ଢେଙ୍କାନାଳରେ ‘ଜୟକିଷାନ ସମାବେଶ’ : ତାକତ ଦେଖାଇଲେ ଚାଷୀ

ହକ୍‌ ପୂରଣ କର, ଅନ୍ୟଥା ଗାଦି ଛାଡ଼
୩୧ରେ ନୟାଗଡ଼ରେ ସମାବେଶ

ଭୁବନେଶ୍ୱର/ଢେଙ୍କାନାଳ : ହକ୍‌ର ଲଢେଇ ଲଢିବାରେ ଅଟଳ ହଜାର ହଜାର ଚାଷୀ ଆଜି ଢେଙ୍କାନାଳରେ ଅଭୂତପୂର୍ବ ଉପସ୍ଥିତି ମାଧ୍ୟମରେ ନିଜର ତାକତ ଦେଖାଇଛନ୍ତି। ଜଗତସିଂହପୁର ଓ ଯାଜପୁର ପରେ ଆଜି ଏଠାରେ ନବ ନିର୍ମାଣ କୃଷକ ସଂଗଠନର ଜୟ କିଷାନ ମହାସମାବେଶରେ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌ ଦାବିରେ ଚାଷୀମାନେ ରଣହୁଙ୍କାର ଦେଇଥିଲେ। ଚାଷୀନେତାମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ କହିଥିଲେ, ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କର, ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ଦିଅ। ନହେଲେ ଗାଦି ଛାଡ଼। ଏକଥା ବି ଚେତାଇ ଦେଇଥିଲେ, ଚାଷୀଙ୍କୁ ଅଣଦେଖା କଲେ ପରିଣାମ ଭୟାବହ ହେବ। କ୍ଷମତା ଦଖଲର ସ୍ୱପ୍ନ ଭୁଲିଯିବାକୁ ପଡ଼ିବ। ଏଣୁ ଉଭୟ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ। ଅନ୍ୟଥା ଆନ୍ଦୋଳନ ଆହୁରି ଜୋରଦାର ହେବ। ରାଜଧାନୀ ଭୁବନେଶ୍ୱରରେ ପ୍ରତିଦିନ ହଜାର ହଜାର ଚାଷୀ ଏକାଠି ହୋଇ ଜରୁରି ପରିସ୍ଥିତି ସୃଷ୍ଟି କରିବେ। ଆସନ୍ତା ୩୧ତାରିଖରେ ନୟାଗଡ଼ ଜିଲ୍ଲାରେ ମଧ୍ୟ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହେବ ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା।

ନବନିର୍ମାଣ କୃଷକ ସଂଗଠନ ଆହ୍ଵାନରେ ଆଜି ଢେଙ୍କାନାଳରେ ଅନୁଷ୍ଠିତ ହୋଇଥିଲା ଜୟକିଷାନ ସମାବେଶ। ଢେଙ୍କାନାଳ ସଦର ମିନି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ଚାଷୀ ସମାବେଶ ପାଇଁ ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ହାଟ ରୋଡ୍‌ରୁ ବାହାରିଥିଲା। ୫ କି.ମି ପର୍ଯ୍ୟନ୍ତ ଲମ୍ବିଥିବା ଏହି ଶୋଭାଯାତ୍ରାରେ ପାଖାପାଖି ୩୦ହଜାରରୁ ଅଧିକ ଚାଷୀ ଏକାଠି ହୋଇ ପଦଯାତ୍ରାରେ ମିନି ଷ୍ଟାଡିୟମ ନିକଟରେ ପହଞ୍ଚିଥିଲେ।

