ପ୍ରତିକାର କର, ନଚେତ୍‌ ଭୋଗିବ

ନୟାଗଡ଼ରେ ଚାଷୀଙ୍କ ଶକ୍ତି ପ୍ରଦର୍ଶନ

ଡରିଲା ପ୍ରଶାସନ, ପୁଲିସ
ଧାରଣା ପରେ ଜିଲ୍ଲାପାଳ ନେଲେ ଦାବିପତ୍ର

ନୟାଗଡ଼ : ଓଡ଼ିଶାର ଏକମାତ୍ର ସମସ୍ୟା ହେଉଛି କୃଷି। କୃଷିର ବିକାଶରେ ରାଜ୍ୟର ବିକାଶ, ଦେଶର ବିକାଶ। କିନ୍ତୁ ଏ ସରକାର ଆଜି ଚାଷୀ ଓ ଚାଷକୁ ଅଣଦେଖା କରି ଆସୁଛନ୍ତି। ସେମାନଙ୍କ ନ୍ୟାଯ୍ୟ ଦାବିକୁ ପୂରଣ କରିବା ବଦଳରେ ଚାଷୀଙ୍କ ସହ ଖେଳ ଖେଳୁଛନ୍ତି। ଚାଷୀଙ୍କ ପ୍ରତି ସରକାରୀ ଅବହେଳା ସୀମା ଟପିଯାଇଛି, ଏ ହେଉଛି ସରକାରଙ୍କ ପାଇଁ ଶେଷ ସୁଯୋଗ। ଚାଷୀଙ୍କ ସମସ୍ୟାର ପ୍ରତିକାର କରନ୍ତୁ। ଚାଷୀଙ୍କ ଦାବିକୁ ପୂରଣ କରନ୍ତୁ। ନଚେତ୍‌ ଫଳାଫଳ ପାଇଁ ପ୍ରସ୍ତୁତ ରୁହନ୍ତୁ, ଆାରପାଳିକୁ ନଥିବେ।

ଆଜି ନୟାଗଡ଼ରେ ନବନିର୍ମାଣ କୃଷକ ସଂଗଠନର ଜୟ କିଷାନ୍‌ ମହାସମାବେଶରେ ଜିଲ୍ଲାର ହଜାର ହଜାର ଚାଷୀ ଯୋଗଦେଇ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏପରି ଚେତାବନୀ ଦେଇଛନ୍ତି। ଅନ୍ୟ ପଟେ ବାଟ ଓଗାଳୁଥିବା ଜିଲ୍ଲା ପ୍ରଶାସନ ଓ ପୁଲିସ ଚାଷୀଙ୍କ ଜନସମୁଦ୍ର ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି।

ଜଗତସିଂହପୁର, ଯାଜପୁର ଓ ଢ଼େଙ୍କାନାଳ ପରେ ଆଜି ନୟାଗଡ଼ରେ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ଚାଷୀମାନେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିିଛନ୍ତି। ନବନିର୍ମାଣ କୃଷକ ସଂଗଠନ ଆହ୍ଵାନରେ ହଜାର ହଜାର ଚାଷୀ ସମବେତ ହୋଇ ନୟାଗଡ଼ ସହରରେ ବିରାଟ ଶୋଭାଯାତ୍ରା କରିଥିଲେ। ଘୋଡ଼ାନାଚ, ଘଣ୍ଟଘଣ୍ଟା, ବାଜାର ତାଳେ ତାଳେ ପୂର୍ତ ଡାକ ବଙ୍ଗଳାଠାରୁ ଏକ ବିରାଟ ପଟୁଆରରେ ଚାଷୀମାନେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ ଏହି ଅବସରରେ କହିଥିଲେ, ଚାଷୀଙ୍କୁ ଉପେକ୍ଷାର ଜ୍ୱଳନ୍ତ ଉଦାହରଣ ହେଉଛି ନୟାଗଡ଼ ଜିଲ୍ଲା। ଏଠାରେ ନା ଶିଳ୍ପ ଅଛି ନା ରୋଜଗାରର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ରହିଛି। ଏଠାକାର ଲୋକଙ୍କ ଏକମାତ୍ର ରୋଜଗାରର ପନ୍ଥା ହେଉଛି କୃଷି। ଚାଷ ନକଲେ ଏମାନେ ଭୋକରେ ମରିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ। ତଥାପି ଏଠାରେ ଚାଷୀଙ୍କୁ ହତାଦାର କରାଯାଉଛି। ଚାଷୀ ଓ ତାଙ୍କ ପରିବାରର ଗୁଜରାଣ ମେଣ୍ଟାଉଥିବା ଏକମାତ୍ର ଚିନିକଳକୁ ବନ୍ଦ କରି ଦିଆଯାଇଛି। ଆଖୁ ଚାଷୀଙ୍କ କୋଟି କୋଟି ଟଙ୍କା ବାକି ରଖି ଚିନିକଳ ମାଲିକ ନିଦ୍ଵର୍ନ୍ଦ୍ୱରେ ବୁଲୁଛନ୍ତି। କାଗଜକଲମରେ ଆଖୁ ଚାଷୀଙ୍କ କଥା ବୁଝାଯାଉଛି। ସରକାର ଯଦି ଏବେ ଗୁହାରି ନ ଶୁଣିବେ, ତେବେ ପରିଣାମ ପାଇଁ ପ୍ରସ୍ତୁତ ଥାନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ସତର୍କ କରାଇ ଦେଇଛନ୍ତି।

