୧୮ ବିଜେପୁର ଉପନିର୍ବାଚନ ଘଟଣାର ପୁନରାବୃତ୍ତି ହେଲା ବୋଲି କୁହାଯାଉଛି। କାରଣ ସେତେବେଳେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ହୋଇଥିବା ଉପନିର୍ବାଚନରେ ସୁବଳଙ୍କ ପତ୍ନୀ ରୀତା ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା। ଏହି ସମୟରେ ବିଜେଡି ରୀତା ସାହୁଙ୍କୁ ଦଳରେ ମିଶାଇ ଟିକେଟ୍ ଦେଇଥିଲା। ଏବେ ବିଜେଡି ବିଧାୟକଙ୍କ ପୁଅକୁ ବିଜେପି ଆଣି ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଜୟ ଢୋଲକିଆ ନିଜର ଶତାଧିକ ସମର୍ଥକଙ୍କ ସହ ଦଳରେ ସାମିଲ ହୋଇଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଦଳୀୟ ଟୋପି, ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଓ ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ତାଙ୍କୁ ମଞ୍ଚରେ ସ୍ବାଗତ କରିଥିଲେ।
ଜୟ ବିଜେପିରେ ଯୋଗ ଦେବା ପରେ କହିଛନ୍ତି ଯେ ନୂଆପଡ଼ା ଏକ ଉପାନ୍ତ ଅଞ୍ଚଳ। ଏହି ଅଞ୍ଚଳର ବିକାଶ ପାଇଁ ବାପା ରାଜେନ୍ଦ୍ର ଢୋଲକିଆ ଅନେକ ସ୍ୱପ୍ନ ଦେଖିଥିଲେ। ଏହି ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଆଜି ମୁଁ ବିଜେପିରେ ଯୋଗଦେଇଛି। ନୂଆପଡ଼ାକୁ ରାଜ୍ୟର ଏକ ନମ୍ବର ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ମୁଁ ଶପଥ ନେଉଛି। ଜୟ େଢାଲକିଆଙ୍କୁ ଦଳକୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡ଼ା ଜିଲ୍ଲାବାସୀ ଜଣେ ଭଲ ନେତାଙ୍କୁ ହରାଇଛନ୍ତି। ସେ କେବଳ ଜଣେ ଦରଦୀ ନେତା ନ ଥିଲେ, ସମାଜସେବୀ ହିସାବରେ ମଧ୍ୟ ତାଙ୍କର ପରିଚୟ ଥିଲା। ତାଙ୍କ ଅବର୍ତ୍ତମାନରେ ନୂଆପଡ଼ା ଜିଲ୍ଲାର ବିକାଶ ପ୍ରକ୍ରିୟା ଜାରି ରହିବ। ଜିଲ୍ଲାବାସୀଙ୍କ ଦାୟିତ୍ୱ ମୁଁ ନେଇଛି। ଯେତେବେଳେ ଜିଲ୍ଲାବାସୀ ଚାହିବେ ମୋତେ ଭେଟି ପାରିବେ। ଜୟ ଢୋଲକିଆଙ୍କ ଯୋଗଦାନ ବିଜେପିକୁ ଆହୁରି ସଶକ୍ତ କରିବ।
ସେହିପରି ରାଜ୍ୟ ସଭାପତି ଶ୍ରୀ ସାମଲ କହିଥିଲେ, ବିଜେପିରେ ସାମିଲ ହେବା ପାଇଁ ଜୟ ଢୋଲକିଆ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ବିଜେପି ସରକାର ଗତ ୧୬ ମାସରେ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଛନ୍ତି। ଏସବୁ କାର୍ଯ୍ୟ ଲୋକଙ୍କ ମନକୁ ଆନ୍ଦୋଳିତ କରିଛି। ଲୋକଙ୍କ ଏହି ବିଶ୍ୱାସ ଆଗାମୀ ଉପନିର୍ବାଚନରେ ପ୍ରତିଫଳିତ ହେବ। ବିଜେପି ପ୍ରାର୍ଥୀ ସେଠାରେ ବିଜୟୀ ହେବେ। ଆଗାମୀ ଦିନରେ ନୂଆପଡ଼ାର ଅଧୁରା କାମକୁ ପୂରା କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ। ଏହି ମିଶ୍ରଣ ପର୍ବରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, କୃଷ୍ଣଚନ୍ଦ୍ର ପାତ୍ର, ସୁରଜ ସୂର୍ଯ୍ୟବଂଶୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ବିଧାୟକ ବାବୁ ସିଂହ, ହିମାଂଶୁ ଶେଖର ସାହୁ, ପ୍ରକାଶ ସେଠୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/12/agadadgzcvcv-2025-10-12-02-30-01.jpg)