ଭୁବନେଶ୍ବର : ଆସନ୍ତା ଏପ୍ରିଲ ମାସରୁ କାରାଗାରଗୁଡ଼ିକରେ ଆରମ୍ଭ ହେବ ‘ଜେଲ୍ ଅଦାଲତ’। ଛୋଟ ଛୋଟ ଅପରାଧରେ ବିଚାର ବିଭାଗୀୟ ହାଜତରେ ଥିବା ଅଭିଯୁକ୍ତଙ୍କ ମୁକୁଳିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବ। ଜେଲ୍ ଭିତରେ ବସୁଥିବା ଜେଲ୍ ଅଦାଲତ୍ରୁ କଏଦୀଙ୍କ ପ୍ରମାଣପତ୍ର ଅନ୍ଲାଇନ୍ରେ କୋର୍ଟରେ ପହଞ୍ଚିବ। ସରକାରଙ୍କ ୫-ଟି ବ୍ୟବସ୍ଥାରେ ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ଏକ ବ୍ୟବସ୍ଥା ହେବାକୁ ଯାଉଛି। ଲିଗାଲ୍-ଏଡ୍ ସର୍ଭିସ ସହାୟତାରେ ଜେଲ୍ଗୁଡ଼ିକରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଜେଲ୍ ଅଦାଲତ ବସିବ ବୋଲି ସୂଚନା ଦେଇଛନ୍ତି କାରାଗାର ନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ।
ଛୋଟ ଛୋଟ ଅପରାଧରେ ଜଡ଼ିତ ହୋଇ ଅନେକ ଅଭିଯୁକ୍ତ ଜେଲ୍ରେ ବିଚାରାଧୀନ କଏଦୀ ଭାବରେ ରହିଛନ୍ତି। ପ୍ରତ୍ୟେକ ଦିନ ଅପରାଧ ସଂଖ୍ୟା ସହ ଜେଲ୍ରେ ଅନ୍ତେବାସୀଙ୍କ ସଂଖ୍ୟା ବଢ଼ି ବଢ଼ି ଯାଉଛି। ଏଣେ କୋର୍ଟରେ ବିଚାର ପାଇଁ ମାମଲା ମଧ୍ୟ ଅନୁରୂପ ଢ଼ଙ୍ଗରେ ବଢ଼ୁଛି। ଫଳରେ କୋର୍ଟରୁ ଜେଲ୍ ପର୍ଯ୍ୟନ୍ତ ଚାପ ରହୁଛି। ପରିସ୍ଥିତି ଏଭଳି ହେଉଛି ଯେଉଁ ଅପରାଧ ପାଇଁ ଯେତିକି ଦିନ ଜେଲ୍ ଭୋଗିବା କଥା ଅଭିଯୁକ୍ତ ତା’ ଠାରୁ ଅଧିକ ଦିନ ବିଚାରାଧୀନ କଏଦୀ ଭାବରେ ରହୁଥିବା ନଜିର ରହିଛି। ଗତ ଲକ୍ଡାଉନ୍ ସମୟରେ ଏହି ସମସ୍ୟା ପଦାକୁ ଆସିବା ପରେ ହାଇକୋର୍ଟ ହସ୍ତକ୍ଷେପ କରିଥିଲେ। ଏଭଳି ଛୋଟ ଛୋଟ ଅପରାଧ ବା ଜାମିନ୍ଯୋଗ୍ୟ ଅପରାଧରେ ରହିଥିବା ଅନ୍ତେବାସୀଙ୍କୁ ଚିହ୍ନଟ କରି ତୁରନ୍ତ ଜାମିନ୍ ଦେବା ବ୍ୟବସ୍ଥା କରିବାକୁ ହାଇକୋର୍ଟ ଆଦେଶ ଦେଇଥିଲେ। ପୂର୍ବରୁ ତାମିଲନାଡୁ ଓ ଝାଡ଼ଖଣ୍ଡ ରାଜ୍ୟରେ ଏଭଳି ବ୍ୟବସ୍ଥା ଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ବ୍ୟବସ୍ଥା ହେବାକୁ ଯାଉଛି।
ରାଜ୍ୟର ବିଭିନ୍ନ ଜେଲ୍ରେ ପ୍ରାୟ ୪ଶହ କଏଦୀ ଏଭଳି ଅଛନ୍ତି ଯେଉଁମାନେ ଜାମିନ୍ ପାଇବା ପାଇଁ ଯୋଗ୍ୟ, କିନ୍ତୁ ଜେଲ୍ରୁ ବାହାରି ପାରୁନାହାନ୍ତି। ଏମାନଙ୍କ ମଧ୍ୟରୁ କେତେକ ଅଛନ୍ତି ଯେଉଁମାନେ ଜାମିନ୍ ପାଇଗଲେ ମଧ୍ୟ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଦାଖଲ କରିପାରୁ ନଥିବାରୁ ମୁକୁଳି ପାରୁନାହାନ୍ତି। ଏହି ନୂଆ ବ୍ୟବସ୍ଥାରେ ଏମାନେ ମୁକୁଳିବାକୁ ସୁଯୋଗ ପାଇବେ ଓ ଜେଲ୍ ଉପରୁ ଚାପ ମଧ୍ୟ କମିବ।
ନିୟମିତ କଏଦୀମାନଙ୍କର ସ୍ଥିତାବସ୍ଥାକୁ ନେଇ ତର୍ଜମା କରାଯିବା ପରେ କେଉଁମାନେ ଜାମିନ୍ ପାଇବା ପାଇଁ ଯୋଗ୍ୟ, ସେମାନଙ୍କ ତାଲିକା କରାଯିବ। ଅଦାଲତ ବସିବା ପାଇଁ ତାରିଖ ଧାର୍ଯ୍ୟ କରାଯିବା ପରେ ସେଠାରେ ହିଁ ଶୁଣାଣି ହେବା ସହ ଜାମିନ୍ ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଇ-ପ୍ରିଜନ ବ୍ୟବସ୍ଥାରେ ପ୍ରତ୍ୟେକ ଜେଲ୍କୁ ଲାପ୍ଟପ୍ ପ୍ରଦାନ କରାଯିବା ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଇ-ମୁଲାକାତ ବ୍ୟବସ୍ଥା କରାଯାଉଛି। ୨୦୨୦-୨୧ ବର୍ଷ ପାଇଁ ବିଭିନ୍ନ ଜେଲ୍ରେ ୮୭୦ ନୂଆ ୱାର୍ଡ ମଞ୍ଜୁର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/law.jpg)