ଅନ୍ୟତମ ଉପଦେଷ୍ଟା ରବି ଦାସ କହିଥିଲେ, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ସମୟରେ ଚାଷୀଙ୍କ କଥା ବୁଝିବେ ବୋଲି କହିଥିଲେ। ଏ ଭିତରେ ପ୍ରଧାନମନ୍ତ୍ରୀ ହେବା ବହୁଦିନ ବିତି ଯାଇଥିଲେ ବି ତାଙ୍କ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି। ଏହା ହେଉଛି ତାଙ୍କ ପାଇଁ ଶେଷ ସୁଯୋଗ। ଆଗାମୀ ବଜେଟ୍‌ରେ ଚାଷୀଙ୍କ ପାଇଁ ଅନୁଦାନ ଘୋଷଣା କରନ୍ତୁ। ଚାଷୀଙ୍କ ଦାବି ପ୍ରତି ଦୃଷ୍ଟି ଦିଅନ୍ତୁ। ନଚେତ୍‌ ଏ ଚାଷୀ ତାଙ୍କୁ ଉଚିତ୍‌ ସମୟରେ ଉଚିତ୍‌ ଜବାବ୍‌ ଦେବେ।

ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ତାଙ୍କ ବକ୍ତବ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିିଥିଲେ, କେନ୍ଦ୍ର ହେଉ କି ରାଜ୍ୟ ସରକାର, ଭାଷଣରେ ଆମ ଦେଶ, ଆମ ରାଜ୍ୟ କୃଷି ପ୍ରଧାନ ବୋଲି କହୁଛନ୍ତି। ମାତ୍ର ବଜେଟ୍‌ରେ ଅର୍ଥ ବରାଦ୍‌ କଲା ବେଳକୁ ପଛଘୁଞ୍ଚା ଦେଉଛନ୍ତି। ସରକାରଙ୍କ ଏଇ ଅବିଚାର ଓ ପକ୍ଷପାତିତା ବିରୋଧରେ ଚାଷୀମାନେ ଯେଉଁ ମହାସଂଗ୍ରାମ ଆରମ୍ଭ କରିଛନ୍ତି, ତାକୁ ଯଦି ସରକାର ବୁଝିନପାରନ୍ତି, ତେବେ ଫଳ ଭୋଗିବେ।

ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ବକ୍ତବ୍ୟରେ ରାଜନେତାମାନଙ୍କୁ ତାତ୍ସଲ୍ୟ କରିବା ସହ ତୁରନ୍ତ ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦେବାକୁ ଦାବି କରିଥିଲେ। କହିଥିଲେ, ଯେଉଁଠି ଚାଷୀ ଓ ଜନସାଧାରଣଙ୍କ ଟିକସରେ ପ୍ରଶାସନିକ ଅଧିକାରୀ ଓ ରାଜନେତାମାନେ ମୋଟା ଅଙ୍କର ଦରମା ପାଉଛନ୍ତି, ନିୟମିତ ସେମାନଙ୍କ ଦରମା ବଢ଼ୁଛି, ସେଠାରେ ଚାଷୀଙ୍କୁ କାହିଁକି ଏପରି ହତାଦାର କରୁଛ? ଚାଷୀ ଦାବି ଯଦି ପୂରଣ ନହୁଏ, ତେବେ ଆଗାମୀ ଦିନରେ ବିଧାନସଭା ଆଗରେ ଲକ୍ଷାଧିକ ଚାଷୀ ମହାସଂଗ୍ରାମ କରିବେ।

ଅନ୍ୟପଟେ ପୂର୍ବରୁ ନବ ନିର୍ମାଣ କୃଷକ ସଂଗଠନକୁ ଜୟ କିଷାନ୍‌ ସମାବେଶ କରିବାକୁ ଅନୁମତି ଦେଇନଥିବା ଜିଲ୍ଲା ପ୍ରଶାସନ ଆଜି ବି ଚାଷୀଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିବା ଆଗରୁ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଚାଷୀଙ୍କ ଜନସମୁଦ୍ର ଆଗରେ ଜିଲ୍ଲା ପ୍ରଶାସନ ଓ ପୁଲିସ ହାର ମାନିଥିଲା। ଦାବିପତ୍ର ଗ୍ରହଣ ସମୟରେ ଚାଷୀମାନେ ଜିଲ୍ଲାପାଳଙ୍କ ଉପସ୍ଥିତି ଚାହିଁଥିଲେ ବି ଉପଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରିବାକୁ ଆସିଥିଲେ। କିନ୍ତୁ ଚାଷୀମାନେ ଜିଲ୍ଲାପାଳଙ୍କ ଉପସ୍ଥିତି ଦାବି କରିଥିଲେ। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଓ ଆରକ୍ଷୀ ଅଧୀକ୍ଷକ ଆଶିଷ ସିଂହ ଆସି ପହଞ୍ଚିଥିଲେ। ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆନ୍ଦୋଳନରେ ସଂଗଠନର ବହୁ ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ କର୍ମକର୍ତା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର