ଆଉ ୭ ଦୁର୍ନୀତିଗ୍ରସ୍ତଙ୍କୁ ତଡ଼ିଲେ: ଜେଲ୍‌ ଡିଆଇଜି, ସିଡିପିଓଙ୍କୁ ବି ବାଧ୍ୟତାମୂଳକ ଅବସର

ବର୍ଷକ ମଧ୍ୟରେ ୧୦୪ ଜଣଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: ଦୁର୍ନୀତି ଓ ଅପାରଗତା ବିରୋଧରେ ରାଜ୍ୟ ସରକାର ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି, ନୂଆବର୍ଷରୁ ତାହାର ବଡ଼ ପ୍ରତିଫଳନ ଦେଖିବାକୁ ମିଳିଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜେଲ ଡିଆଇଜି, ଜଣେ କମାଣ୍ଡାଣ୍ଟ, ଜଣେ ଡିଏସ୍‌ପି, ଜଣେ ଡେପୁଟି କମାଣ୍ଡାଣ୍ଟ ଥିବା ବେଳେ ୨ ଜଣ ଖଣି ଅଧିକାରୀ ଓ ଜଣେ ସିଡିପିଓ ଅନ୍ତର୍ଭୁକ୍ତ।

ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ଜେଲ ବିଭାଗର ଡିଆଇଜି ଗୋପବନ୍ଧୁ ମଲ୍ଲିକ। ଶ୍ରୀ ମଲ୍ଲିକ୍ ଜେଲ ୱାର୍ଡର ଚୟନ ନିମନ୍ତେ ଥିବା କମିଟିର ମୁଖ୍ୟ ଭାବରେ ତାଙ୍କ ପଦବିର ଅପବ୍ୟବହାର କରି ଚୟନ ପ୍ରକ୍ରିୟାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବାର ଅଭିଯୋଗ ରହିଥିଲା। ଜେଲ ବିଭାଗରେ ତାଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ନ ଥିଲା ଏବଂ ତାଙ୍କର ସାଧୁତା ସନ୍ଦେହମୁକ୍ତ ନ ଥିଲା। ସେହିଭଳି କୋରାପୁଟ ନନ୍ଦପୁରର ସିଡିପିଓ ଭାବରେ କାର୍ଯ୍ୟ କରୁଥିବା ବେଳେ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ସରକାର ଚାକିରିରୁ ବିଦା କରିଛନ୍ତି। ତାଙ୍କ ନାମରେ ଦୁଇଟି ଭିଜିଲାନ୍ସ କେସ୍‌ ରହିଛି। ୨୦୧୬ରେ ତାଙ୍କ ବିରୋଧରେ ୮୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମକଦ୍ଦମା ଦାୟର କରାଯାଇଥିଲା। ପରେ ଅକ୍ଟୋବର ୨୦୨୦ରେ ଛତୁଆ ବିଲ୍‌ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟଙ୍କ ଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ସେ ଧରା ପଡିଥିଲେ ଓ ଏବେ ବି ନିଲମ୍ବିତ ଅଛନ୍ତି।

