କଟକ : ଆଡହକ୍ ଭାବେ ସହକାରୀ ଜେଲର୍ ପଦବିରେ ନିଯୁକ୍ତ ଅଫିସର୍ ଚାକିରି ସ୍ଥାୟୀ କରିବାକୁ ହେଲେ ବିଭାଗର ଲୋୟର୍ ଷ୍ଟାଣ୍ଡାର୍ଡ ପରୀକ୍ଷାରେ କୃତକାର୍ଯ୍ୟ ବାଧ୍ୟତାମୂଳକ। ପରେ ଜେଲର୍ ପଦବିକୁ ପଦୋନ୍ନତି ପାଇଁ ହାୟର ଷ୍ଟାଣ୍ଡାର୍ଡ ପରୀକ୍ଷା ଦେବାକୁ ପଡ଼ିବ। ଦୁଇଟି ପରୀକ୍ଷାକୁ ଏକ ସମୟରେ କୌଣସି ପରିସ୍ଥିତିରେ ଦିଆଯାଇପାରିବ ନାହିଁ। କିନ୍ତୁ ଲୋୟର୍ ଷ୍ଟାଣ୍ଡାର୍ଡ ପରୀକ୍ଷାରେ ଫେଲ୍ ହୋଇଥିବା ୧୮ ସହକାରୀ ଜେଲର୍ଙ୍କୁ ଅନୁକମ୍ପା ଦେଖାଇଛି ଜେଲ୍ ବିଭାଗ। ୨୦୧୧ ସମିହାରେ ଆୟୋଜିତ ପରୀକ୍ଷାରେ ଫେଲ୍ ହୋଇଥିବା ଏହି ଅଯୋଗ୍ୟ ଅଫିସର୍ ଚତୁରତାର ସହିତ ଏକକାଳୀନ ଦୁଇଟି ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ରାଜ୍ୟର ବିଭିନ୍ନ ଜେଲ୍ରେ ଜେଲର୍ ଭାବେ ନିଯୁକ୍ତ କରାଯାଇଛି । ଅବଶିଷ୍ଟ ୧୧ ଜଣଙ୍କୁ ଜେଲର୍ ଭାବେ ବେଆଇନ ଭାବେ ଯୋଗ୍ୟ ବିବେଚିତ କରାଯାଇଥିବା ବେଳେ ପଦୋନ୍ନତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଘଟଣା ସାମ୍ନାକୁ ଆସିଛି।
ଓଡ଼ିଶା ଜେଲ୍ ବିଭାଗ ମାନୁଆଲ୍ର ଧାରା ୨୪୨ ଏବଂ ୨୪୩ ଅନୁଯାୟୀ, ଜେଲ୍ରେ ସହକାରୀ ଜେଲର୍ ଦୁଇଟି ପ୍ରକ୍ରିୟାରେ ନିଯୁକ୍ତ ହୋଇଥାନ୍ତି । ସିଧାସଳଖ ଯେଉଁମାନେ ଏହି ପଦବି ପାଇଁ ନିଯୁକ୍ତ ହୁଅନ୍ତି, ସେମାନଙ୍କ ପ୍ରୋବେସନ୍ ପିରିଅଡ୍ ୨ ବର୍ଷ । ଯେଉଁମାନେ ସବ୍-ଆସିଷ୍ଟାଣ୍ଟ ଜେଲର୍ରୁ ସହକାରୀ ଜେଲର ହୁଅନ୍ତି, ସେମାନଙ୍କ ପ୍ରୋବୋସନ୍ ପିରିଅଡ୍ ଏକ ବର୍ଷ । ସିଧାସଳଖ ସହକାରୀ ଜେଲର୍ ଚାକିରି ପାଇବା ପରେ ଜଣେ ଅଫିସର୍ ନିଯୁକ୍ତିକୁ ନିଶ୍ଚିତ କରିବାକୁ ଲୋୟର ଷ୍ଟାଣ୍ଡାର୍ଡ ପରୀକ୍ଷା ଦୁଇଟି ବିଷୟରେ ଦେବାକୁ ପଡ଼ିଥାଏ । ଦୁଇ ବର୍ଷ ମଧ୍ୟରେ କୃତକାର୍ଯ୍ୟ ନହେଲେ ସମ୍ପୃକ୍ତ ଅଫିସର୍ଙ୍କୁ ଚାକିରିରୁ ବିଦା କରିଦେବାର ବ୍ୟବସ୍ଥା ରହିଛି। ସମ୍ପୃକ୍ତ ଅଫିସର୍ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଜେଲର୍ ପଦବିକୁ ପଦୋନ୍ନତି ପାଇଁ ଦୁଇଟି ବିଷୟରେ ଆଉ ଏକ ହାଇୟର୍ ଷ୍ଟାଣ୍ଡାର୍ଡ ପରୀକ୍ଷା ଦେବାର ନିୟମ ରହିଛି । କିନ୍ତୁ ୨୦୧୧ ସେପ୍ଟେମ୍ବରରେ ସହକାରୀ ଜେଲର୍ ପରୀକ୍ଷାରେ ରାଜ୍ୟ ଜେଲ୍ ବିଭାଗ କରିଥିବା ବଡ଼ ଧରଣର ଗଫଲତି ଏବେ ସାମ୍ନାକୁ ଆସିଛି । ସେହି ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲା ଜେଲ୍, ସବ୍ ଜେଲ୍, ସର୍କଲ୍ ଜେଲ୍ର କାର୍ଯ୍ୟରତ ଯେଉଁ ୬୪ ଜଣ ସହକାରୀ ଜେଲର୍ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥାୟୀ କରିବାକୁ ଲୋୟର୍ ଷ୍ଟାଣ୍ଡାର୍ଡ ପରୀକ୍ଷା ଏବଂ ଜେଲର୍ ପଦବିକୁ ପଦୋନ୍ନତି ପାଇଁ ହାୟର୍ ଷ୍ଟାଣ୍ଡାର୍ଡ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା, ସେମାନଙ୍କ ମଧ୍ୟରେ ୧୮ ଜଣ ସହକାରୀ ଜେଲର୍ ପୂର୍ବରୁ ଲୋୟର୍ ଷ୍ଟାଣ୍ଡାଡ୍ ପରୀକ୍ଷାରେ ଫେଲ୍ ହୋଇଥିଲେ।
ନିୟମ ଅନୁଯାୟୀ, ଫେଲ୍ ହୋଇଥିବା ଅଫିସର୍ ପୁଣି କେବଳ ଲୋୟର୍ ଷ୍ଟାଣ୍ଡାର୍ଡ ପରୀକ୍ଷା ଦେବାର ବ୍ୟବସ୍ଥା ରହିଛି । ଏଥିରେ କୃତକାର୍ଯ୍ୟ ହେବା ପରେ ଜେଲର୍ ପଦବିକୁ ପଦୋନ୍ନତି ପାଇଁ ହାୟର୍ ଷ୍ଟାଣ୍ଡାର୍ଡ ପରୀକ୍ଷା ଦେଇପାରିବେ । କିନ୍ତୁ ସମ୍ପୃକ୍ତ ସହକାରୀ ଜେଲର୍ମାନଙ୍କୁ ୨୦୧୧ ସେପ୍ଟେମ୍ବର ୨୫ ତାରିଖରେ ଲୋୟର ଷ୍ଟାଣ୍ଡାର୍ଡ୍ ଏବଂ ୨୬ ତାରିଖରେ ହାୟର ଷ୍ଟାଣ୍ଡାର୍ଡ ପରୀକ୍ଷା ଭୁବନେଶ୍ୱର ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ଦେବାକୁ ଅନୁମତି ମିଳିଥିଲା । ଏଭଳି ବେଆଇନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଜେଲ୍ ମାନୁଆଲ୍କୁ ଉଲ୍ଲଂଘନ କରୁଛି । ପରବର୍ତ୍ତି ପର୍ଯ୍ୟାୟରେ ସେମାନଙ୍କ ମଧ୍ୟରୁ ୭ ଜଣ ଜେଲର୍ ପଦବିକୁ ପଦୋନ୍ନତି ପାଇଛନ୍ତି । ଅବଶିଷ୍ଟ ୧୧ ଜଣ ଜେଲର୍ ପଦବି ପାଇଁ ଯୋଗ୍ୟ ବୋଲି ଜେଲ୍ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବାରୁ ଏବେ ସମ୍ପୃକ୍ତ ସହକାରୀ ଜେଲର୍ଙ୍କ ଜେଲର୍ ପଦବିକୁ ପଦୋନ୍ନତି ପାଇଁ ବିଭାଗୀୟ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଭଳି ଘଟଣାରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ।
ଅନ୍ୟପଟେ ଏ ସଂକ୍ରାନ୍ତରେ ଜେଲ୍ ଏଡିଜି ବିନ୍ୟାନନ୍ଦ ଝା କହିଛନ୍ତି ଯେ ୨୦୧୧ ସମିହା ବେଳକୁ ସେ ବିଭାଗରେ ନଥିଲେ। ତେଣୁ ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ତାଙ୍କ ପାଖରେ ନାହିଁ।