ସମ୍ବଲପୁର: ଗତ ୧୨ ଡିସେମ୍ବର ଅଭାବନୀୟ ଘଟଣାରେ ଗିରଫ ହୋଇଥିବା ଓକିଲମାନଙ୍କୁ ପୁଲିସ ପିଟିଥିବା ଅଭିଯୋଗ ହେଉଥିବା ବେଳେ ଏବେ ସମ୍ବଲପୁର ମଣ୍ଡଳ ଜେଲ୍‌ କର୍ତ୍ତୃପକ୍ଷଙ୍କ ମନମୁଖି ସାମ୍‌ନାକୁ ଆସିଛି। ଆଜି ଗିରଫ ଓକିଲମାନଙ୍କୁ ଭେଟିବାକୁ ମଣ୍ଡଳ ଜେଲ୍‌କୁ ଯାଇଥିବା ପ୍ରଦେଶ କଂଗ୍ରେସ କମିଟିର ପ୍ରତିନିଧି ଦଳକୁ ଅନୁମତି ଦିଆଯାଇନାହିଁ। ପୂର୍ବତନ ବିଧାୟକ ସୁଜିତ ପାଢ଼ୀଙ୍କ ନେତୃତ୍ବରେ  ଆଇନଜୀବୀ ମନୋଜ ନାୟକ, ଦେବାଶିଷ ମହାପାତ୍ର ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ। ଜେଲ୍‌ କର୍ତ୍ତୃପକ୍ଷ ଭେଟିବା ପାଇଁ ଅନୁମତି ନଦେବାରୁ ସେମାନେ ନିରାଶ ହୋଇ ଫେରି ଆସିଥିଲେ। ଜେଲ୍‌ କର୍ତ୍ତୃପକ୍ଷଙ୍କ ଏଭଳି ନୀତିକୁ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି। ଗତକାଲି ବିଜେପିର ପ୍ରତିନିଧି ଦଳ ଗିରଫ ଓକିଲଙ୍କୁ ଭେଟିଥିବା ବେଳେ ଆଜି କଂଗ୍ରେସ ପ୍ରତିନିଧି ଦଳକୁ ଭେଟିବା ପାଇଁ ଅନୁମତି ଦିଆନଯିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରାଯାଇଛି। ଅପରପକ୍ଷରେ ରାଜ୍ୟ ସରକାର ତୁରନ୍ତ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣାଂଗ ପ୍ରସ୍ତାବ ପଠାଇବା ଏବଂ କେନ୍ଦ୍ର ସରକାର ମଧ୍ୟ ଏହା ଉପରେ ତୁରନ୍ତ କାର୍ଯ୍ୟାନ୍ବୟନ କରିବାକୁ କଂଗ୍ରେସ ଦାବି କରିଛି।

Advertisment

କଂଗ୍ରେସର ପ୍ରତିନିଧ ଦଳ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପରିସରକୁ ଯାଇ ଏହାର ସଦସ୍ୟମାନଙ୍କୁ ଭେଟି ବର୍ତ୍ତମାନର ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ସେହିପରି ଉତ୍ତରାଂଚଳ ଆଇଜି ଡ. ଦୀପକ କୁମାରଙ୍କୁ ଭେଟି ସମ୍ବଲପୁରରେ ଲାଗି ରହିଥିବା ଅସ୍ବାଭାବିକ ପରିସ୍ଥିତି ଦୂର କରିବା ପାଇଁ ଦାବି କରିଥିଲେ। ଶୀଘ୍ର ସ୍ବାଭାବିକ ବାତାବରଣ ଫେରାଇ ଅଣାଗଲେ ଲୋକେ ଆଇନଗତ କାର୍ଯ୍ୟରେ ଉପକୃତ ହୋଇପାରିବ‌େ ବୋଲି ପ୍ରତିନିଧି ଦଳ ଆଇଜିଙ୍କୁ କହିଥିଲେ। ତେବେ, ବାର୍‌ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ ଓକିଲମାନଙ୍କ ଉପରକୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିବାରୁ ସେମାନେ ସୁରୁଖୁରୁରେ ନିଜ କାର୍ଯ୍ୟ କରିପାରିବେ ବୋଲି ଆଇଜି କହିଥିବା କଂଗ୍ରେସ ପକ୍ଷରୁ ଏହି ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି। ଏହି ପ୍ରତିନିଧି ଦଳରେ ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ ଗୁରୁ, ଜିଲ୍ଲା ଉପସଭାପତି ନିରଂଜନ ତ୍ରିପାଠୀ, ଗୋପାଳ ପଣ୍ଡା, ମହିଳା କଂଗ୍ରେସ ସଭାନେତ୍ରୀ ସୁତାପା ମିତ୍ର, ମହମ୍ମଦ ମୁକ୍ତାର, ଚିନ୍ମୟ ପାଣିଗ୍ରାହୀ, ଯଶବୀର ସିଂହ, କବିତା ପଟ୍ଟନାୟକ, ଜୟନ୍ତ ସାହୁ, ମହମ୍ମଧ ସବଉଦ୍ଧିନ, ମହମ୍ମଦ ଓକିଲ, ମହମ୍ମଦ ସଲିମ୍ ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତ ଥିବା ମହାନଗର ସଭାନେତ୍ରୀ ବିଜୟଲକ୍ଷ୍ମୀ ବେହେରା ସୂଚନା ଦେଇଛନ୍ତି।