ଏହି କ୍ରମରେ ସରକାର କମାଣ୍ଡାଣ୍ଟ୍‌ ଭାବରେ ଓଡିଶା ସଶସ୍ତ୍ର ପୁଲିସ ସେବାରେ କାର୍ଯ୍ୟରତ ଥିବା ଏକାନ୍ତ ପ୍ରିୟ ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁର୍ବ୍ୟବହାର ତଥା ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ମାରଧର କରିବା ଅଭିଯୋଗରେ ତାଙ୍କ ବିରୋଧରେ ଗୋଟିଏ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଛି। ତାଙ୍କୁ ଚାକିରିରୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ଜଣେ ମଦ୍ୟପ ତଥା ଅଯୋଗ୍ୟ ଅଫିସର ଭାବରେ ତାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା। ଡିଏସ୍‌ପି ଗୌତମ ମଲ୍ଲିକଙ୍କ ବିରୋଧରେ ଦୁଇଟି ଫୌଜଦାରି ମାମଲା ରୁଜୁ କରାଯାଇଥିବା ବେଳେ ତାଙ୍କୁ ମଧ୍ୟ ଚାକିରିରୁ ନିଲମ୍ବିତ କରାଯାଇଥିଲା। ତାଙ୍କର ସାଧୁତା ଅତ୍ୟନ୍ତ ସନ୍ଦେହଜନକ ଅଟେ। ଶ୍ରୀ ମଲ୍ଲିକଙ୍କୁ ସରକାର ଚାକିରିରୁ ବିଦା କରିଛନ୍ତି। ଓଡିଶା ସଶସ୍ତ୍ର ପୋଲିସ ସେବାର ଡେପୁଟି କମାଣ୍ଡାଣ୍ଟ୍‌ ଭାବରେ କାର୍ଯ୍ୟ କରୁଥିବା ଦେବେନ୍ଦ୍ର ନାଥ ବେହେରାଙ୍କୁ ସରକାର ଚାକିରିରୁ ବହିଷ୍କାର କରିଛନ୍ତି। ତାଙ୍କ ନାମରେ ଜଙ୍ଗଲରୁ କାଠ ଚୋରି ଅଭିଯୋଗ ଥିଲା ଓ ସରକାର ଏକ ଫୌଜଦାରି ମକଦ୍ଦମା ରୁଜୁ କରିଥିଲେ। ବିନା ଅନୁମତିରେ ସରକାରୀ ଗାଡିରେ ଅଧସ୍ତନ କର୍ମଚାରୀଙ୍କୁ ବ୍ୟବହାର କରି କାଠର ଚୋରା ଚାଲାଣ ଅଭିଯୋଗରେ ତାଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଥିଲା।

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀଙ୍କ ତାଲିକାରେ କନିଷ୍ଠ ଖଣି ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନାମ ରହିଛି। ତାଙ୍କ ବିରୋଧରେ ୫ଟି ଭିଜିଲାନ୍ସ କେସ୍‌ ରହିଛି। ସରକାର କହିଛନ୍ତି ଯେ ତାଙ୍କର ସାଧୁତା ସନ୍ଦେହ ଜନକ ଥିଲା। ତାଙ୍କ ଦାୟିତ୍ବରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗ କାରଣରୁ ୩ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି। କନିଷ୍ଠ ଖଣି ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡାଙ୍କୁ ବି ସମାନ ଦଶା ଭୋଗିବାକୁ ପଡ଼ିଛି। ତାଙ୍କ ବିରୋଧରେ ୩ଟି ଭିଜିଲାନ୍ସ କେସ୍‌ ଥିଲା ବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହ ଜନକ ଅଟେ। ଦାୟିତ୍ବରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୋଧରେ ୩ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଓ ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି। ଏହି ବାଧ୍ୟତାମୂଳକ ଅବସର ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୩୦ ତାରିଖରେ ରାଜ୍ୟ ସରକାର ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ଏହିଭଳି ଭାବେ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧୦୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସରକାର କହିଛନ୍ତି ଯେ ପ୍ରଶାସନରେ ସ୍ବଚ୍ଛତା, ଉତ୍ତରଦାୟିତ୍ବ ଓ ସେବା ମନୋଭାବର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ତେଣୁ ଦୁର୍ନୀତି ତଥା ଲୋକଙ୍କୁ ସେବା ଯୋଗାଇବାରେ ଅବହେଳା କରୁଥିବା କର୍ମଚାରୀମାନଙ୍କ ପାଇଁ ଏହି ପଦକ୍ଷେପ ଏକ ସତର୍କ ଘଣ୍ଟି ବୋଲି ବିଚାର କରାଯାଇପାରେ।

ସମ୍ବନ୍ଧିତ ଖବର