ଚାଷୀମାନଙ୍କୁ ସମ୍ବୋଧିତ କରିବାକୁ ଯାଇ ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ଗତବର୍ଷ ଦିଲ୍ଲୀରେ ଚାଷୀ ସମାବେଶ ପରେ ନଭେମ୍ବର ୨୩ ତାରିଖରେ ଜଗତସିଂହପୁରରେ ଚାଷୀ ସମାବେଶ ହୋଇଥିଲା। ଗତ ୧୧ତାରିଖରେ ସଂଗଠନର ଯୁବ ଛାତ୍ର ସଂଗଠନ ଭୁବନେଶ୍ୱରରେ ସମାବେଶ କରିଥିଲେ। ୧୯ ତାରିଖରେ ଯାଜପୁରରେ ଏକାଠି ହୋଇଥିଲେ ଚାଷୀ। ଆଉ ଏହାର ଠିକ୍‌ ୧୦ଦିନ ପରେ ଆଜି ଢେଙ୍କାନାଳରେ ଏକ ବିରାଟ ଚାଷୀ ସମାବେଶ ହୋଇଛି। ଆଜିର ଏହି ଚାଷୀ ସମାବେଶ ଏକ ବିରାଟ ପରିବର୍ତନର ଆହ୍ଵାନ ଦେଉଛି। ଏକଥା ସୂଚାଇ ଦେଉଛି ଯେ ଚାଷୀଙ୍କୁ କେହି କିଣି ପାରିବେ ନାହିଁ, ବରଂ ସେମାନଙ୍କ ମନ ଜିଣିବାକୁ ପଡ଼ିବ।

ଶ୍ରୀ ପଟ୍ଟନାୟକ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟେକ ମାସ ନିଜର ମନ୍‌କୀ ବାତ କହୁଛନ୍ତି। ଏବେ ସେ ଚାଷୀଙ୍କ କଥା ଶୁଣିବା ଦରକାର। ଚାଷୀମାନଙ୍କ କଥା ମଧ୍ୟ କହିବା ଦରକାର। ନିର୍ବାଚନ ସମୟରେ ଚାଷୀଙ୍କୁ ତାଙ୍କ ଉତ୍ପାଦନର ଦେଢ଼ଗୁଣା ମୂଲ୍ୟ ଦେବେ ବୋଲି ମୋଦି କହିଥିଲେ। ମାତ୍ର ତାଙ୍କ ମନ୍ତ୍ରୀ ଚାଷୀଙ୍କୁ ଏହି ମୂଲ୍ୟ ଦିଆଯାଇ ପାରିବ ନାହିଁ ବୋଲି କହୁଛନ୍ତି। ଅପରପକ୍ଷରେ ଚାଷୀଙ୍କୁ ପେନସନ୍‌ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ସଂଗଠନ ପକ୍ଷରୁ ଦାବି କରାଯାଉଛି। ଚାଷୀଙ୍କ ପାଇଁ ରାଜ୍ୟ ସରକାର ଯେଉଁ ଯୋଜନା କରୁଛନ୍ତି ସେଥିରେ ପ୍ରବଳ ଦୁର୍ନୀତି ହେଉଛି। କୃଷି ବିଭାଗକୁ ଦୁର୍ନୀତିଗସ୍ତ ବୋଲି ଆକ୍ଷେପ କରି ଶ୍ରୀ ପଟ୍ଟନାୟକ ରାଜ୍ୟରେ ଟ୍ରାକ୍ଟର, ସାର ଏପରିକି ବିହନରେ ମଧ୍ୟ ଦୁର୍ନୀତି ହେଉଥିବା ଅଭିଯୋଗ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏକଥା ବି ଜଣାଇଥିଲେ ଯେ ୨୦୧୫ ମସିହାରେ ଚାଷୀଙ୍କୁ ଯେଉଁ କ୍ଷତିପୂରଣ ମିଳିବା କଥା ତାହା ଆଜି ପର୍ଯ୍ୟନ୍ତ ମିଳି ପାରିନାହିଁ।

