ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ସାରର ଉତ୍କଟ ଅଭାବ, ଚାଷୀ ପଞ୍ଜୀକରଣରେ ସମସ୍ୟା, ଗଜା ମରୁଡ଼ି, ବିଜୁଳି ଦର ବୃଦ୍ଧି, ଅନ୍ୟାନ୍ୟ ସମସ୍ୟା ନେଇ ସୋମବାର ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ଉପଜିଲ୍ଲାପାଳ ତରଣୀସେନ ନାଏକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ପରିଷଦର ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଶହ ଶହ ଚାଷୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ସମ୍ବଳିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଦାବିପତ୍ର ଦେଇଥିଲେ। ପରିଷଦର ସହଆବାହକ ବସନ୍ତ ସିଂହଠାକୁର, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷ ଭକ୍ତରାମ ଧରୁଆ, କୋମନା ବ୍ଲକ୍ ଅଧ୍ୟକ୍ଷ ଅଭିନ୍ନ ପୁରୋହିତ ତଥା ଅନ୍ୟାନ୍ୟ ନେତୃମଣ୍ଡଳୀ କୋଭିଡ୍ ନିୟମ ମାନି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।
ଜିଲ୍ଲାରେ ଖରିଫ ଋତୁରେ ୧୯ ହଜାର ମେଟ୍ରିକ୍ ଟନ୍ ସାରର ଅବଶ୍ୟକତା ଅଛି। କିନ୍ତୁ ୧୦ ହଜାର ମେଟ୍ରିକ୍ ଟନ୍ ସାର ଦିଆ ଯାଇଥିବାରୁ କଳାବଜାର ହେଉଛି। ଗଜା ମରୁଡ଼ି ଘୋଷଣା, ୨୦୧୭-୧୮ ଓ ୧୯ ର ବକେୟା ଫସଲ ବୀମା ପ୍ରଦାନ, ଚାଷୀ ପଞ୍ଜୀକରଣ ଅବଧିକୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି, କପା ଓ ମକା ମଣ୍ଡି ଖୋଲିବା, ଟୋକନ୍ ବ୍ୟବସ୍ଥାର ସରଳୀକରଣ କରିବାକୁ ଦାବି କରାଯାଇଥିଲା। ଚାଷୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାକୁ ଯଦି ସରକାର ଶୀଘ୍ର ସମାଧାନ ନ କରିବେ ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ବଡ଼ ଧରଣର ଆନ୍ଦୋଳନ ପାଇଁ ପରିଷଦ ପ୍ରସ୍ତୁତ ହେବ। ଏନେଇ ପରିଷଦର ଆବାହକ ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଶଙ୍କର ଅହୀର, ଗୌରମଣି ବିଭାର, ପ୍ରବୀଣ ଭୋଇ, ଭୂବନେ ନାୟକ, ବୃନ୍ଦାବନ ପ୍ରଧାନ, ନୀଳ ନାଗ, ହେମଲାଲ ରଣା, ଶିବ ପାତ୍ର, ଶତାଧିକ ଚାଷୀ ଯୋଗଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/d9127337-e798-4c58-a916-783a84c4206e.jpg)