ରାଇରଙ୍ଗପୁର: ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର, ସଂରକ୍ଷଣ ନିମନ୍ତେ ଓ ସମସ୍ତ ଜନସାଧାରଣଙ୍କୁ ଜଗନ୍ନାଥ ସଂସ୍କୃତି ସହିତ ସାମିଲ କରିବା ଉଦେଶ୍ୟରେ ରାଇରଙ୍ଗପୁର ପୌରାଞ୍ଚଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରୁଛି। ଉକ୍ତ ରଥ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ସମସ୍ତ ୧୫ଟି ୱାର୍ଡରେ ପର୍ଯ୍ୟାୟ କ୍ରମେ ପରିକ୍ରମା କରି ସଂକୀର୍ତ୍ତନ ମଣ୍ଡଳୀ ସହିତ ଘରକୁ ଘର ବୁଲି ପ୍ରତ୍ୟେକ ଗୃହରୁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଠାରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବ। ୮ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ ମଧ୍ୟରେ ଏହି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କାର୍ଯ୍ୟ ସମାପନ କରାଯାଇ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଏକତ୍ରିତ କରାଯିବ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ଉପଲକ୍ଷେ ମହାପ୍ରଭୁଙ୍କୁ ଅର୍ପଣ ପାଇଁ ପୁରୀ ଶ୍ରୀମନ୍ଦିରକୁ ପ୍ରେରଣ କରାଯିବା ପାଇଁ ବ୍ୟବସ୍ଥା କରାଯିବ।
ଏଥି ସହିତ ପୁରୀଠାରେ ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ କାର୍ଯ୍ୟକ୍ରମ ଭକ୍ତ, ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ଦର୍ଶନ ନିମନ୍ତେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ପାଇଁ ବ୍ୟବସ୍ଥା କରାଯିବା ସହ ପ୍ରସାଦ ସେବନର ଆୟୋଜନ କରାଯାଇଛି। ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆମ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜୟ ଜଗନ୍ନାଥ ରଥକୁ ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ମୋରଡା ବିଧାୟକ ରାଜକିଶୋର ଦାସ ଓ ଓଡିଶା ସରକାରଙ୍କ ଶକ୍ତି ବିଭାଗ ଅଧିନସ୍ଥ ଗ୍ରାମ୍ୟ ବିଦ୍ୟୁତକରଣର ଉପଦେଷ୍ଟା ଦୀପ୍ତିମାନ ବଳ ପ୍ରମୁଖ ମହାପ୍ରଭୁଙ୍କୁ ଅରୁଆ ଚାଉଳ ଓ ଗୁଆ ଅର୍ପଣ ପୂର୍ବକ ସଂକୀର୍ତନ ସହ ଜୟ ଜଗନ୍ନାଥ ଧ୍ୱନି ରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରିଥିଲେ। ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମେତ ପୌର ପାଳିକାର ଉପାଧ୍ୟକ୍ଷା ମମିତା ଚୌଧୁରୀ, ସମସ୍ତ କାଉନସିଲର, ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ରମେଶ ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।