କୁନ୍ଦୁଲି ପୀଡ଼ିତା ତଦନ୍ତ ପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ କରୁଥିବା ବେଳେ ରାଜ୍ୟରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପାଇଁ ମଧ୍ୟ ବିଚାର ବିଭାଗୀୟ ତଦନ୍ତ କରନ୍ତୁ ବୋଲି ଦାବି ରଖି ଶ୍ରୀ ପଟ୍ଟନାୟକ କହିଥିଲେ, ଚାଷୀ ଆତ୍ମହତ୍ୟାକୁ ରାଜ୍ୟ ସରକାରଙ୍କୁ ସ୍ୱୀକାର କରିବାକୁ ପଡ଼ିବ। ଏହାକୁ ଥଟ୍ଟା କଲେ ପରିଣାମ ବିଷମ ହେବ। ଗାଁ ଗହଳିରେ ଚାଷୀଙ୍କ ପିଲାଙ୍କୁ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଚାଷୀକୁ ଉଚିତ୍‌ ପ୍ରାପ୍ୟ ନ ମିଳିଲେ ଭୋଟ ବର୍ଜନ କରିବାକୁ ଚାଷୀମାନେ ନିଷ୍ପତ୍ତି ନିଅନ୍ତୁ ବୋଲି ସେ ଆହ୍ଵାନ ଦେବା ସହିତ ପ୍ରତ୍ୟେକ ଘରେ ମଦ ବିରୋଧୀ ଆନ୍ଦୋଳନ କରିବାକୁ ମହିଳାମାନଙ୍କୁ ପ୍ରବର୍ତାଇଥିଲେ।

ଅନ୍ୟତମ ଉପଦେଷ୍ଟା ରବି ଦାସ କହିଲେ, ରାଜ୍ୟରେ ଏକ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏ ବିଷୟରେ ସଚେତନ ହେବା ଦରକାର। ଯେଉଁ ଲୋକମାନଙ୍କର ସଂଗଠନ ରହିଛି ସେମାନେ ସରକାରଙ୍କ ଉପରେ ଚାପ ପକାଇବାରେ ସଫଳ ହେଉଛନ୍ତି। ଅଙ୍ଗନବାଡ଼ି କର୍ମୀଙ୍କ ସଂଗଠନ ଯୋଗୁଁ ସରକାର ତାଙ୍କ କଥା ଶୁଣୁଛନ୍ତି। ଓଡ଼ିଶାରେ ୧୧ପ୍ରତିଶତ ଜଳସଂପଦ ଥିବା ବେଳେ ସାରା ଦେଶରେ ଜଳସେଚନ କ୍ଷେତ୍ରରେ ରାଜ୍ୟ ପଛରେ।

ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ, ରାଜ୍ୟ ବିଧାନସଭାରେ ସର୍ବସମ୍ମତିକ୍ରମେ ଧାନ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ପାଇଁ ଦାବି ପାରିତ ହୋଇଛି। ଆସନ୍ତା ମାର୍ଚ୍ଚ ମାସ ୧୨ତାରିଖ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦିଆଯାଇଛି। ଏହା ସହ ରାଜ୍ୟ ସରକାର ମଧ୍ୟ ୩୬ଲକ୍ଷ ଚାଷୀ ପରିବାରଙ୍କ ପାଇଁ ବଜେଟ୍‌ରେ ୨୧ହଜାର ୬ଶହ କୋଟି ଟଙ୍କା ବ୍ୟୟବରାଦ କରିବାକୁ ସଂଗଠନ ଦାବି କରୁଛି। ରାଜ୍ୟର ୭୦ଭାଗ ଚାଷୀ ଚାହିଁଲେ ଜରୁରି ପରିସ୍ଥିତି ସୃଷ୍ଟି ହେବ। ଓଡ଼ିଶାରୁ ଆରମ୍ଭ ହୋଇଥିବା ଏହି ଚାଷୀ ଆନ୍ଦୋଳନ ଆଗାମୀ ଦିନରେ ଦିଲ୍ଲୀରେ ଚହଳ ସୃଷ୍ଟି କରିବ ବୋଲି ଶ୍ରୀ କୁମାର କହିଥିଲେ।

ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ, ରାଜ୍ୟରେ ୭୦ଭାଗ ଚାଷୀ ରହୁଥିବା ବେଳେ ସ୍ୱାଧୀନତା ୭୦ବର୍ଷ ପରେ ମଧ୍ୟ ସେମାନଙ୍କ ବିକାଶ ହୋଇନାହିଁ। ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ଭାରତବର୍ଷକୁ ଉଭୟ ମୋଦି ଓ ନବୀନ ଧୂଳିସାତ କରି ଚାଲିଛନ୍ତି। ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌ ଦାବିରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ନନ୍ଦ କହିଥିଲେ। ଏହି ଅବସରରେ ସୁରେନ୍ଦ୍ର ମହାରଣା, କାଶୀନାଥ ସ୍ୱାଇଁ ଓ ସନାତନ ପ୍ରଧାନଙ୍କୁ ସମ୍ବର୍ଧିତ କରାଯାଇଥିଲା।

ଏହି ସମାବେଶକୁ ବିପ୍ରବର ସାହୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସହ ସଂଯୋଜକ ଉମାକାନ୍ତ ଭାରତ, ରାଜ୍ୟ କମିଟି ସଦସ୍ୟ ଶଶାଙ୍କ ଶେଖର ରଥ, ନିମାଇଁ ଚରଣ ରାୟ, ପ୍ରହଲ୍ଲାଦ ସାହୁ, କୁଳମଣି ଦାସ, କୈଳାସ ରାଉତ, ସୁରେନ୍ଦ୍ର ପୃଷ୍ଟି, ଦୀପକ କୁମାର ମିଶ୍ର, ଗୋଲକ ବିହାରୀ ମହାନ୍ତି, ସୁଧାକର ପରିଡ଼ା, ଶରତ ଚନ୍ଦ୍ର ପଟ୍ଟନାୟକ, କ୍ଷେତ୍ରବାସୀ ବିଶ୍ୱାଳ, ରୁଦ୍ର ମୋହନ ପ୍ରଧାନ, ଧନେଶ୍ୱର ସାହୁ, ଅନ୍ତର୍ଯ୍ୟାମୀ ସାହୁ, ବିଦ୍ୟାଧର ସାହୁ, ଅରବିନ୍ଦ ବରାଳ, ସୁଶାନ୍ତ ସ୍ୱାଇଁ, କୈଳାସ ରାଉତ, ସଂଗ୍ରାମ କେଶରୀ, ଭବାନୀ ଶଙ୍କର, ମନଓ୍ଵର ଅଲ୍ଲୀ, ରବି ସାହୁ, ବିଳାସିନୀ ମହାନ୍ତ, ସରସ୍ୱତୀ ରାଉତ, ଶିବ ପ୍ରସାଦ ସ୍ୱାଇଁ, ଦିବାକର ପାତ୍ର, ପ୍ରେମଲତା ରାଉତ, ଜିତେନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ସୁଶାନ୍ତ କୁମାର ସ୍ୱାଇଁ, ଡମ୍ବରୁଧର ସେଠୀ, ଜିଲ୍ଲା କୀର୍ତନ ସଂଘ ସଭାପତି ରବି ନାରାୟଣ ସ୍ୱାଇଁ, ଜଗନ୍ନାଥ କଳା ସଂସ୍କୃତି ନାମ ସଂକୀର୍ତନ ସଂଘର ସାଧାରଣ ସଂପାଦକ ଶିବପ୍ରସାଦ ସ୍ୱାଇଁ, ରାଜ୍ୟ କୀର୍ତନ ସଂଘ ସଂଯୋଜକ ବିପିନ୍‌ ବିହାରୀ ଦାସ, କୃଷକ ସମାଜ ସଭାପତି ବାସୁଦେବ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ। ବିଷ୍ଣୁପ୍ରିୟା ରଥଙ୍କ ସଂଯୋଜନାରେ ରବିନାରାୟଣ ସାହୁ ଚାଷୀଙ୍କୁ ଉଦ୍ଦେଶ୍ୟରେ ସ୍ୱାଗତ ସଂଗୀତ ଗାନ କରିଥିଲେ।

ସମ୍ବନ୍ଧିତ ଖବର